କନକ ବ୍ୟୁରୋ : ଏସିଆ କପର ସୁପର-୪ ମୁକାବିଲା ଆଜିଠାରୁ ଆରମ୍ଭ ହେବ । ସୁପର-୪ରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସାମିଲ ହୋଇଛନ୍ତି । ଯାହା ସୁପର-୪ ମୁକାବିଲାକୁ ଆହୁରି ରୋଚକ କରିବ । ତେବେ ରବିବାର ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ରବିବାର ଦୁବାଇ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଏହି ହାଇଭୋଲଟେଜ ମୁକାବିଲା ପାଇଁ ପୂରା ବିଶ୍ୱ ଚାହିଁ ରହିଛି । ତେବେ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ପଡିଆରେ ଜୋରଦାର ପ୍ରାକ୍ଟିସ ଆରମ୍ଭ କରିଛନ୍ତି । ଆଉ ଏହି ପ୍ରାକ୍ଟିସର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । କୋହଲି ଏକ ସ୍ୱତନ୍ତ୍ର ମାସ୍କ ପିନ୍ଧି ପଡିଆରେ ପ୍ରାକ୍ଟିସ କରୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

Advertisment

କୋହଲି ହାଇ-ଅଲଟିଟ୍ୟୁଡ ମାସ୍କ ପିନ୍ଧି ପଡିଆରେ ପ୍ରାକ୍ଟିସ କରିଛନ୍ତି । ତେବେ ଏହି ମାସ୍କ କରୋନା ପାଇଁ କି ଅନ୍ୟ କୌଣସି ସମସ୍ୟା ପାଇଁ ନୁହେଁ ବରଂ ଏହା ଏକ ଅତ୍ୟାଧୁନିକ ମାସ୍କ ଯାହାର ଉପଯୋଗ ଆଥଲେଟ ମାନେ ନିଶ୍ୱାସ ନେବା ଓ ମାଂସପେଶୀକୁ ମଜବୁତ କରିବା ସହ ଫୁସଫୁସର କ୍ଷମତା ବଢାଇବା ପାଇଁ କରିଥାନ୍ତି । ଯାହାର ବ୍ୟବହାର ଏବେ କୋହଲି କରୁଛନ୍ତି । ଯାହା ଦର୍ଶାଉଛି ଆଗାମୀ ମ୍ୟାଚ୍ ପାଇଁ କୋହଲି ନିଜକୁ କିପରି ପ୍ରସ୍ତୁତ କରୁଛନ୍ତି ।

ଏସିଆ କପରେ କୋହଲି ପୁଣିଥରେ ନିଜର ପୁରୁଣା ଲୟକୁ ଫେରିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ ୩୫ ଓ ହଂକଂ ବିପକ୍ଷ ମ୍ୟାଚରେ ୫୯ ରନର ଇନିଂସ ଖେଳି ପୁଣିଥରେ ଫର୍ମକୁ ଫେରିଛନ୍ତି କୋହଲି । ତେବେ ପାକିସ୍ତାନ ବିପକ୍ଷ ଆଗାମୀ ମ୍ୟାଚରେ ମଧ୍ୟ କୋହଲିଙ୍କ ବ୍ୟାଟରୁ ବିସ୍ଫୋରକ ଇନିଂସର ଆଶା ରଖିଛନ୍ତି କ୍ରିକେଟ ପ୍ରଶଂସକ । ଏହାପୂର୍ବରୁ ପାକିସ୍ତାନ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ମଧ୍ୟ ଜବରଦସ୍ତ ରହିଛି । ୨୦୧୬ ଓ ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ କୋହଲି । ଏପରିକି ଦିନିକିଆରେ କୋହଲିଙ୍କ ସର୍ବାଧିକ ସ୍କୋର ପାକିସ୍ତାନ ବିପକ୍ଷରେ ହିଁ ରହିଛି । ଆଉ ନିଜର ସର୍ବାଧିକ ସ୍କୋର ଏସିଆ କପରେ ହିଁ କରିଥିଲେ କୋହଲି ।

ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ପାକିସ୍ତାନ ବିପକ୍ଷ ଲିଗ୍ ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟ ପଛର ହିରୋ ରହିଥିବା ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଏସିଆ କପରୁ ବାଦ୍ ପଡିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଜାଡେଜା ୩୫ ରନର ଇନିଂସ ଖେଳି ଭାରତର ବିଜୟକୁ ସହଜ କରିଥିଲେ । ଆହତ ହୋଇ ଜାଡେଜା ଏସିଆ କପରୁ ବାଦ୍ ପଡିଥିବା ବେଳେ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି । ସୁପର-୪ରେ ଭାରତ ୩ଟି ମ୍ୟାଚ୍ ଖେଳିବ । ପାକିସ୍ତାନ ବ୍ୟତୀତ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସହ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ । ତେଣୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଜିତି ଏସିଆ କପର ଫାଇନାଲ ପାଇଁ ନିଜର ଦାବିଦାରକୁ ଆହୁରି ଦୃଢ କରିବ ଟିମ୍ ଇଣ୍ଡିଆ ।