ରୋହିତଙ୍କୁ ଉପ-ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ କୋହଲି? ଜାଣନ୍ତୁ କାହିଁକି?

1,269

କନକ ବ୍ୟୁରୋ : ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିବା ପରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ପଦରୁ ହଟାଇବାକୁ କୋହଲି ଚାହୁଁଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏନେଇ ଟିମ୍ ଇଣ୍ଡିଆର ଚୟନକର୍ତ୍ତାଙ୍କ ନିକଟରେ କୋହଲି ପ୍ରସ୍ତାବ ରଖିଥିଲେ ବୋଲି ଖବର ସାମ୍ନାକୁ ଆସୁଛି । କିନ୍ତୁ ସବୁଠୁ ବଡ କଥା ହେଲା, ରୋହିତ ଶର୍ମାଙ୍କ ସହ ଆଲୋଚନା ପରେ କୋହଲି ଟି-୨୦ ଅଧିନାୟକ ପଦ ଛାଡିଥିବା କହିଛନ୍ତି । ଆଉ ଏହା ଭିତରେ ବିରାଟଙ୍କୁ ନେଇ ଏଭଳି ଏକ ଖବର କ୍ରିକେଟପ୍ରେମୀଙ୍କୁ ତାଜୁବ କରିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ ପଦରୁ ହଟାଇବାକୁ ବିରାଟ କୋହଲି ଚୟନକର୍ତ୍ତା ନିକଟରେ ପ୍ରସ୍ତାବ ରଖିଥିଲେ । ଆଉ ଏହାର କାରଣରେ କହିଥିଲେ ଯେ, ରୋହିତଙ୍କୁ ଏବେ ୩୪ ବର୍ଷ ହେଲାଣି । ତେଣୁ ତାଙ୍କ ବଦଳରେ ଦିନିକଆରେ କେ.ଏଲ ରାହୁଲ ଓ ଟି-୨୦ରେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଉ । କିନ୍ତୁ କୋହଲିଙ୍କ ଏଭଳି ପ୍ରସ୍ତାବ ବୋର୍ଡ ଗ୍ରହଣ କରିନଥିଲା । ଆଉ ଏହାପରେ କୋହଲି ଟି-୨୦ କ୍ୟାପଟେନ ପଦ ଛାଡିଥିବା କୁହାଯାଉଛି ।

ଏହାସହ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଟିମର ଅଧିନାୟକ ଭାବେ କୋହଲି ସବୁ ଖେଳାଳୀଙ୍କ ସମର୍ଥନ ହାସଲ କରିପାରିନଥିଲେ । ଜଣେ ପୂର୍ବତନ କ୍ରିକେଟରଙ୍କ କହିବା ଅନୁଯାୟୀ, ବିରାଟଙ୍କ ସହ ବାର୍ତ୍ତାଳପ କରିବା ଏତେ ସହଜ ନୁହେଁ । ପୂର୍ବତନ ଅଧିନାୟକ ରହିଥିବା ଧୋନିଙ୍କ ଦ୍ୱାର ସବୁବେଳେ ସାଥୀ ଖେଳାଳୀଙ୍କ ପାଇଁ ଖୋଲା ରହୁଥିଲା । ନିଜ ନିଜର ସମସ୍ୟା ନେଇ ପ୍ରତି ଖେଳାଳୀ ଧୋନିଙ୍କୁ ଭେଟି ପାରୁଥିଲେ । ଧୋନିଙ୍କ ସହ ଖେଳିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ କେଉଁଥିରେ ବାରଣ ନଥିଲା । କିନ୍ତୁ ପଡିଆ ବାହାରେ କୋହଲିଙ୍କ ସହ ବାର୍ତ୍ତାଳପ କରିବା ଖେଳାଳୀଙ୍କ ପାଇଁ ଏତେ ସହଜ ନଥିଲା । ଯେଉଁଥିପାଇଁ ଜୁନିୟର ଖେଳାଳୀଙ୍କ ସର୍ମଥନ କୋହଲିଙ୍କୁ ମିଳୁନଥିଲା ବୋଲି କୁହାଯାଉଛି ।

ଅନ୍ୟପଟେ କୋହଲି-ରୋହିତଙ୍କ ମଧ୍ୟରେ ବିବାଦ ଥିବା ନେଇ ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏପରିକି ୨୦୧୯ ବିଶ୍ୱକପ ସମୟରେ ରୋହିତ ଓ କୋହଲି ପରସ୍ପର ସହ କଥା ହେଉନଥିବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏହାକୁ ପରବର୍ତ୍ତୀ ସମୟରେ ଖଣ୍ଡନ କରିଥିଲେ କୋଚ୍ ରବି ଶାସ୍ତ୍ରୀ । ଏପରିକି ରୋହିତ ସୋସିଆଲ ମିଡ଼ିଆରେ କୋହଲିଙ୍କୁ ଅନଫଲୋ କରିଥିବା ନେଇ ଚର୍ଚ୍ଚା ହୋଇଥିଲା କିନ୍ତୁ ଏଥିରେ କୌଣସି ସତ୍ୟତା ନଥିବା ପରେ ଜଣାପଡିଥିଲା ।