କନ୍ଦାଇଦେବ କୋଇଡ଼ାର କରୁଣ କାହାଣୀ : ଅଇଁଠା ଖଲିକୁ ଚାଟି ଚାଟି ଖାଉଛି କୁନି ପୁଅ; ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ 

ମାଟି ତଳେ ଭରି ରହିଛି ଅମୂଲ୍ୟ ଖଣି; ହେଲେ ମାଟି ଉପରେ ରହୁଥିବା ପିଲାର ଭୋକରେ ପୋଡ଼ ଯାଉଛି ପେଟ

328

କନକ ବ୍ୟୁରୋ : ଏମିତି ଏକ ଦୃଶ୍ୟ… ଯାହା ଆପଣଙ୍କ ଆଖିରେ ହୁଏତ ଲୁହ ଆଣିଦେଇପାରେ । ଖଣି ଖାଦାନ ଭରା ସୁନ୍ଦରଗଡ କୋଇଡାରୁ ଆସିଛି ଦାରିଦ୍ର୍ୟର କରୁଣ କାହାଣୀ । ମାଟି ଭିତରେ କେତେ ଅମୂଲ୍ୟ ସଂପଦ ଭରି ରହିଛି । ହେଲେ ମାଟି ଉପରେ ରହୁଥିବା ଲୋକଙ୍କ ପେଟ ପୋଡିଯାଉଛି । ଛୋଟିଆ ପୁଙ୍ଗୁଳା ଛୁଆଟିଏ, ରାସ୍ତା କଡରେ ପଡିଥିବା ଅଇଁଠା ଖଲିକୁ ଚାଟି ଖାଇ ଯାଉଛି । ଏହି ଗୋଟିଏ ଚିତ୍ର  ସରକାରଙ୍କ ଶହ ଶହ ଯୋଜନା ଉପରେ ହଜାରେ ପ୍ରଶ୍ନ ଛିଡା କରୁଛି ।  ଏମିତି କ’ଣ ପରିସ୍ଥିତି ହେଲା ଯେ, ଏହି କୁନି ଛୁଆଟି ରାସ୍ତାରେ ପଡିଥିବା ଅଇଁଠା ଖଲି ଚାଟି ପେଟର ଭୋକ ମେଣ୍ଟାଇଲା । ବେଶ କିଛି ଦିନ ହେବ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଦୃଶ୍ୟ ।

ଭିଡିଓଟି ନଜରକୁ ଆସିବା ପରେ ଘଟଣା ପଛର ସତ୍ୟାସତ୍ୟ ଜାଣିବା ପାଇଁ କୋଇଡାର ତାଡୁଗୋଠ ଗାଁରେ ପହଂଚିଥିଲେ ଆମ ପ୍ରତିନିଧି । ଆଉ ସେଠାରେ ଯାହା ଦେଖିଲେ, ତାହା ବିଶ୍ୱାସ ନହେଲା ଭଳି । ଖଣି ଖାଦାନ ଭରା ଅଂଚଳରେ ଥିଲା ଠିକ ନଗଡା ଭଳି ଚିତ୍ର । ଏହି ପଡାରେ ୧୦ରୁ ୧୨ଟି ପରିବାର ବସବାସ କରନ୍ତି । ସେଠାକାର ଜଣେ ବାସିନ୍ଦା ରାବଣ ମୁଣ୍ଡାଙ୍କ ତିନି ଛୁଆଁଙ୍କୁ ନେଇ ତେଲ ଲୁଣର ସଂସାର ।  ଖାଦ୍ୟ ଅଭାବ ଯୋଗୁଁ ଦିନକୁ ଓଳିଏ ଖାଇବାକୁ ନପାଇ ଅପପୁଷ୍ଟିର ଶିକାର ହୋଇଛନ୍ତି । କିଛି ମାସ ହେବ ରାବଣଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ଏବେ ପିଲାଙ୍କ ଦାୟିତ୍ୱ ରାବଣ ଉପରେ ପଡିଛି । ହେଲେ ବାହାରକୁ କାମ ପାଇଁ ନ ଗଲେ ତିନି ପିଲାଙ୍କ ମୁହଁରେ ଆହାର ଦେବେ କିପରି ? ତେଣୁ ପିଲାଙ୍କୁ ଘରେ ଛାଡି ସେ କାମରେ ଯାଇଥିବା ବେଳେ ଭୋକର ଦାଉରେ ଜଳୁଥିଲେ ତିନି ପିଲା ।

ଆଉ ପେଟର ଜ୍ୱଳା ସହିନପାରି କୁନି ଶିଶୁଟି ରାସ୍ତାକଡରେ ଭୋଜି ପରେ ଫୋପାଡି ଦେଇଥିବା ଖଲିକୁ ଚାଟି ଖାଇଥିଲା ।  ଏନେଇ ପିଲାର ବାପାକୁ ପଚାରିବାରୁ ସେ କହିଛନ୍ତି, ଛୁଆଙ୍କୁ ଛାଡି କାମ କରିବାରୁ ଗଲେ ଏଣେ ତେଣେ ବୁଲା ବୁଲି କରୁଛନ୍ତି । ତେଣୁ ଏବେ କାମ ଧନ୍ଦା ଛାଡି ଛୁଆଙ୍କୁ ଜଗି ରହିଛନ୍ତି । ପଂଚାୟତରୁ ମିଳୁଥିବା ଚାଉଳ ଓ ଜାଳେଣୀ କାଠ ବିକ୍ରି କରି ପରିବାର ଚଳାଉଛନ୍ତି । ତାଡୁଗୋଠ ଗାଁର ଉପର ମୁଣ୍ଡରେ ଲୁହା ଖଣି ଥିଲେ ମଧ୍ୟ କୌଣସି ସୁବିଧା ମିଳୁନଥିବାରୁ ମହିଳା ସମେତ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ସେହିପରି ପଡାର ମହିଳାମାନେ ଅଭିଯୋଗ କରିଛନ୍ତି, ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୁଇରୁ ତିନି ମାସରେ ଥରେ ମିଳେ ।