ଯଦି ଏମିତି କେବେ ହୁଏ ତେବେ ଆଉ ଖେଳିବି ନାହିଁ… ।  ଅଧିନାୟକ ପଦ ଛାଡିବା ପରେ କିଛି ଏମିତି କହିଲେ କୋହଲି । 

1,443

କନକ ବ୍ୟୁରୋ : ନାମ୍ବିଆ ବିପକ୍ଷରେ ବିଜୟ ସହ ଟି-୨୦ ବିଶ୍ୱକପରେ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଏହାସହ କୋହଲି ମଧ୍ୟ ଟି-୨୦ ଅଧିନାୟକ ପଦକୁ ବାଏ ବାଏ କରିଛନ୍ତି । ଏଣିକି ଆଉ ଟି-୨୦ ଫର୍ମାଟରେ କୋହଲିଙ୍କୁ ଆଉ ଟସ୍ ପକାଉଥିବାର ଦେଖିବାକୁ ମିଳିବ ନାହିଁ । ତେବେ ନାମ୍ବିଆ ବିପକ୍ଷ ମ୍ୟାଚ୍ ପରେ କୋହଲି ମୁହଁ ଖୋଲିବା ସହ ମନକଥା କହିଛନ୍ତି ।

ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ପଦ ଛାଡିବା ପରେ କୋହଲି କହିଛନ୍ତି, ଏଭଳି ଦାୟିତ୍ୱ ଛାଡିବା ପରେ ଟିକିଏ ହାଲୁକା ଲାଗୁଛି । ଏହା ମୋ ପାଇଁ ସବୁଠୁ ସ୍ମରଣୀୟ ଓ ଗର୍ବର ମୁହୂର୍ତ୍ତ ହୋଇ ରହିବ । କିନ୍ତୁ ଆମକୁ ଏହିଠାରୁ ଆଗକୁ ବଢିବାକୁ ପଡିବ । ନିଜ ଉପରୁ ଅଧିକ କାର୍ଯ୍ୟଚାପ କମାଇବାର ଏହା ଉପଯୁକ୍ତ ସମୟ । ଗତ ୬ରୁ ୭ ବର୍ଷ ହେବ ଲଗାତାର କ୍ରିକେଟ ଖେଳି ଆସୁଛି । ଟିମ୍ ଭାବେ ଆମେ ଭଲ ପ୍ରଦର୍ଶନ କରିଛୁ । ହଁ ବିଶ୍ୱକପରେ ଆମେ ଆଗକୁ ବଢିପାରିଲୁନି ସତ କିନ୍ତୁ ଟି-୨୦ କ୍ରିକେଟରେ ଆମେ ଅନେକଥର ଭଲ ଖେଳ ଖେଳିଛୁ । ପ୍ରଥମ ୨ଟି ମ୍ୟାଚର ପ୍ରଥମ ୨ ଓଭର ଯଦି ଭଲ ଖେଳିଥାନ୍ତୁ ତେବେ ଫଳାଫଳ କିଛି ଭିନ୍ନ ହୋଇଥାନ୍ତା ।

ଅଧିନାୟକ ପଦ ଛାଡିବା ପରେ ମଧ୍ୟ ପଡିଆରେ ସେହିଭଳି ଜୋଶ ଦେଖିବାକୁ ମିଳିବ ବୋଲି କହିଛନ୍ତି କୋହଲି । ଏହି ଅଭ୍ୟାସ କେବେ ବଦଳିବ ନାହିଁ । ଯେଉଁଦିନ  ପଡିଆରେ ଏଭଳି ଜୋଶ ଦେଖିବାକୁ ମିଳିବନି, ସେଦିନ ଆଉ ଖେଳିବିନି ବୋଲି କହିଛନ୍ତି କୋହଲି । ଯେତେବେଳେ ମୁଁ ଅଧିନାୟକ ନଥିଲି ସେତେବେଳେ ମଧ୍ୟ ଜୋଶର ସହ ମ୍ୟାଚ୍ ଖେଳୁଥିଲି । ଆଉ ଆଗକୁ ମଧ୍ୟ ଏଭଳି ଦେଖିବାକୁ ମିଳିବ । କାରଣ ପଡିଆରେ କେବଳ ଛିଡା ହୋଇ ରହିବାର ପ୍ରଶ୍ନ ଉଠୁନାହିଁ ।

ଏହାସହ ନାମ୍ବିଆ ବିପକ୍ଷରେ କାହିଁକି ବ୍ୟାଟିଂ କରିବାକୁ ଆସିନଥିଲେ ତାକୁ ନେଇ କୋହଲି କହିଛନ୍ତି,  ସୂର୍ଯ୍ୟକୁମାର ଯାଦବଙ୍କୁ ଚଳିତ ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଂ କରିବାକୁ ଅଧିକ ସୁଯୋଗ ମିଳିନଥିଲା । ଜଣେ ଯୁବ ଖେଳାଳୀ ଭାବେ ଟୁଣ୍ଣାମେଣ୍ଟ ରେ ନିଜ ଷ୍ଟାଇଲରେ ଶେଷ କରିବାକୁ ଚାହିଁଥିଲେ, ଯାହାଦ୍ୱାରା ଏକ ଭଲ ଅନୁଭୂତି ହାସଲ କରିପାରିବେ । ତେଣୁ ସୂର୍ଯ୍ୟକୁମାରଙ୍କୁ ବ୍ୟାଟିଂ ପାଇଁ ପଠାଯାଇଥିଲା । ତେବେ ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ଏବେ ରୋହିତ ଶର୍ମାଙ୍କୁ ଏହି ଦାୟିତ୍ୱ ଦେଇପାରେ ବୋର୍ଡ ।