ଧରାପଡିଲେ ବଙ୍ଗୀୟ ମହିଳା : ବୀମା କରାଇବା ଆଳରେ ଏମିତି ଲୁଟୁଥିଲେ ଟଙ୍କା

314

କନକ ବ୍ୟୁରୋ : ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଗିରଫ ହେଲେ ବଙ୍ଗୀୟ ମହିଳା ପୀୟୁ ବିଶ୍ୱାସ । ବୀମା ଆଳରେ କଳାକନା ବୁଲାଉଥିଲେ ବଙ୍ଗୀୟ ମହିଳା । ସହିଦନଗର ପୁଲିସ ଗତକାଲି ପୀୟୁଙ୍କୁ ଗିରଫ କରିଛି । ଏବେ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରିବାକୁ ଯୋଜନା କରିଛି । ନିକଟରେ ଜୟକୃଷ୍ଣ ନାମକ ବ୍ୟବସାୟୀଙ୍କ ଘରେ ପଶି ଏହି ବଙ୍ଗୀୟ ମହିଳା କଳାକନା ବୁଲାଇଥିଲେ । ପରେ ଥାନାରେ ଜୟକୃଷ୍ଣ ଏତଲା ଦେଇଥିଲେ । ଏହାପରେ ସହିଦନଗର ପୁଲିସ ପୁରୀ ବଳିଆପଣ୍ଡା ଧୋବାଖାଲ ବସ୍ତିରୁ ଏହି ବଙ୍ଗୀୟ ମହିଳାଙ୍କୁ ଗିରଫ କରିଛି । ଗିରଫ ବେଳେ ଦେଢ଼ ଲକ୍ଷ ଟଙ୍କା, ଦୁଇଟି ସୁନା ଚେନ୍, ୧୦ଟି ମୁଦି, କାନଫୁଲ ଏବଂ ବ୍ରାସଲେଟ ଜବତ କରିଛି ପୁଲିସ । ଓଡିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଏହି ଧୂର୍ତ ମହିଳାଙ୍କ ନାଁରେ ଠକେଇ ମାମଲା ରହିଥିବା ସୂଚନା ରହିଛି ।

ସୂଚନା ମୁତାବକ, ଫେସ୍‌ବୁକ୍‌ ଜରିଆରେ ଜୟକୃଷ୍ଣଙ୍କ ସହ ପୀୟୂର ବନ୍ଧୁତା ସ୍ଥାପନ ହୋଇଥିଲା । ପୀୟୂ ନିଜକୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ବୋଲି ପରିଚୟ ଦେଇଥିଲା । ଏଥିସହିତ ସେ ଏକ ବୀମା କମ୍ପାନିର ଏଜେଣ୍ଟ ବୋଲି ମଧ୍ୟ କହିଥିଲା । କିଛି ଦିନର ବାର୍ତ୍ତାଳାପ ଭିତରେ ପୀୟୂ ମିଠାମିଠା କଥା କହି ଜୟକୃଷ୍ଣଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା । ବନ୍ଧୁତା ନିବିଡ଼ ହେବା ପରେ ଏକ ବୀମା ପଲିସି କରିବାକୁ ସେ ଜୟକୃଷ୍ଣଙ୍କୁ ଲୋଭନୀୟ ଅଫର୍ ଦେଇଥିଲା । ଜୟକୃଷ୍ଣ ରାଜି ହୋଇ ଯାଇଥିଲେ । ବୀମା ବାବଦରେ କଥା ହେବା ପାଇଁ ଗତ ୯ ତାରିଖ ରାତିରେ ପୀୟୂ ବାଙ୍କୁଆଳସ୍ଥିତ ଜୟକୃଷ୍ଣଙ୍କ ଫ୍ଲାଟ୍‌ରେ ପହଞ୍ଚିଥିଲା । ଉଭୟ ପୁରୀର ବାସିନ୍ଦା ହୋଇଥିଲେ ବି ବୀମା କଥା ଆଲୋଚନା ପାଇଁ ଭୁବନେଶ୍ବରରେ ଏକାଠି ହୋଇଥିଲେ । ବୀମା କଥା ଆଲୋଚନା ଭିତରେ ବିଳମ୍ବ ହେବାରୁ ଓ ରାତି ଅଧିକ ହୋଇଯିବାରୁ ପୁରୀ ଫେରିବାରେ ସମସ୍ୟା ହେବ କହି ପୀୟୂ ରାତିକ ପାଇଁ ସେହି ଫ୍ଲାଟ୍‌ରେ ରହିବା ପାଇଁ ପ୍ରସ୍ତାବ ଦେଇଥିଲା । ଜୟକୃଷ୍ଣ ଏକାକୀ ଉକ୍ତ ଫ୍ଲାଟ୍‌ରେ ରହୁଥିବାରୁ କିଛି ଆପତ୍ତି ଉଠାଇନଥିଲେ । ଏମିତିକି ବାହାରୁ ଖାଇବା ମଗାଇ ସେମାନେ ଏକାଠି ଖାଇଥି‌ଲେ । ତାଙ୍କର ଏହି ସରଳତାର ସୁଯୋଗ ନେଇ ସେ ଜୟକୃଷ୍ଣଙ୍କ ଖାଇବାରେ କୌଣସି ନିଶା ମିଶାଇ ଦେଇଥିଲା ।

