ଚର୍ଚ୍ଚାରେ ବାରିକଙ୍କ ସୁନା କଇଁଚି : ତିନି ମାସ ପରେ ଦୋକାନ ଖୋଲିବାର ଖୁସି , ୧୦ ତୋଳାର ସୁନା କଇଁଚିରେ ଗ୍ରାହକଙ୍କ ଚୁଟି କାଟିଲେ ବାରିକ ।

940

କରୋନା ମୁକାବିଲା ପାଇଁ ତାଲାବନ୍ଦରେ କିଛି ବ୍ୟବସାୟ ଉପରେ ରୋକ୍ ଲଗାଯାଇଥିଲା । ଏଥିରେ ସେଲୁନ୍ , ପାର୍ଲର୍ ଭଳି ବ୍ୟବସାୟ ମଧ୍ୟ ସାମିଲ୍ ଥିଲା । ତେବେ ମହାରାଷ୍ଟ୍ରରେ ପାଖାପାଖି ୩ ମାସ ପରେ ସେଲୁନ୍ ଏବଂ ପାର୍ଲର ଖୋଲିବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ମହାମାରୀର ମୁକାବିଲା ଭିତରେ ସରକାରଙ୍କ ଗାଇଡ଼ଲାଇନ୍ ମାନି କାମ ଚାଲୁ ରଖିବାକୁ ଦୋକାନୀଙ୍କୁ କୁହାଯାଇଛି । ଏହି ଭିତରେ ତିନିମାସ ପରେ ଦୋକାନ ଖୋଲିବା ଖୁସିରେ କୋହ୍ଲାପୁରର ଜଣେ ସେଲୁନ୍ ଦୋକାନୀ ସୁନାର କଇଁଚିରେ ଗ୍ରାହକଙ୍କ ଚୁଟି କାଟିବା କଥା ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

ପୁଣେଠାରୁ ପାଖାପାଖି ୨୫୦ କି.ମି ଦୂର କୋହ୍ଲାପୁରର ରାମଭାଉ ସଂକପାଲ୍ ଏତେ ସମୟପରେ ସେଲୁନ୍ ଖୋଲିବା ଖୁସିରେ ନିଜ ପ୍ରଥମ ଗ୍ରାହକଙ୍କ ଚୁଟି ସୁନାର କଇଁଚୀରେ କାଟିଛନ୍ତି । ତାଙ୍କ କହିବାନୁସାରେ , ଲକଡ଼ାଉନ୍ ଯୋଗୁଁ ୩ ମାସ ପର୍ଯ୍ୟନ୍ତ ବେପାର ଠପ୍ ହୋଇଯାଇଥିଲା । ରାଜ୍ୟରେ ସେଲୁନ୍ ବ୍ୟବସାୟ ଖୁବ୍ ପ୍ରଭାବିତ ହୋଇଥିଲା । ସେଲୁନ୍ ମାଲିକ ଏବଂ କର୍ମଚାରୀଙ୍କୁ ଆର୍ଥିକ ଅଭାବ ଭିତରେ ଗତି କରିବାକୁ ପଡୁଥିଲା । ଅନେକ ବାରିକ ଆର୍ଥିକ ଅଭାବରେ ରହି ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଇନାହାନ୍ତି । ଏଭଳି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସବୁ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖୁସିଖବର । ଆଉ ଏହି ଖୁସିକୁ ବ୍ୟକ୍ତ କରିବା ପାଇଁ ମୁଁ ମୋ ଦୋକାନର ପ୍ରଥମ ଗ୍ରାହକଙ୍କ ଚୁଟିକୁ ସୁନାର କଇଁଚିରେ କାଟିଛି । ୧୦ ତୋଳାର ଏହି ସୁନା କଇଁଚିରେ ଚୁଟି କାଟିବା ପରେ ଗ୍ରାହକ ମଧ୍ୟ ଖୁସି ହୋଇଥିଲେ ।