କନକ ବ୍ୟୁରୋ : ଗୁରୁବାର ସନ୍ଧ୍ୟା ୫ଟା ୫୩ ମିନିଟ୍ । କ୍ୟାପଟେନ କୋହଲିଙ୍କ ଟ୍ୱିଟର ଆକାଉଣ୍ଟରୁ ଆସିଲା ଟ୍ୱିଟ୍ । ଯାହା ପୂରା ଭାରତୀୟ କ୍ରିକେଟପ୍ରେମୀଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରି ଦେଲା । ଭାରତର ପତାକା ଓ ହାର୍ଟ ଚିହ୍ନର କ୍ୟାପସନ ରଖି ବିରାଟ ଏକ ଚିଠି ସେୟାର କରିଥିଲେ । ୩ ପାରାର ଏହି ଚିଠିରେ ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଥିଲେ ବିରାଟ । ତେବେ ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବା ନେଇ ସ୍ପଷ୍ଟ କରିଥିଲେ ବିରାଟ ।
🇮🇳 ❤️ pic.twitter.com/Ds7okjhj9J
— Virat Kohli (@imVkohli) September 16, 2021
ଟ୍ୱିଟରରେ ବିରାଟ ଲେଖିଛନ୍ତି, ଭାରତକୁ ପ୍ରତିନିଧିତ୍ୱ କରିବା ଓ ଟିମ୍ ଇଣ୍ଡିଆର ଅଧିନାୟକ ରହିବା ଗର୍ବର ବିଷୟ । ଆଉ ଏହି ଯାତ୍ରାରେ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ । ଟିମର ସମସ୍ତ ଖେଳାଳୀ, ସର୍ପୋଟ ଷ୍ଟାଫ୍, ଚୟନ କିମିଟି, କୋଚ୍ ଓ ସମସ୍ତ ଭାରତୀୟ ଯେଉଁମାନେ ଆମର ବିଜୟ ପାଇଁ ପ୍ରାର୍ଥନା କରନ୍ତି ସେମାନଙ୍କ ବିନା ଏହି ଯାତ୍ରା ସମ୍ଭବ ନଥିଲା ।
ବିରାଟ କହିଛନ୍ତି, ଗତ ୮ରୁ ୯ ବର୍ଷ ହେବ ଟିମ୍ ଇଣ୍ଡିଆ ପାଇଁ ୩ଟି ଫର୍ମାଟରେ ନିୟମିତ ଭାବେ ଖେଳି ଆସୁଛି । ଏପରିକି ୫ରୁ ୬ ବର୍ଷ ହେବ ଦଳର ଅଧିନାୟକ ରହିଛି । ତେଣୁ ଖେଳର ଚାପ ଯଥେଷ୍ଟ ଅଧିକ ରହିଛି । ତେଣୁ ଚାପକୁ କିଛି ମାତ୍ରାରେ କମାଇବା ସହ ଦିନିକିଆ ଓ ଟେଷ୍ଟ ମ୍ୟାଚର ଅଧିନାୟକ ଭାବେ ନିଜକୁ ଅଧିକ ପ୍ରସ୍ତୁତ କରିବାକୁ ଚାହୁଁଛି । ଟି-୨୦ ଅଧିନାୟକ ଭାବେ ଦଳକୁ ଶତପ୍ରତିଶତ ଦେଇଛି ଏବଂ ଆଗକୁ ଟି-୨୦ ଟିମରେ ବ୍ୟାଟମ୍ୟାନ ଭାବେ ଖେଳିବାକୁ ଚାହୁଁଛି ।
ଶେଷ ପାରାରେ ବିରାଟ ଲେଖିଛନ୍ତି, ଏଭଳି ନିଷ୍ପତ୍ତି ନେବାକୁ ଟିକେ ସମୟ ଲାଗିଥାଏ । କିନ୍ତୁ ରବି ଶାସ୍ତ୍ରୀ, ଘନିଷ୍ଠ ସମ୍ପର୍କୀୟ ଓ ରୋହିତଙ୍କ ସହ ଆଲୋଚନା ପରେ ଟି-୨୦ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛି । ଦୁବାଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବି । ଏନେଇ ବିସିସିଆଇ ସଭାପତି ଓ ସମ୍ପାଦକଙ୍କ ସହ କଥା ହୋଇଛି । ତେବେ ଟିମ୍ ଇଣ୍ଡିଆ ପାଇଁ ଆଗକୁ ଭଲ ପ୍ରଦର୍ଶନ କରିବି ବୋଲି କହିଛନ୍ତି ବିରାଟ ।