କନକ ବ୍ୟୁରୋ: ଆରମ୍ଭ ହେବା ଆଗରୁ ସଂପୂର୍ଣ୍ଣ ବନ୍ଦ ଅବସ୍ଥାରେ କୋଣାର୍କ ସୂତାକଳ । ସରକାରଙ୍କ ଉଦାସୀନତା ଯୋଗୁଁ ଦୀର୍ଘ ୩୯ ବର୍ଷ ପରେ ବି ଅନ୍ଧାରରେ ରହିଛି କଳାହାଣ୍ଡି ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ କାରଖାନା । ସୂତାକଳ ବନ୍ଦ ହେବା ସ୍ଥିତିରେ ପହଞ୍ଚିଥିବା ବେଳେ ଦୋ-ଛକିରେ ପଡିଛନ୍ତି କପାଚାଷୀ ।

Advertisment

କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ରହିଛି କୋଣାର୍କ ସୂତାକଳ । ୧୯୮୪ ମସିହାରେ ତତକାଳୀନ୍ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ଶୁଭ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର କପା ଚାଷକୁ ନେଇ କୃଷି ଭିତ୍ତିକ କାରଖାନାର ସ୍ୱପ୍ନ ଦେଖିଥିଲେ । କାରଖାନା ପାଇଁ କୋଠା ତିଆରି ହୋଇଥିଲା, ହେଲେ ଦୀର୍ଘ ବର୍ଷ ପରେ ମେସିନ ନ ଲାଗିବାରୁ ତାହା ଭୂତକୋଠି ପାଲଟିଥିଲା । ପରେ ସେଠାରେ ଆରମ୍ଭ ହୋଇଥିବା ଜିନିଂ ମଧ୍ୟ ଏବେ ସଂପୂର୍ଣ୍ଣ ବନ୍ଦ ରହିଛି ।

  • ଅନ୍ଧାରରେ କୋଣାର୍କ ସୂତାକଳର ଭାଗ୍ୟ
  • ଦୋ-ଛକିରେ କଳାହାଣ୍ଡିର କପା ଚାଷୀ

କଳାହାଣ୍ଡି ଜିଲ୍ଲାରେ କୋଣାର୍କ ସୂତାକଳକୁ ଭରସା କରି କପା ଚାଷ କରନ୍ତି ଚାଷୀ । ୧୦ ହଜାର କ୍ୱିଣ୍ଟାଲ ଉତ୍ପାଦନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା କପା ଚାଷ ଏବେ ୫ ଲକ୍ଷରେ ପହଞ୍ଚିଲାଣି । ହେଲେ ଜିଲ୍ଲାରେ ଥିବା ଏହି କାରଖାନା ବନ୍ଦ ଅବସ୍ଥାରେ ଥିବା ବେଳେ ଦୋ ଛକିରେ ପଡିଛନ୍ତି କପା ଚାଷୀ ।

ସେପଟେ ସୂତାକଳରେ ଜିନିଂ ବନ୍ଦ ହେବାରୁ ପ୍ରାୟ ୩ଶହ ଅଧିକ କର୍ମଚାରୀ ବର୍ଷେ ହେଲା ରୋଜଗାର ହରେଇ ଚିନ୍ତାରେ ପଡିଛନ୍ତି । ତେବେ କୋଣାର୍କ ସୂତାକଳ ସହ କର୍ମଚାରୀ ଓ ଚାଷୀଙ୍କ ଭାଗ୍ୟ ଯୋଡି ହୋଇ ରହିଛି, ତେଣୁ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।