କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ତେବେ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ପରେ ଟି-୨୦ ଦଳକୁ ଫେରିଥିବା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେନି । ଏନେଇ ସୂଚନା ଦେଇଛନ୍ତି କୋଚ୍ ରାହୁଲ ଦ୍ରାବିଡ । ବ୍ୟକ୍ତିଗତ କାରଣ ପାଇଁ କୋହଲି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେନି ବୋଲି କହିଛନ୍ତି ରାହୁଲ ।

Advertisment

ଏହାପୂର୍ବରୁ ଶେଷଥର ପାଇଁ ୨୦୨୨ରେ ଟି-୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା ଖେଳିଥିଲେ ବିରାଟ କୋହଲି । ଇଂଲଣ୍ଡ ବିପକ୍ଷରେ ଶେଷଥର ପାଇଁ ଟି-୨୦ ମ୍ୟାଚ୍ ଖେଳିଥିଲେ କୋହଲି । ତେବେ କୋହଲି ଏବେ ଦମଦାର ଫର୍ମରେ ରହିଛନ୍ତି । ଗତ ବିଶ୍ୱକପରେ କୋହଲି ସର୍ବାଧିକ ରନ ସ୍କୋର କରିଥିବା ଖେଳାଳୀ ସାଜିଥିଲେ । ତେବେ ଦୀର୍ଘଦିନ ପରେ କୋହଲି ଟି-୨୦ ଦଳକୁ ଫେରିଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି । ଅନ୍ୟପଟେ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ରୋହିତ ମଧ୍ୟ ଦୀର୍ଘଦିନ ପରେ ଟିମ୍ ଇଣ୍ଡିଆ ପାଇଁ ଟି-୨୦ ମ୍ୟାଚ୍ ଖେଳିବେ । ଯେହେତୁ ୨୦୨୪ରେ ଟି-୨୦ ବିଶ୍ୱକପ ରହିଛି ତେଣୁ ଉଭୟ କୋହଲି ଓ ରୋହିତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି ।