କୋରାପୁଟ ଚାଷୀଙ୍କୁ କୋଲାବ କେନାଲ ଅଡୁଆ: ବାରମ୍ବାର ବନ୍ଧ ଭାଙ୍ଗୁଥିବା ବେଳେ ସ୍ଥାୟୀ ମରାମତି କରୁନି ପ୍ରଶାସନ; ୪୦ ବର୍ଷର କେନାଲ ଭବିଷ୍ୟତକୁ ନେଇ ପ୍ରଶ୍ନ କଲେ ଚାଷୀ

38

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ପ୍ରାୟ ୫୦ ହଜାର ଚାଷୀଙ୍କୁ ଅଡୁଆରେ ପକାଇଛି କୋଲାବ ଡ୍ୟାମର କେନାଲ । ବାରମ୍ବାର କେନାଲ ବନ୍ଧ ଭାଙ୍ଗି ଫସଲ ନଷ୍ଟ ହେଉଛି । ପ୍ରଶାସନ ପକ୍ଷରୁ ଭଙ୍ଗା ବନ୍ଧରେ ମାଟି ଓ ବାଲି ବସ୍ତା ପକାଇ ମରାମତି କରାଯାଉଛି । କିନ୍ତୁ ଦୀର୍ଘ ୪୦ ବର୍ଷର ପୁରୁଣା କେନାଲର ସ୍ଥାୟୀ ମରାମତି କରାଯାଉ ନାହିଁ । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି ।

ସରିଲା ମରାମତି, ଆସିଲା ପାଣି । ୨ଦିନ ଲାଗିଲା କେନାଲ ମରାମତି । ରବି ଚାଷ ପାଇଁ ଅନେଇ ଥିବା ଚାଷୀ ଏବେ ପାଣିକୁ ଜଗିଛି । କେତେ ଦିନ ଚାଲିବ ଏମିତି । ଏଭଳି କିଛି ଅନେକ ପ୍ରଶ୍ନ ଏବେ ଚାଷୀଙ୍କ ମନରେ । ଭାଙ୍ଗି ଯାଇଥିବା ବନ୍ଧ ମରାମତି ହୋଇଛି । ପୁଣି ଥରେ କେନାଲରେ କୋଲାବ ଡ୍ୟାମର ପାଣି ଛଡାଯାଇଛି । କିନ୍ତୁ ଏହି କେନାଲ ଏବେ କୋରାପୁଟ ଜିଲ୍ଳାର ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଚାଷୀଙ୍କ ଲାଇଫଲାଇନ କୁହାଯାଉଥିବା କେନାଲ ଦୀର୍ଘ ୪୦ ବର୍ଷ ହେବ ପାଣି ଯୋଗାଇ ଆସୁଛି । ହେଲେ କେନାଲର ମରାମତି ଦିଗରେ ବିଭାଗୀୟ ଅଧିକାରୀ ନଜର ଦେଉ ନାହାନ୍ତି । ଚାଷୀଙ୍କ ଜମିରେ ଡ଼୍ୟାମ ହେଲା, ଚାଷ ଗଲା, ବାସ ବି ଗଲା, ହେଲେ ସେମାନେ ପାଇଲେ କଣ । ଡ୍ୟାମ କରିବା ବେଳେ ଦୌ-ଫସଲର ସ୍ୱପ୍ନ ଦେଖାଇଥିବା ସରକାର କେନାଲର ମରାମତି କରୁନଥିବାରୁ ଜମିରେ ପାଣି ପହଂଚି ପାରୁନାହିଁ । ବଂର ପ୍ରତିବର୍ଷ କେନାଲ ବନ୍ଧ ଭାଙ୍ଗୁଛି, ଫସଲ ନଷ୍ଟ ହେଉଛି । କିନ୍ତୁ ସରକାର ଏହାର ସ୍ଥାୟୀ ସମାଧାନ କରୁନାହାନ୍ତି, କି ଏଥିପାଇଁ ସ୍ୱତନ୍ତ୍ର ଫଣ୍ଡ ରଖି ନାହାନ୍ତି ।

କୋଲାବ ଡ଼୍ୟାମରୁ ବିଦ୍ୟୁତ ଉତ୍ପାଦନ ସହ ୪୪ ହଜାର ୫୦୦ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଉଛି । ଜିଲ୍ଲାର ୪ଟି ବ୍ଳକ୍ କୁନ୍ଦ୍ରା, ଜୟପୁର, ବୋରିଗୁମ୍ମା, କୋଟପାଡ଼ ବ୍ଳକର ଚାଷୀ ଦୁଇ ଫସଲ ଚାଷ କରିବେ । ୧୯୮୭ରେ କୋଲାବ ଡ଼୍ୟାମରୁ କେନାଲ ଯୋଗେ ପ୍ରଥମ ପାଣି ଛଡା ଯାଇଥିଲା । ପରେ ମୁଖ୍ୟ କେନାଲରୁ ୧୫ଟି ଶାଖା କେନାଲ ଯୋଗେ ଚାଷ ଜମିରେ ପାଣି ପହଂଚିଥିଲା । ସରକାରଙ୍କ ନିୟମ ଅନୁସାରେ, ୧୫ ବର୍ଷରେ ଥରେ କେନାଲର ମରାମତି ହେବ । କିନ୍ତୁ ଏହାରି ଭିତରେ ୪୦ ବର୍ଷରୁ ଅଧିକ ସମୟ ବିତିଛି ହେଲେ ଏହାର ସ୍ଥାୟୀ ମରାମତି ହୋଇନାହିଁ । ଯାହାର ପରିଣାମ ପ୍ରତିବର୍ଷ କେନାଲ ଭାଙ୍ଗି ଫସଲ ନଷ୍ଟ ହେଉଛି । ଚାଷ ଓ ଚାଷୀ ଙ୍କ ପାଇଁ ସରକାରଙ୍କ କାହିଁରେ କଣ ଯୋଜନା, ହେଲେ ଏହି ଯୋଜନା ଚାଷୀଙ୍କୁ କେତେ ସହଯୋଗ କରୁଛି ତାହା କୋରାପୁରର କୋଲାବ ଡ୍ୟାମ କେନାଲ ଭାଙ୍ଗିବା ଘଟଣାରୁ ସ୍ପଷ୍ଟ ବାରି ହେଉଛି ।