କନକ ବ୍ୟୁରୋ : ଭଲ ଫସଲ ହେବା ସହ ଗାଁର ମଙ୍ଗଳ କାମନା କରି ପାଳିଲେ ଆଷାଢ ଟେମରା ମଣ୍ଡେଇ ଯାତ୍ରା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗାଁର ଆରାଧ୍ୟ ଦେବୀ ମା’ବସ୍ତରେ-ନମାଉଲିଙ୍କ ବାର୍ଷିକ ଆଷାଢ ମଣ୍ଡେଇ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଦେବୀଙ୍କ ଲାଠି, କାଳିସୀ ବାଜା ବଜାଇ ଏକ ଶୋଭାଯାତ୍ରାରେ ଦେବୀପିଠକୁ ପହଞ୍ଚିଥାନ୍ତି । ଏହାପରେ ଆମପାଣି ଗାଁରୁ ବୁଢାରଜା, ଡେଙ୍ଗାଗୁଡା ଗାଁରୁ ହିଙ୍ଗୁଳା, ଲଙ୍କେଶ୍ୱରୀ ଓ ଦ୍ୱାରସିନୀ ଦେବୀଙ୍କ ଲାଠି ଓ କାଳିସୀ ଦେବୀପୀଠକୁ ପହଞ୍ଚିଥାନ୍ତି। ପ୍ରଥମେ ପୀଠରେ ପୂଜାର୍ଚ୍ଚନା ପରେ ଦେବୀମାନଙ୍କ ମଣ୍ଡେଇ ହାଟ ପରିକ୍ରମା କରିଥାଏ। ପୁରୁଷାନୁ କ୍ରମେ ପ୍ରତିବର୍ଷ ବାହୁଡା ଯାତ୍ରା ପରେ ପଡୁଥିବା ଶୁକ୍ରବାର ଦିନ ମଣ୍ଡେଇ ଯାତ୍ରା ପାଳିତ ହୋଇଥାଏ। ଗାଁର ଆରାଧ୍ୟା ଦେବୀ ମା ବସ୍ତରେ-ନମାଉଲିଙ୍କ ମୂଳ ପୀଠ ଛତିଶଗଡ଼ ଦନ୍ତେୱାଡାରେ ହୋଇଥିବା ବେଳେ ସେଠାରୁ ମାଙ୍କୁ ଆଣି ଟେମରା ଗାଁରେ ସ୍ଥାପନ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନାଗବଂଶୀ ରାଜା ଅମଳରେ ଏହି ଯାତ୍ରାକୁ ଆଷାଢ଼କେନା ମଣ୍ଡେଇ ଯାତ୍ରା କୁହାଯାଉଥିଲା। ଆଷାଢ଼ ମାସ ପ୍ରାରମ୍ଭରେ ଚାଷ ପାଇଁ ଚାଷୀ ବିହୁଡା ଓ ରୁଆ ପ୍ରସ୍ତୁତି ଆରମ୍ଭ କରନ୍ତି। ହେଲେ କୋକସରାରେ ମଣ୍ଡେଇ ଯାତ୍ରା ସରିବା ପରେ ଚାଷୀ ଜମିରେ ଘାସବଛା, ବିହୁଡା ଓ ରୁଆ କାର୍ୟ୍ୟ ଆରମ୍ଭ କରିଥାନ୍ତି।