ଧାନ ବିକିଲେ ଝିଅର ବାହାଘର ହେବ । କିନ୍ତୁ ୨୦ଦିନ ହେଲାଣି ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ, ସାରା ରାତି ଧାନ ଜଗି ରହୁଛନ୍ତି ଚାଷୀ ।

145

କନକ ବ୍ୟୁରୋ : କୋକସରାରେ ଚାଷୀଙ୍କୁ ଟୋକନ ମିଳିଛି, ଚାଷୀ ଧାନ ଆଣି ମଣ୍ଡିରେ ରଖିଛି । କିନ୍ତୁ ୨୦ ଦିନ ହେଲା ଧାନ କିଣୁନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ । ତେଣୁ ଶୀତ କାକରରେ ଧାନ ଜଗି ରହିଛନ୍ତି ଚାଷୀ । ଡାଲଗୁମା ମଣ୍ଡିରେ ଟାର୍ଗେଟ ଅଭାବରୁ ଧାନ ବିକ୍ରି କରିପାରୁନାହାନ୍ତି ୩୩ଜଣ ଚାଷୀ ।

୨୦ ଦିନ ହେବ ମଣ୍ଡିରେ ପଡିରହିଛି ଧାନ । କୋକସରା ବ୍ଲକ ଡାଲଗୁମା ମଣ୍ଡିରେ ଧାନ ବିକିବା ପାଇଁ ଟୋକନ ମିଳିବା ପରେ ଚାଷୀ ଧାନ ଆଣିଛନ୍ତି । କିନ୍ତୁ ଟାର୍ଗେଟ ନଥିବାରୁ ଧାନ ବିକ୍ରି ହୋଇପାରୁନି । ଆଉ ଚାଷୀ ଘରଦ୍ୱାର ଛାଡି ଶୀତ କାକରରେ କଷ୍ଟ ଉପାର୍ଜିତ ଅମଳକୁ ଜଗି ରହିଛନ୍ତି । ଚିତାମୁଣ୍ଡାର ଚାଷୀ ନେପୁର ଘି, ଧାନ ବିକିଲେ ଝିଅ ବାହାଘର କରିବେ । ହେଲେ ପ୍ରଥମ ଦଫାରେ ଧାନ ବିକି ପାରିଲେ ନାହିଁ କି ଏବେ ତାଙ୍କ ପାଳି ପଡିବ କି ନାହିଁ ତା’ ସ୍ପଷ୍ଟ ହୋଇପାରୁନାହିଁ । ନେପୁରଙ୍କ ଭଳି ଅନେକ ଚାଷୀ ଏମିତି ଆଶା ଆଶଙ୍କାରେ ରହିଛନ୍ତି ।

ଖରିଫ ଋତୁରେ ଧାନ ବିକିବା ପାଇଁ ୩୬୯ଜଣ ଚାଷୀ ପଂଜିକରଣ କରିଛନ୍ତି । ୨୩ ନଭେମ୍ବରରୁ ଜାନୁଆରୀ ୨୩ ସୁଦ୍ଧା ୩୪୮ ଜଣ ଚାଷୀଙ୍କ ଠାରୁ ୧୭ହଜାର ୭୪୧ କ୍ୱିଂଟାଲ ଧାନ କିଣା ହୋଇଛି । ଏବେ ଆଉ ୩୩ଜଣ ଚାଷୀଙ୍କ ପ୍ରାୟ ୨ହଜାର କ୍ୱିଂଟାଲ ଧାନ ମଣ୍ଡିରେ ପଡିରହିଛି । ଟାର୍ଟେଟ୍ କମ୍ ଥିବାରୁ ଧାନ କିଣାରେ ସମସ୍ୟା ହେଉଛି । ସାରା ରାଜ୍ୟରୁ ଏଭଳି ଖବର ଆସୁଛି । ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ ।

ଡାଲଗୁମା ମଣ୍ଡିରେ ଅଧିକ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟକୁ ବଢାଇବାକୁ ପ୍ରଶାସନକୁ ଅନୁରୋଧ କରିଛି ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ । ହେଲେ କିଛି ଲାଭ ମିଳୁନାହିଁ । ଖୁବଶୀଘ୍ର ଧାନ ଉଠାଣ ନହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ କହିଛନ୍ତି ଟାଗେର୍ଟ ଆସିଲେ ଧାନ କିଣାଯିବ ।