ଖୋଲା ଆକାଶ ତଳେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ମିଳୁନି ଟୋକନ୍, ଅଦିନିଆ ବର୍ଷା ବଢାଉଛି ସଙ୍କଟ, ଚିନ୍ତାରେ ଚାଷୀ ।

169

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଚାଷୀଙ୍କ ୨ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡିରହିଛି । ଗୋଟିଏ ପଟେ ଟୋକନ ମିଳିନଥିବା ବେଳେ ଅନ୍ୟପଟେ ଅଦିନିଆ ବର୍ଷା, ଚାଷୀଙ୍କୁ ସଂକଟ ପରିସ୍ଥିତିରେ ପକାଇ ଦେଇଛି । ବର୍ଷାରେ ଧାନ ଭିଜି ଯାଇଥିବାରୁ ଗୁଣାବତା ହରାଇବା ଆଶଙ୍କା କରୁଛନ୍ତି ଚାଷୀ ।

କଳାହାଣ୍ଡି କୋକସରା ବ୍ଳକ ଟେମରା ସେବା ସମବାୟ ସମିତି ଅଧିନରେ ଥିବା ଡେଙ୍ଗାଗୁଡା ଟେମରା ମଣ୍ଡିର ଚିତ୍ର ଦେଖି ଚାଷୀଙ୍କ ହୋସ୍ ଉଡିଯାଉଛି । ଧାନ ବିକ୍ରି ପାଇଁ ଟୋକନ ମିଳୁନଥିବା ବେଳେ ଅଦିନିଆ ବର୍ଷା ଚାଷୀ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଟେମରା ସେବା ସମବାୟ ସମିତି ଅଧିନରେ ରହିଛି ଟେମରା, ଡେଙ୍ଗାଗୁଡା ଓ ଡୁଡୁକାଠେଙ୍ଗାର ଭଳି ୩ଟି ମଣ୍ଡି । ଏସବୁ ମଣ୍ଡି ଜରିଆରେ ୨୬ ଜାନୁୟାରୀ ସୁଦ୍ଧା ୧୨୭୭ ଜଣ ଚାଷୀଙ୍କ ଠାରୁ ୮୬ ହଜାର ୬୦୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି । ଏବେ ବି କ୍ୱିଂଟାଲ କ୍ୱିଂଟାଲ ଧାନ ମଣ୍ଡିରେ ପଡି ରହିଛି । ଟୋକନ ପାଇଁ ପଞ୍ଜିକରଣ କରିଥିବା ପ୍ରାୟ ୧୩୦ ଜଣ ଚାଷୀଙ୍କ ଟୋକନ ଜେନେରେଟ୍ ହୋଇ ପାରୁନଥିବାରୁ ଧାନବିକ୍ରୀ ହୋଇ ପାରୁନାହିଁ ।

ଯୋଗାଣ ବିଭାଗ କଳାହାଣ୍ଡି ଜିଲ୍ଲାରେ ଜାନୁୟାରୀ ମାସରୁ ଖରିଫ ଧାନକ୍ରୟ ପ୍ରକ୍ରିୟା ବନ୍ଦ କରି ଦେଇଥିଲା । ପରେ ବହୁ ଆନ୍ଦୋଳନ ପରେ ମଣ୍ଡିରେ ପଡିଥିବା ଧାନ କିଣାଯାଇଥିଲା । ହେଲେ ଏବେ ବି ବହୁ ଚାଷୀ ମଣ୍ଡିରେ ଧାନ ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଆଉ ଏତିକି ବେଳେ ଅଦିନିଆ ବର୍ଷାରେ ଧାନ ଭିଜି ଯାଇଛି । ଯାହାର ଗୁଣାବତାକୁ ନେଇ ଚାଷୀ ଆଶଙ୍କା କରିଛନ୍ତି । ଏନେଇ ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ କହିଛନ୍ତି ଟୋକନ ଓ ଟାର୍ଗେଟ ସହ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଆସିଲେ ଧାନ କିଣାଯିବ ।

ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ କହୁଛନ୍ତି ଧାନ କିଣିବା ପାଇଁ ସରକାର ପୁନର୍ବାର ଅନୁମତି ଦେଲେ ଡେଙ୍ଗାଗୁଡା ମଣ୍ଡିରେ ପଡିଥିବା ଧାନ କିଣାଯିବ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଏଭଳି ପ୍ରତିକ୍ରିୟା ଶୁଣିବା ପରେ ଚାଷୀଙ୍କ ଆଶଙ୍କା ଆହୁରୀ ବଢି ଯାଇଛି ।