ବୃଦ୍ଧ ଦମ୍ପତିଙ୍କୁ କଷଣ ଦେଉଛି କଙ୍ଗାରୁ କୋର୍ଟ । ଶାନ୍ତିରେ ଗଣ୍ଡେ ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି । ଦୁଃଖ ଶୁଣିବା ବଦଳରେ ଦେଖଣାହାରୀ ସାଜିଛି ପ୍ରଶାସନ ।

344

କନକ ବ୍ୟୁରୋ: ରାଜ୍ୟରେ ତିନି ମାସ ହେଲାଣି କାର୍ଯ୍ୟକାରୀ ହେଲାଣି ‘ମୋ ସରକାର’ ଯୋଜନା, ହେଲେ କଙ୍ଗାରୁ କୋର୍ଟର ନିଷ୍ପତିରୁ ମିଳି ପାରୁନି ମୁକ୍ତି । ଏହି କଙ୍ଗାରୁ କୋର୍ଟ ପାଇଁ ୬ ବର୍ଷ ହେବ ଗାଁରୁ ବାସନ୍ଦ ହୋଇ ଚଳୁଛନ୍ତି ରାମଚନ୍ଦ୍ର ଏବଂ ତାଙ୍କ ପତ୍ନୀ । ପୁରୀ ଜିଲ୍ଲାର ଗୋପ ବ୍ଲକରେ ଏପରି ଘଟଣା ଏବେ ସାମ୍ନାକୁ ଆସିଛି । ପୈତୁକ ସମ୍ପତି ଗାଁ ଲୋକଙ୍କୁ ନଦେବାରୁ ଗାଁରୁ ବାସନ୍ଦ ହୋଇଛନ୍ତି ଏହି ଦମ୍ପତି । ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା ।

କଙ୍ଗାରୁ କୋର୍ଟର କାହାଣୀ କହିଲେ ପୀଡିତ ।  ବାସନ୍ଦ ହୋଇଛନ୍ତି ରାମଚନ୍ଦ୍ର ଦାସ ଏବଂ ତାଙ୍କ ପତ୍ନୀ । ନିଆଁ ପାଣି ଠାରୁ ଆରମ୍ଭ କରି ସବୁକିଛି ତାଙ୍କ ପାଇଁ ବାରଣ କରାଯାଇଛି । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଦେସ୍ତଳି ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ୬ବର୍ଷ ହେବ ଏଭଳି ବାସନ୍ଦ ହୋଇ ଜୀବନ କାଟୁଛନ୍ତି ଏହି ଦମ୍ପତି । ନିଜ ପୈତୁକ ସମ୍ପତି ଗାଁ ଲୋକଙ୍କୁ ଦେଇ ନଥିବାରୁ ଏପରି ଦଣ୍ଡ ଭୋଗୁଥିବା ସେ କହିଛନ୍ତି ।

ଏହି ବୃଦ୍ଧ ଦମ୍ପତିଙ୍କୁ ଘରୁ ବାହାରିବା ବି ମୁସ୍କିଲ ହୋଇପଡ଼ିଛି । ଗାଁର ଦୋକାନରୁ ସଉଦା ଆଣିବା ମନା । ଗାଁରେ ହେଉଥିବା ପୂଜା ପର୍ବାଣୀରେ ମିଶିବାକୁ ଇଛା ଥିଲେ ବି ବାସନ୍ଦ ପାଇଁ କାହା ସହ ମିଶି ପାରୁନାହାଁନ୍ତି । ତାଙ୍କୁ କିଏ ସାହାଯ୍ୟ କଲେ ତାକୁ ମଧ୍ୟ କଙ୍ଗାରୁ କୋର୍ଟ ବାସନ୍ଦ କରିବ ବୋଲି ଚେତାବନୀ ଦେଇଛି । ଏହି ବୟସରେ ବିଲରେ ଖଟିବାକୁ ତାଙ୍କର ବଳ ନାହିଁ । ହେଲେ ଗାଁରୁ ବାସନ୍ଦ ପାଇଁ ଜମି ଭାଗ ନେବାକୁ କେହି ରାଜି ହେଉ ନାହାଁନ୍ତି । କଷ୍ଟେମଷ୍ଟେ ଧାନ ଫସଲ କରିଥିଲେ ମଧ୍ୟ ପାଚିଲା ଧାନ କାଟିବାକୁ ମଧ୍ୟ ଲୋକ ମିଳୁନାହାନ୍ତି । ଫଳରେ ବିଲରେ ନଷ୍ଟ ହେବାକୁ ବସିଲା ପାଚିଲା ଧାନ  । ବୃଦ୍ଧ ଦମ୍ପତି ସ୍ଥାନୀୟ ପୋଲିସ ଷ୍ଟେସନ, ଜିଲ୍ଲାପାଳ ଓ ମାନବାଅଧିକାର କମିଶନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ନ୍ୟାୟ ମିଳିପାରି ନାହିଁ ।