କୋଲକାତାରେ ଫ୍ଲାଏଓଭର ଭୁଶୁଡିବାକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ! କେନ୍ଦ୍ର କହିଲା ରାଜ୍ୟ ଦାୟୀ, ରାଜ୍ୟ କହିଲା କେନ୍ଦ୍ରୀୟ ସଂସ୍ଥାର ଦୋଷ ।

22

କନକ ବ୍ୟୁରୋ : କୋଲକାତାରେ ଫ୍ଲାଏ ଓଭର ଭୁଷୁଡିବା ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ଦେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ବିଜେପି ନେତା ରାଜ୍ୟ ସରକାରଙ୍କୁ ଦୋଷ ଦେଉଛନ୍ତି । ତେବେ ଏହା ଭିତରେ ଘଟଣାସ୍ଥଳରେ ଆସି ତଦନ୍ତ କରିଛନ୍ତି ତଦନ୍ତକାରୀ ଦଳ । ଏହା ସହିତ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ତତ୍ୱାବଧାନରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଏହା ଏକ ଗମ୍ଭୀର ମାମଲା ହୋଇଥିବାରୁ ଆବଶ୍ୟକ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା କହିଛନ୍ତି । ଏହା ସହ ମୃତାହତଙ୍କୁ କ୍ଷତିପୂରଣ ମଧ୍ୟ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର । ମୃତକଙ୍କ ସଂପର୍କୀୟଙ୍କୁ ୫ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାପାଇଁ ମମତା ସରକାର ଘୋଷଣା କରିଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୋଲର ମରାମତି ଆହୁରି ଭଲଭାବରେ ହେବା ଉଚିତ ଥିଲା ବୋଲି ରାଜ୍ୟପାଳ କହିଛନ୍ତି । କୋଲକାତା ଆଲିପୁରର ମାଝେରହାଟ ଅଂଚଳରେ ଥିବା ୪୦ ବର୍ଷ ପୂରୁଣା ଫ୍ଲାଏ ଓଭର ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ଭୁଶୁଡି ପଡିଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୨୦ଜଣ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ବି ଭଙ୍ଗା ଫ୍ଲାଏଓଭର ତଳେ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ୍ ଟିମ୍, ପୁଲିସ୍, ଅଗ୍ନିଶମ କର୍ମଚାରୀ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ନିକଟରେ ଥିବା ଏକ ସେନା କ୍ୟାମ୍ପରୁ ଯବାନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।