କନକ ବ୍ୟୁରୋ: କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ମଙ୍ଗଳବାର ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଘଣ୍ଡପୀଠ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତିଙ୍କ ସହ ଖଣ୍ଡପୀଠରେ ରହିଛନ୍ତି ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର । ମାମଲାର ନିରପେକ୍ଷ ତଦନ୍ତ ନେଇ ପ୍ରଧାନ ବିଚାରପତିଙ୍କୁ ଆବେଦନ କରାଯାଇଥିଲା। ଚିଠିରେ ଉଲ୍ଲେଖ ହୋଇଥିଲା ଯେ, ମାମଲା କେବଳ ଏକ ନିରୀହ ଜୀବନକୁ ଶେଷ କରିବା ପାଇଁ ନୁହେଁ । ଏହା ଆମ ଦେଶର ଆତ୍ମା ଉପରେ ଆକ୍ରମଣ । ଆମ ମହାନ ସମ୍ବିଧାନର ନ୍ୟାୟ ଏବଂ ମାନବିକତାର ଆଦର୍ଶ ପ୍ରତି ଘୋର ଅପମାନ। ଯେଉଁଭଳି ଭାବେ ଏକ ଜୀବନକୁ ନିର୍ମମ ଉପାୟରେ ନଷ୍ଟ କରିଦିଆଗଲା, ତାହା ଆମ ଜାତିର ସାମୂହିକ ଚେତନାକୁ ଦୋହଲାଇଦେଇଛି। ଯେଉଁ ପରିସରରେ ସେ ମାନବିକତାର ସେବା କରିଥିଲେ, ସେହି ପରିସରରେ ତାଙ୍କୁ ଅତି ନିର୍ମମ ଭାବେ ଦୁର୍ବ୍ୟବହାର କରାଯାଇ ହତ୍ୟା କରିଦିଆଗଲା। ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଆବେଦନରେ ଦାବି କରାଯାଇଛି।
ଭୁଲ ତଥ୍ୟ ଦେବା ପଡ଼ିଲା ମହଙ୍ଗା
ଟିଏମସି ସାଂସଦ ଓ ବିଜେପି ନେତ୍ରୀଙ୍କୁ ସମନ
ତଦନ୍ତ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବାରୁ ଟିଏମସି ରାଜ୍ୟସଭା ସାଂସଦ ଶୁଖେନ୍ଦୁ ରୟ ଓ ବିଜେପି ନେତ୍ରୀ ଲକେଟ ଚାଟାର୍ଜୀଙ୍କୁ ପୁଲିସର ସମନ। ଶୁଖେନ୍ଦୁ, ମାମଲାରେ ପୁଲିସ କମିସନର ଓ ପୂର୍ବତନ ପ୍ରିନ୍ସିପାଲଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲ ‘ଏକ୍ସ’ରେ ଶୁଖେନ୍ଦୁ ଲେଖିଛନ୍ତି, କିଏ ଓ କାହିଁକି ଆତ୍ମହତ୍ୟାର ଖବର ପ୍ରଚାରିତ କଲା? ତାହା ଜାଣିବା ପାଇଁ ପୂର୍ବତନ ପ୍ରିନ୍ସିପାଲ ଓ ପୁଲିସ କମିଶନରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ଜରୁରୀ। ଏହାବ୍ୟତୀତ ଦୁଇ ଜଣ ପ୍ରମୁଖ ଡାକ୍ତରଙ୍କୁ ସମନ କରିଛି ପୋଲିସ। ସେପଟେ ସିବିଆଇ ଟିମ୍ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡ ଓ ଏହାର ବାହାରେ ଥ୍ରୀ-ଡି ଲେଜର ମ୍ୟାପିଂର ଯାଞ୍ଚ ଏବଂ କୋଡିଂ କରିଛି। ହାଇ ଆକ୍ୟୁରେସି ଥ୍ରୀ ଡି ଲେଜର ସ୍କାନର ସହାୟତାରେ ଏହି ଡିଜିଟାଲ ମ୍ୟାପିଂ କରାଯାଉଛି।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ମଙ୍ଗଳବାର ୩ ଜଣିଆ ଖଣ୍ଡପୀଠଙ୍କ ଶୁଣାଣି ।
/kanak/media/post_attachments/wp-content/uploads/2024/08/30-14.jpg)