କନକ ବ୍ୟୁରୋ : ଭାରତୀୟ କ୍ରିକେଟର ତଥା ରନ୍ ମେସିନ ବିରାଟ କୋହଲିଙ୍କ ପ୍ରଂଶସାରେ ଶତମୁଖ ପାକିସ୍ତାନର ପୂର୍ବତନ ବୋଲର ୱାକର ୟୁନିସ ।  ୱାକର କହିଛନ୍ତି, କୋହଲିଙ୍କ କ୍ରିକେଟ କ୍ୟାରିୟର ଏବେ ଶେଷ ହୋଇନି । କୋହଲି ଆଉ କିଛି ବର୍ଷ କ୍ରିକେଟ ଖେଳିବେ । ଯାହା କେହି ଭାବି ନଥିବେ ତାହା ଠାରୁ ଅଧିକ ଶତକ ହାସଲ କରିବେ କୋହଲି । ୩୪ ବର୍ଷୀୟ କୋହଲି ନିଜ କ୍ରିକେଟ କ୍ୟାରିୟର ଶେଷ ଆଉ କିଛି ଶତକ ସହ କରିବେ । କାରଣ କୋହଲି ସମସ୍ତଙ୍କ ଠାରୁ ଭିନ୍ନ । ସଚିନଙ୍କର ଯେବେ ଦିନିକିଆ କ୍ୟାରିୟର ଶେଷ ହୋଇଥିଲା ସେବେ ତାଙ୍କ ନାଁରେ ମାତ୍ର ୪୯ଟି ଶତକ ରହିଥିଲା । କିନ୍ତୁ କୋହଲି ଏବେ ସଚିନଙ୍କ ରେକର୍ଡ ପାଖାପାଖି ପହଞ୍ଚିଲେଣି । ଦିନିକିଆରେ ୪୭ତମ ଶତକ ହାସଲ କଲେଣି କୋହଲି । ଆଗକୁ ଆହୁରି ଅନେକ କ୍ରିକେଟ ଖେଳିବେ କୋହଲି, ତେଣୁ ଏତେ ଶତକର ଅଧିକାରୀ ହେବେ ଯାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଦମଦାର ଶତକ ହାସଲ ପରେ କୋହଲିଙ୍କୁ ଏଭଳି ପ୍ରଂଶସା କରିଛନ୍ତି ୱାକର ।

Advertisment

ଏହାସହ ରାହୁଲଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ୱାକର ।  ସେ କହିଛନ୍ତି, ଆହତ ସମସ୍ୟାରୁ ସୁସ୍ଥ ହେବା ପରେ ରାହୁଲଙ୍କୁ କୋହଲିଙ୍କ ସହ ଢେର ଦୌଡିବାକୁ ପଡିଲା । କାରଣ କୋହଲି ଯେତେବେଳେ ପିଚରେ ରହିଥାନ୍ତି ସେତେବେଳେ ଗୋଟିଏ ବି ସିଙ୍ଗଲ ରନ୍ ଛାଡନ୍ତି ନାହିଁ । କାରଣ ମୈଦାନରେ ଥିବା ବେଳେ କୋହଲି ସବୁବେଳେ ନିଜର ବେଷ୍ଟ ଦେବାକୁ ଚାହିଁଥାନ୍ତି । ବ୍ୟାଟିଂ, ଫିଲ୍ଡିଂ ଅବା ରନ୍ ନେବାରେ ଟିକିଏ କେଉଁଠି ଢିଲା କରନ୍ତିନି କୋହଲି । ଯାହା ତାଙ୍କୁ ବିଶ୍ୱର ଶ୍ରେଷ୍ଠ କ୍ରିକେଟର ଭାବେ ପରିଚୟ ଦେଇଛି ।

ଚଳିତ ଏସିଆ କପର ସୁପର-୪ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ ସହ ଦିନିକିଆରେ ନିଜ ନାଁରେ ୪୭ ତମ ଶତକ ଯୋଡିଥିଲେ କୋହଲି । ଏହାସହ ଦିନିକିଆରେ ୧୩ ହଜାର ରନ୍ ମଧ୍ୟ ପୂରା କରିଛନ୍ତି ବିରାଟ । ଏହି ଶତକୀୟ ଇନିଂସ ଜରିଆରେ କୋହଲି ନିଜର ସମାଲୋଚକଙ୍କ ମୁହଁ ମଧ୍ୟ ଚୁପ୍ କରିଛନ୍ତି । ଗ୍ରୁପ୍ ପର୍ଯ୍ୟାୟରେ କୋହଲି ବଡ ଇନିଂସ ଖେଳି ନ ପାରିବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏପରିକି ତାଙ୍କର ଫର୍ମକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶତକ ହାସଲ ସହ ଜବରଦସ୍ତ କମବ୍ୟାକ୍ କରିଥିଲେ କୋହଲି ।  ଦିନିକିଆରେ ସଚିନଙ୍କ ପରେ କୋହଲି ଦ୍ୱିତୀୟ ସର୍ବାଧିକ ଶତକ ହାସଲକାରୀ । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ସହ ବିଶ୍ୱକପ ରହିଛି ତେଣୁ କୋହଲି ଦିନିକିଆରେ ସଚିନଙ୍କ ଶତକ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟପ୍ରେମୀଙ୍କ ଆଶା ରହିଛି ।

ଚଳିତ ଏସିଆ କପର ଫାଇନାଲରେ ଏଣ୍ଟ୍ରି କରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ମାତ୍ ଦେଇ ଲଗାତାର ୨ୟ ବିଜୟ ସହ ଭାରତ ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ ହାତେଇଛି । ସୁପର-୪ର ଶେଷ ମୁକାବିଲା ବାଂଲାଦେଶ ସହ ଖେଳିବ ଭାରତ । ପରେ ୧୭ ତାରିଖରେ ଏସିଆ କପ୍ ଟାଇଟଲ ପାଇଁ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ ।