ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା ।

113

କନକ ବ୍ୟୁରୋ: ଆଇପିଏଲ୍ ପ୍ଲେ-ଅଫର ଦ୍ୱିତୀୟ କ୍ୱାଲିଫାୟାରରେ ପହଞ୍ଚିଲା କେକେଆର୍ । ସୋମବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ହରାଇ ଦଳ କ୍ୱାଲିଫାୟାରରେ ନିଜ ସ୍ଥାନ ପକ୍କା କରିଛି । ଏଥିସହିତ ଫାଇନାଲ ଯିବା ରାସ୍ତାରେ ଗୋଟିଏ ପାଦ ଆଗକୁ ବଢିଛି କେକେଆର୍ । ଆସନ୍ତା ବୁଧବାର ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ ଖେଳିବ ।

ସୋମବାର ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ ପାଡିକଲ ଓ କୋହଲି । ଦୁହେଁ ପ୍ରଥମ ୱିକେଟରେ ୪୯ ରନ୍ ଯୋଡିଥିଲେ । ହେଲେ ଏହାପରଠାରୁ ଆରସିବିର ବ୍ୟାଟ୍ସମ୍ୟାନମାନେ ପ୍ୟାଭିଲିୟନ ମୁହାଁ ହୋଇଥିଲେ । ଯାହାଫଳରେ ଦଳ ୨୦ ଓଭରରେ ନିଜର ୭ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ମାତ୍ର ୧୩୮ ରନ୍ କରିପାରିଥିଲା ।

ଏହାପରେ ୧୩୯ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କେକେଆର୍ । ଦଳ ପାଇଁ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ ଶୁଭମନ୍ ଗିଲ ଓ ଭେଙ୍କଟେଶ ଆୟାର । ଏହାପରେ ପରେ ରାଣା ଓ ସୁନୀଲ ନାରିନଙ୍କ ବ୍ୟାଟିଂ ମଧ୍ୟ କେକେଆରର ବିଜୟକୁ ସହଜ କରିଦେଇଥିଲା । ହେଲେ ଶେଷକୁ ଦଳ ନିଜ ବିଜୟକୁ ପକ୍କା କରିବା ସହିତ ଦ୍ୱିତୀୟ କ୍ୱାଲିିଫାୟାର ଖେଳିବାକୁ ଟିକେଟ୍ ପକ୍କା କରିଛି ।