୫୫୫ ଦିନ ପରେ ପୁଣିଥରେ ଆରସିବିର ମଙ୍ଗ ଧରିଲେ କୋହଲି । ପଞ୍ଜାବ ବିପକ୍ଷରେ ହାସଲ କଲେ ଅର୍ଦ୍ଧଶତକ ।

415

କନକ ବ୍ୟୁରୋ : ପୁଣି ଦଳର ମଙ୍ଗ ସମ୍ଭାଳିଲେ କ୍ୟାପଟେନ କୋହଲି । ଦୀର୍ଘ ୫୫୫ ଦିନ ପରେ ଆରସିବିର ଅଧିନାୟକ ଭାର ସମ୍ଭାଳିଛନ୍ତି ବିରାଟ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚରେ ବିରାଟଙ୍କୁ ପୁଣିଥରେ ଅଧିନାୟକ ଭାବେ ଦେଖିବାକୁ ମିଳିଛି । ଦଳର ନିୟମିତ ଅଧିନାୟକ ଡୁ-ପ୍ଲେସିସ ଇମ୍ପାକ୍ଟ ପ୍ଲେୟାର ଭାବେ ମୈଦାନକୁ ଓହ୍ଲାଇଛନ୍ତି । ଆଘାତ କାରଣରୁ ଡୁ-ପ୍ଲେସିସ ଫିଲ୍ଡିଂ କରିପାରିବେ ନାହିଁ । ତେଣୁ ଡୁ-ପ୍ଲେସିସ ନିଜକୁ ଇମ୍ପାକ୍ଟ ପ୍ଲେୟାର ଭାବେ ସାମ୍ନାକୁ ଆଣିଛନ୍ତି ।

ବିରାଟ କୋହଲି ଶେଷଥର ପାଇଁ ୧୧ ଅକ୍ଟୋବର ୨୦୨୧ରେ ଏଲିମିନେଟର ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । କେକେଆର ବିପକ୍ଷରେ ଏହି ମ୍ୟାଚରେ ଦଳ ପରାଜିତ ହୋଇଥିଲା । ଏଲିମିନେଟର ମ୍ୟାଚରେ ଦଳ ୪ ୱିକେଟରେ ପରାଜିତ ହୋଇଥିଲା । ଏହାପରେ ଆରସିବିର ଅଧିନାୟକ ପଦ ଛାଡି ଦେଇଥିଲେ କୋହଲି । ପରବର୍ତ୍ତୀ ସମୟରେ କୋହଲି ଭାରତୀୟ ଦଳର ଅଧିନାୟକ ପଦ ମଧ୍ୟ ଛାଡିଥିଲେ । କିନ୍ତୁ ଦୀର୍ଘ ଦିନ ପରେ ପୁଣିଥରେ କୋହଲିଙ୍କୁ ଅଧିନାୟକ ଭାବେ ଦେଖିବାକୁ ମିଳିଛି । ଆଉ ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି ।

ବିରାଟ ଏବେ ପର୍ଯ୍ୟନ୍ତ ୧୪୧ ମ୍ୟାଚରେ ଆରସିବିର ମଙ୍ଗ ଧରିଛନ୍ତି । ନିଜ ଅଧିନାୟକତ୍ୱରେ ବିରାଟ ଦଳକୁ ୬୪ଟି ମ୍ୟାଚରେ ବିଜୟୀ କରିଥିବା ବେଳେ ୬୯ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛନ୍ତି । ସେହିଭଳି ୩ଟି ମ୍ୟାଚର କୌଣସି ଫଳାଫଳ ବାହାରିନାହିଁ । ୫୫୫ ଦିନ ପରେ ବିରାଟ ଅଧିନାୟକ ଭାବେ ମୈଦାନକୁ ଓହ୍ଲାଇଥିଲେ । ତେବେ ପଞ୍ଜାବ ବିପକ୍ଷ ମ୍ୟାଚରେ କୋହଲି ଟସ୍ ହାରିଥିଲେ । ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।