କୋଲକାତାର ପୂର୍ବ ରେଳପଥ କାର୍ଯ୍ୟାଳୟରେ ନିଆଁ ଲାଗିବା ଘଟଣା: ଚାଲିଗଲାଣି ୯ଜୀବନ, ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା

93

କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଗତକାଲି ରାତିରେ ନିଆଁ ଲାଗି ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଗତକାଲି ରାତିରେ ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ ସୂଚନା ଦେଇ କହିଥିଲେ ଯେ ଏହି ଅଗ୍ନିକାଣ୍ଡରେ ୪ ଜଣ ଅଗ୍ନିଶମ କର୍ମଚାରୀ, ଦୁଇ ଜଣ ଆରପିଏଫ୍ ଯବାନ ଏବଂ ଜଣେ କୋଲକାତା ପୁଲିସ୍‌ ଏଏସଆଇଙ୍କର ମୃତ୍ୟୁ ଘଟିଛି । ପରେ ଆଉ ୨ ଜଣଙ୍କର  ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେ ଗଣମାଧ୍ୟମରେ ନିଜର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ସେମାନଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଶୋକ ଓ ସମବେଦନା ଜ୍ଞାପନ କରିଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘କୋଲକାତାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକମାନଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ।’

ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ହଠାତ୍ ପୂର୍ବ ରେଳପଥ କାର୍ଯ୍ୟାଳୟର ୧୩ତମ ମହଲାରେ ନିଆଁ ଲାଗି ଯାଇଥିଲା। ସନ୍ଧ୍ୟା ୬ଟା ୧୦ରେ ଅଗ୍ନିକାଣ୍ଡ ସମ୍ପର୍କରେ କୋଲକାତା ପୁଲିସକୁ ପ୍ରଥମେ ସୂଚନା ଦିଆଯାଇଥିଲା। ପୁଲିସକୁ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ ଜାରି ରଖିଥିଲା। ଏଭଳି ହଠାତ ନିଆଁ ଲାଗିବା ପଛର କାରଣ କ’ଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।