ଜୟକୃଷ୍ଣ ଚେତାଶୂନ୍ୟ ହେବା ପରେ ପୀୟୂ ତାଙ୍କ ଘରୁ ନଗଦ ୨୦ ହଜାର ଟଙ୍କା, ୩ଟି ସୁନାଚେନ୍, ୨ଟି ବ୍ରେସ୍‌ଲେଟ୍‌ ଏବଂ ୨ଟି ଦାମୀ ମୋବାଇଲ୍‌ ନେଇ ଚମ୍ପଟ ମାରିଥିଲା । ପରଦିନ ସକାଳେ ଜୟକୃଷ୍ଣ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ମୋବାଇଲ୍‌ ଟ୍ରାକିଂରୁ ପୁଲିସ ପୀୟୂକୁ ଠାବ କରିବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀ ବଳିଆପଣ୍ଡା ଧୋବାଖାଲ ବସ୍ତିରେ ଚଢ଼ଉ କରି ତାକୁ ଗିରଫ କରିଥିଲା । ପୀୟୂକୁ ପୁଲିସ ରିମାଣ୍ଡ୍‌ରେ ଆଣିବା ପାଇଁ ଯୋଜନା କରୁଛି । ତା’ ନାମରେ ପୂର୍ବରୁ କୋଲକାତାରେ ବି ଠକେଇ ମାମଲା ରହିଛି। ଓଡ଼ିଶା ଆସିବା ପରେ ସେ ଏମିତି ଅନେକ ଲୋକଙ୍କୁ ଠକିଥିବା ପଚରାଉଚରା ବେଳେ ମାନିଛି । ତେବେ ସେ ଏକା ଏମିତି ଠକୁଥିଲା ନା ତା’ ସହ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଛାନ୍‌ଭିନ୍ ଜାରି ରହିଛି । ତା’ ସହ କୌଣସି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ଲୋକଙ୍କୁ ଠକିବା ପାଇଁ ସେ ସୋସିଆଲ୍‌ ମିଡିଆରେ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଆଦିକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା । ବେଙ୍ଗଲି ମିଠା ଭାଷା କହି ସେ ମାୟାଜାଲ ବିଛାଉଥିଲା ଓ ସହଜରେ ଅନ୍ୟକୁ ଫସାଇ ପାରୁଥିଲା । ଫଟୋରେ ତା’ର ସୁନ୍ଦର ଚେହେରା ଅକ୍ଳେଶରେ ଗ୍ରାହକଙ୍କୁ ଆକର୍ଷଣ କରିପାରୁଥିଲା । ତାକୁ କେହି ସହଜରେ ଠକ ବୋଲି ଜାଣି ପାରୁନଥିଲେ । ଏହାର ସୁଯୋଗ ନେଇ ସେ ଲୋକଙ୍କ ନମ୍ବର ସଂଗ୍ରହ କରୁଥିଲା ଓ ପରେ ହ୍ବାଟ୍ସ ଆପ୍‌ରେ ମେସେଜ୍ କରି ବନ୍ଧୁତା ବଢ଼ାଉଥିଲା । ପରେ ବୀମା ସ୍କିମ୍‌ର ଲୋଭନୀୟ ଅଫର୍‌ ଦେଖାଉଥିଲା । ବୀମା ନାଁରେ ଫସାଇବା ପାଇଁ ସେ ଗ୍ରାହକଙ୍କୁ ‌ହୋଟେଲ୍‌ରେ ଭେଟିବାକୁ ଆମନ୍ତ୍ରଣ କରୁଥିଲା । ଏହି ସୁଯୋଗରେ ସେ ଗ୍ରାହକକୁ ଲୁଟୁଥିଲା ।