କନକ ବ୍ୟୁରୋ: ଜୁଲାଇ ୬ ତାରିଖରୁ ଐତିହ୍ୟ କୀର୍ତ୍ତିରାଜି ସ୍ଥଳ ଖୋଲିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଘୋଷଣା କରିବା ପରେ ଭୁବନେଶ୍ବର ଏଏସ୍ଆଇ ସର୍କଲ ମୁଖ୍ୟ ଅରୁଣ ମଲ୍ଲିକ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ଏଏସଆଇର ଭୁବନେଶ୍ବର, କଟକ ଓ ଢେଙ୍କାନାଳ ସବ-ସର୍କଲରେ ଥିବା ୩୧ଟି କୀର୍ତ୍ତିରାଜି ସ୍ଥଳ ଖୋଲିବାକୁ ସବୁ ପ୍ରକାର ପ୍ରସ୍ତୁତି କରିଥିବା ଏଏସଆଇ ଜଣାଇଛି। ତେବେ ପୁରୀ ଅଠରନଳା ବ୍ରିଜ୍ ଓ କୋଣାର୍କ ମନ୍ଦିର ଖୋଲିବାକୁ ପୁରୀ ଜିଲ୍ଲା ପ୍ରଶାସନ ମନା କରିଥିବା ବେଳେ ବାକି ସ୍ଥଳଗୁଡ଼ିକ ଖୋଲିବ କି ନାହିଁ ସେ ନେଇ ଏଏସ୍ଆଇକୁ ରାଜ୍ୟ ସରକାର ଏ ଯାଏ କିଛି ବି ଉତ୍ତର ରଖିନାହାନ୍ତି। ତେଣୁ ୬ ତାରିଖରୁ କୀର୍ତ୍ତିରାଜିଗୁଡ଼ିକ ଖୋଲିବା ନେଇ ଦ୍ବନ୍ଦ୍ବ ଲାଗି ରହିଛି।

Advertisment

ଶନିବାର ଏଏସଆଇ ମୁଖ୍ୟ ଶ୍ରୀ ମଲ୍ଲିକ ଏକ ପ୍ରେସ୍ ବିବୃତି ଜାରି କରି ଦର୍ଶାଇଛନ୍ତି ଯେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ସଂସ୍କୃତି ମନ୍ତ୍ରଣାଳୟର ଗାଇ଼ଡ୍ଲାଇନ ଆଧାରରେ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। କିନ୍ତୁ ରାଜ୍ୟ ସରକାର ଅନୁମତି ନ ଦେଲେ ଏସବୁ କୀର୍ତ୍ତିସ୍ଥଳ ଖୋଲା ଯାଇପାରିବ ନାହିଁ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଐତିହ୍ୟ ସ୍ଥଳ ଖୋଲିଲେ ପର୍ଯ୍ୟଟକମାନେ ସାମାଜିକ ଦୂରତା ରକ୍ଷା ପୂର୍ବକ ଆସିବେ। ଗାଡ଼ିଗୁଡ଼ିକ ପାଇଁ ନିର୍ଧାରିତ ସ୍ଥାନରେ ରଖାଯିବ। ଇ-ପେମେଣ୍ଟ ଜରିଆରେ ପାର୍କିଂ ଫି ଓ କାଫେଟେରିଆ ଫି ଆଦାୟ କରାଯିବ। ପର୍ଯ୍ୟଟକମାନଙ୍କୁ କେବଳ ଇ-ଟିକେଟ୍ ପ୍ରଦାନ କରାଯିବ। ଐତିହ୍ୟ ସ୍ଥଳକୁ ଆସିବାକୁ ହେଲେ ପର୍ଯ୍ୟଟକମାନେ ହାତ ସାବୁନରେ ଧୋଇବା ସହ ଥର୍ମାଲ୍ ସ୍କ୍ରିନିଂ କରିବେ। ପ୍ରବେଶ ଓ ପ୍ରସ୍ଥାନ ଗୋଟିଏ ପଟେ ହେବ। କୌଣସି ପର୍ଯ୍ୟଟକଙ୍କୁ କୀର୍ତ୍ତିସ୍ଥଳର କୌଣସି ଅଂଶ ଛୁଇଁବାକୁ ଦିଆଯିବନି।

ଗ୍ରୁପ୍ ଫଟୋଗ୍ରାଫି ଓ ଗହଳି ଯେପରି ନ ହେବ ସେଥିପ୍ରତି ସୁରକ୍ଷା କର୍ମୀ ଦୃଷ୍ଟି ଦେବେ। ନିର୍ଦ୍ଧାରିତ ସମୟ ଭିତରେ ପର୍ଯ୍ୟଟକମାନେ କୀର୍ତ୍ତିସ୍ଥଳ ବୁଲି ଦେଖିବେ। ପ୍ରତ୍ୟେକ ପର୍ଯ୍ୟଟକ ତାଙ୍କ ଫୋନ୍ ନମ୍ବର ଏଏସ୍ଆଇ କର୍ମଚାରୀଙ୍କୁ ପ୍ରଦାନ କରିବେ। ଯଦି କୌଣସି ପର୍ଯ୍ୟଟକଙ୍କ କୋଭିଡ-୧୯ ଲକ୍ଷଣ ଦେଖାଯାଏ କିମ୍ବା ସମ୍ପୃକ୍ତ ପର୍ଯ୍ୟଟକ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାରେ ସହଜ ହେବ। ଏଏସଆଇ କର୍ମଚାରୀମାନେ କରୋନା ପ୍ରତିହତ ପାଇଁ ଥିବା ସମସ୍ତ ନିୟମାବଳୀ ଅନୁପାଳନ କରିବେ। ନିୟମିତ ବ୍ୟବଧାନରେ ଐତିହ୍ୟ କୀର୍ତ୍ତିସ୍ଥଳଗୁଡ଼ିକର ଭିତର ଓ ବାହାର ବିଶୋଧନ କରିବାକୁ ବ୍ୟବସ୍ଥା ହୋଇଥିବା ଏଏସଆଇ ମୁଖ୍ୟ ଜଣାଇଛନ୍ତି।