ଆଇକୋନିକ୍ ସାଇଟରେ କୋଣାର୍କ : କେନ୍ଦ୍ର ସରକାରଙ୍କ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର କୋଣାର୍କ ମନ୍ଦିର

310

କେନ୍ଦ୍ର ସରକାର ଓଡ଼ିଶାର ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ଦେଶର ୧୯ଟି ଆଇକନିକ ବା ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏ ସଂପର୍କରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।  ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି । କୋଣାର୍କ ଛଡ଼ା ଗୁଜୁରାଟରେ ଷ୍ଟାଚୁ ଅଫ ୟୁନିଟି ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ଦେଶର ୧୭ଟି ପ୍ରତିଷ୍ଠିତ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ଘୋଷଣା କରିଥିଲେ । କେନ୍ଦ୍ର ସରକାର ଏହି ୧୭ଟି କ୍ଷେତ୍ରକୁ ମଡେଲ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରଖିଥିଲେ । ତେବେ ଏଥିରେ ଓଡ଼ିଶାର କୋଣାର୍କ ଓ ପୁରୀର ଜଗନ୍ନାଥ ମନ୍ଦିର ସ୍ଥାନ ନପାଇବାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଦୁଇ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ଆଇକନିକ ବା ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଓଡ଼ିଶା ସରକାର ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ର ସରକାରଙ୍କଠାରେ ଏହି ଦାବି ଉଠାଇଥିଲେ ।