ଦିଲ୍ଲୀ ଏମ୍ସ ପରେ କୋଲକାତାରୁ ଆସିଲା ଯୋଡା ଶିଶୁଙ୍କ ଅସ୍ତ୍ରୋପଚାରର ଚିତ୍ର ! ପରାଙ୍ଗପୁଷ୍ଟ ଶିଶୁଙ୍କ ପେଟ, ହାତ ଓ ଗୋଡ ଅଲଗା କଲେ ଓଡିଆ ଡାକ୍ତର । 

43

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସ ପରେ କୋଲକାତାରୁ ଆସିଲା ଯୋଡା ଶିଶୁଙ୍କୁ ଅଲଗା କରିବାର ଚିତ୍ର । ପେଟ ଯୋଡି ହୋଇ ରହିଥିବା ଏକ ପରାଙ୍ଗପୁଷ୍ଟ ଶିଶୁକୁ ଅସ୍ତ୍ରୋପଚାର କରିଛନ୍ତି ଓଡିଆ ଡାକ୍ତର । ଶିଶୁ ଶଲ୍ୟ ବିଭାଗର ଡାକ୍ତର ପ୍ରଫୁଲ୍ଲ ମିଶ୍ରଙ୍କ ଉଦ୍ୟମରେ ସଫଳ ହୋଇଛି ଏଭଳି ବିରଳ ଅପରେସନ୍ । ଶିଶୁଟି ସୁସ୍ଥ ଥିବାବେଳେ ଅତିରିକ୍ତ ହାତ, ଗୋଡ ଓ ପେଟକୁ ଅଲଗା କରାଯାଇ ପାରିଛି ।

ଜଗା ବଳିଆଙ୍କ ମୁଣ୍ଡ ଯୋଡି ହେବା ପରି ଏହି ଜମଜ ଶିଶୁଙ୍କ ପେଟ ଯୋଡିହୋଇ ରହିଛି । ହେଲେ ଗୋଟିଏ ମୁଣ୍ଡ । କିନ୍ତୁ ୪ଟି ଗୋଡ ଓ ୪ଟି ହାତ । ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲାର ୨୧ ବର୍ଷୀୟ ମହିଳା ସାବିନା ଜ୍ୟାସ୍ମିନ ଏହି ଯୋଡା ଶିଶୁକୁ ଗତ ଅଗଷ୍ଟ ମାସରେ ଜନ୍ମ ଦେଇଥିଲେ । ଅସ୍ୱାଭାବିକ ଭାବେ ଜନ୍ମ ନେଇଥିବା ଏହି ଶିଶୁ ପୁତ୍ରଟିର ବିକାଶ ଅସମ୍ଭବ ଥିଲା । ଏପରିକି ଜୀବନ, ମରଣ ସଂକଟ ଉପୁଜିଥିଲା । ଶିଶୁର ସୁରକ୍ଷା ପାଇଁ ଅତିରିକ୍ତ ପେଟ, ଗୋଡ ଓ ହାତକୁ କାଟି ଅଲଗା କରିଦେବା ଜରୁରୀ ହୋଇପଡିଥିଲା ।

ଚିକିତ୍ସା ବିଜ୍ଞାନର ଚମକ୍ରାର । ନୂଆ ଜୀବନ ଦେଲେ ଡାକ୍ତର । ଏଭଳି ଏକ ଆହ୍ୱାନପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଆଗେଇ ଆସିଥିଲେ ଜଣେ ଓଡିଆ ଡାକ୍ତର । ଶିଶୁ ଶଲ୍ୟ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ପ୍ରଫୁଲ୍ଲ କୁମାର ମିଶ୍ର । ଅତ୍ୟନ୍ତ ଜଟିଳ ଅବସ୍ଥାରେ ଥିବା ଶିଶୁଟିକୁ ନିରୀକ୍ଷଣ କରିବା ପରେ ଅପରେସନ ଆରମ୍ଭ କରିଥିଲେ ଡାକ୍ତର ମିଶ୍ର । ଆଉ ତାଙ୍କୁ ସହଯୋଗ କରିଥିଲେ ହୃଦରୋଗ ବିଶେଷଜ୍ଞ ରଞ୍ଜନ ଶର୍ମା । ଚିକିତ୍ସା ବିଜ୍ଞାନରେ ପାରାସାଇଟିକ ଟ୍ୱିନ୍ସ ବା ପରାଙ୍ଗପୋଷି ଜମଜ କୁହାଯାଉଥିବା ଏହି ଶିଶୁକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗତ ବୁଧବାର କୋଲକାତାସ୍ଥିତ ଏନଆରଏସ ମେଡିକାଲ କଲେଜରେ ସଫଳତାର ସହ ଏହି ବିରଳ ଅସ୍ତ୍ରୋପଚାର ଶେଷ ହୋଇଛି ।

ପରାଙ୍ଗପୋଷି ଜମଜଙ୍କ କ୍ଷେତ୍ରରେ ଗୋଟିଏ ମସ୍ତିସ୍କ ଓ ଗୋଟିଏ ହୃତିପିଣ୍ଡ ହୋଇଥିବାରୁ ଶରୀରରୁ ଅତିରିକ୍ତ ଅଂଶ କାଟି ଅଲଗା କରିବାକୁ ପଡିଥାଏ । ଯାହା ଏହି ଶିଶୁପୁତ୍ର କ୍ଷେତ୍ରରେ କରାଯାଇଛି । ପ୍ରାୟ ମାସକର ଏହି ପୁତ୍ର ସନ୍ତାନଟି ଏବେ ସୁସ୍ଥ ଥିବା ବେଳେ ହୃତପିଣ୍ଡରେ କିଛି ସମସ୍ୟା ରହିଥିବାରୁ ଆଗାମୀ ଚିକିତ୍ସା ଡାକ୍ତର ମିଶ୍ରଙ୍କ ପାଇଁ ବେଶ ଆହ୍ୱାନ ପୂର୍ଣ୍ଣ ରହିଛି । ତେବେ ଡାକ୍ତର ମିଶ୍ରଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଶିଶୁଟିର ଚିକିତ୍ସା ଦାୟିତ୍ୱରେ ରହିଛନ୍ତି । ଦିଲ୍ଲୀ ଏମ୍ସରେ ଓଡିଆ ଡାକ୍ତର ଅଶୋକ ମହାପାତ୍ରଙ୍କ ତତ୍ୱାବଧାନରେ ଜୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଅସ୍ତ୍ରୋପଚାର ସମ୍ଭବ ହୋଇଥିଲା । ଆଉ ଏବେ କୋଲକାତାରେ ଜଣେ ଓଡିଆ ଡାକ୍ତର କରିସ୍ମା କରି ଦେଖାଇଛନ୍ତି । ଯାହା ଫଳରେ ଶିଶୁ ସନ୍ତାନଟିକୁ ନୂଆ ଜୀବନ ମିଳିଯାଇଛି ।