କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ଲୋକାର୍ପିତ ହେବ । ଏଥିପାଇଁ ପୂରା ଦେଶ ଏବେ ରାମ ଭକ୍ତିରେ ଲୀନ ହୋଇଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି କ୍ରିକେଟ ପଡିଆରେ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର ରାମ ଭକ୍ତି ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଙ୍କ ଭଳି ବିରାଟ ପଡିଆରେ ଧନୁ ତୀର ଚଳାଇବାର ଆକ୍ସନ କରିଥିଲେ । ଆଉ ତାହା ବି ଥରେ ନୁହେଁ ଦୁଇ ଦୁଇ ଥର । ଶେଷରେ ହାତଯୋଡି ନମସ୍କାର ମଧ୍ୟ କରିଥିଲେ । ଯାହାକୁ ଭାରତୀୟ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡ଼ିଆରେ କୋହଲିଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି । ପଡିଆ ଭିତରେ କୋହଲିଙ୍କର ଏଭଳି ରାମଭକ୍ତି ପଛର ବଡ କାରଣ ମଧ୍ୟ ରହିଛି ।
ଦକ୍ଷିଣ ଆଫ୍ରିକାର ୬ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜ । ପଡିଆକୁ କେଶବ ଆସିବା କ୍ଷଣି ପ୍ରଭୁ ଶ୍ରୀରାମଙ୍କର ଭଜନ ବାଜିଥିଲା । ଆଉ ଶ୍ରୀରାମଙ୍କ ଭଜନ ଶୁଣି ବିରାଟ ମଧ୍ୟ ରାମଭକ୍ତିରେ ଲୀନ ହୋଇଯାଇଥିଲେ । ପଡିଆ ମଝିରେ ପ୍ରଭୁ ଶ୍ରୀରାମଙ୍କ ଭଳି ଧନୁ ତୀର ଚଳାଇବାର ଅଭିନୟ କରିଥିଲେ । ଗତ କିଛି ମ୍ୟାଚରେ କେଶବ ବ୍ୟାଟିଂ କରିବାକୁ ଆସିଲେ ପ୍ରଭୁ ଶ୍ରୀରାମଙ୍କ ଭଜନ ଶୁଣିବାକୁ ମିଳୁଛି । କେଶବ ହିନ୍ଦୁ ଧର୍ମର ହୋଇଥିବାରୁ ଖେଳରେ ତାଙ୍କ ମନୋବଳ ବୃଦ୍ଧି କରିବାକୁ ବ୍ୟାଟିଂ କରିବା ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ଭଜନ ଲଗାଯାଉଛି । ଏହାଛଡା କେଶବ ନିଜେ ମଧ୍ୟ ହନୁମାନଙ୍କର ପରମଭକ୍ତ । ଭାରତକୁ ମ୍ୟାଚ୍ ଖେଳିବାକୁ ଆସିଲେ କେଶବ ବିଭିନ୍ନ ମନ୍ଦିର ଯାଇ ପୂଜାପାଠ କରିଥାନ୍ତି । ହିନ୍ଦୁ ଧର୍ମ ପ୍ରତି କେଶବଙ୍କର ଗଭୀର ଆସ୍ଥା ରହିଛି । କେବଳ ଏତିକି ନୁହେଁ କେଶବ ଓଁ ଚିତ୍ରିତ ଥିବା ବ୍ୟାଟରେ ଖେଳୁଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ଦିନିକିଆ ମ୍ୟାଚରେ କେଶବ ବ୍ୟାଟିଂ କରିବାକୁ ଆସିବା ବେଳେ ରାମ ସିୟା ରାମ ଗୀତ ବାଜିଥିଲା । ସେତେବେଳେ ଭାରତୀୟ ୱିକେଟ କିପର କେଏଲ ରାହୁଲ ମଜାଳିଆ ଅନ୍ଦାଜରେ କହିଥିଲେ, ତୁମେ ଯେବେ ବି ବ୍ୟାଟିଂ କରିବାକୁ ଆସୁଛ ଡିଜେ ବଜାଉଥିବା ବ୍ୟକ୍ତି ଶ୍ରୀରାମଙ୍କ ଭଜନ ଲଗାଉଛନ୍ତି । ଏହାର ଉତ୍ତରରେ ସ୍ମିତହାସ୍ୟ ଦେଇ ସମ୍ମତି ପ୍ରକାଶ କରିଥିଲେ କେଶବ ।
When "Ram Siya Ram" bhajan was played during #INDvsSA, Virat Kohli pulled the string of the bow like Ram ji and folded his hands. #ViratKohli#RamSiyaRam 🙏🏼🚩https://t.co/vwPphwxGrupic.twitter.com/iuizgfwD7P
— ज्योति सिंह राष्ट्रवादी🇮🇳™ (@Imjyotii_) January 3, 2024
ଆସନ୍ତା ୨୨ରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଉତ୍ସବରେ ସାମିଲ ହେବାକୁ ଭାରତୀୟ କ୍ରିକେଟର କୋହଲିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହି ଉତ୍ସବରେ ସାମିଲ ହେବା ପୂର୍ବରୁ କୋହଲିଙ୍କର ରାମଭକ୍ତି ପଡିଆ ମଧ୍ୟରେ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/23-3.jpg)