ଆଜିଠାରୁ କୋଣାର୍କ ଉତ୍ସବ : ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

89

ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବକୁ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନ୍‌ଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବାକୁ ଥିବାବେଳେ ଉତ୍ସବସ୍ଥଳରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ, ସଚିବ, ପ୍ରଶାସନିକ ଅଧିକାରୀ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗଦେବେ ବୋଲି ଜଣାପଡ଼ିଛି ।

ଏହି ଉତ୍ସବ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂର୍ଯ୍ୟମନ୍ଦିର ନିକଟରେ ଅବସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଶାତ୍ସୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାରଥୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ । ମୁକ୍ତାକାଶ ରଙ୍ଗମଞ୍ଚକୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଥିବାବେଳେ ରଙ୍ଗବେରଙ୍ଗର ଆଲୋକମାଳାରେ ଅର୍କକ୍ଷେତ୍ର କୋଣାର୍କ ଝଲସି ଉଠିଛି । ମୁକ୍ତାକାଶ ରଙ୍ଗମଞ୍ଚର ଦର୍ଶକ ଗ୍ୟାଲେରିରେ ସବୁବର୍ଷ ୨ ହଜାର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଥାଏ। ମାତ୍ର ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦର୍ଶକ ଓ ପର୍ଯ୍ୟଟକ ମାନେ ତିନି ଫୁଟ ଦୂରତାରେ ବସିବେ। ସଂପୃର୍ଣ୍ଣ ଗ୍ୟାଲେରିର‌ ମାତ୍ର ଏକତୃତୀୟାଂଶରେ ଦର୍ଶକ ବସିବେ ।

ଚଳିତବର୍ଷ ପାସ୍‌ ସଂଖ୍ୟାକୁ ମଧ୍ୟ ସୀମିତ କରାଯାଇଛି। ପର୍ଯ୍ୟଟକମାନେ ଟିକେଟ କରି ଏହି ଉତ୍ସବ ଦେଖିପାରିବେ । ମାତ୍ର କରୋନାକୁ ଦୃଷ୍ଟିରେ ରଖି ଟିକେଟ ସଂଖ୍ୟା ମଧ୍ୟ ସୀମିତ କରାଯାଇଛି। ସେହିଭଳି ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶଯ୍ୟା ମଧ୍ୟ ବାଲୁକାଶିଳ୍ପୀଙ୍କ ହାତ ସ୍ପର୍ଶ ଅପେକ୍ଷାରେ ରହିଛି । ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ବାଲୁକାକଳା ପରିଦର୍ଶନ ପାଇଁ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ପ୍ରଦର୍ଶନୀରେ ମାତ୍ର ୩୦ଟି ଷ୍ଟଲ୍‌ କରାଯାଇଛି । ଏଥିରେ ମାତ୍ର ଦୁଇଜଣ ବିଦେଶୀ ଶିଳ୍ପୀ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।