ବର୍ଷେ ପୂର୍ବରୁ ସନ୍ୟାସ ନେବାକୁ କାହିଁକି ମନ ବଳାଇଥିଲେ ବିରାଟ କୋହଲି? ଦ୍ରାବିଡ ଏମିତି କଣ କହିଲେ ଯେ, ବଦଳିଗଲା କୋହଲିଙ୍କ ଭାଗ୍ୟ?

530

କନକ ବ୍ୟୁରୋ : ହାଇଦ୍ରାବାଦ ବିପକ୍ଷରେ ଦମଦାର ଶତକକୁ ନେଇ ଚର୍ଚ୍ଚାରେ ବିରାଟ କୋହଲି । ଆଇପିଏଲରେ ତାଙ୍କ ଧୀମା ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଉଥିବା ସମାଲୋଚକଙ୍କୁ ନିଜ ଶତକ ସହ ଚୁପ୍ କରାଇଛନ୍ତି କୋହଲି । ଏହାସହ ଚଳିତ ଆଇପିଏଲରେ ୫୦୦ରୁ ଅଧିକ ସ୍କୋର କରି ନିଜ ବ୍ୟାଟିଂ ଦକ୍ଷତାର ପ୍ରମାଣ ଦେଇଛନ୍ତି ବିରାଟ । ହାଇଦ୍ରାବାଦ ବିପକ୍ଷରେ ବିଜୟ ସହ ବାଙ୍ଗାଲୋରର ପ୍ଲେ ଅଫ୍ ଖେଳିବା ଆଶା ଉଜ୍ଜିବୀତ ରହିଛି । ଏବେସୁଦ୍ଧା ବାଙ୍ଗାଲୋର ୧୩ ମ୍ୟାଚରୁ ୧୪ ପଏଣ୍ଟ ହାସଲ କରି ପ୍ଲେ ଅଫ୍ ଦୌଡରେ ରହିଛି । ଚଳିତ ସିଜିନରେ ବାଙ୍ଗାଲୋର ଆଇପିଏଲ ଟ୍ରଫି ଜିତିବ ବୋଲି ଆଶା ବାନ୍ଧି ବସିଛନ୍ତି ଫ୍ୟାନ୍ । ରବିବାର ଗୁଜୁରାଟ ବିପକ୍ଷରେ ମ୍ୟାଚରେ ବିଜୟ ସହ ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର । ତେବେ ଏହା ଭିତରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବିଜୟର ହିରୋ ସାଜିଥିବା କୋହଲିଙ୍କୁ ନେଇ ଏକ ଅଜଣା କଥା ସାମ୍ନାକୁ ଆସିଛି । ଯାହାର ଖୁଲାସା ନିଜେ କରିଛନ୍ତି କୋହଲି । ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଥୀ ଖେଳାଳୀ ରବିନ ଉଥପ୍ପାଙ୍କ ସହ ଆଲୋଚନାରେ ବିରାଟ କହିଛନ୍ତି, ଯେତେବେଳେ ମୁଁ ବ୍ରେକରୁ ପୁଣିଥରେ ମୈଦାନକୁ ଫେରିଥିଲି ସେତେବେଳେ ଭାବୁଥିଲି ଏହା ମୋର ପ୍ରତିଯୋଗିତାମୂଳକ କ୍ରିକେଟ କ୍ୟାରିୟରର ଶେଷ ମାସ ହୋଇପାରେ । ଏଭଳି ଭାବନାକୁ ନେଇ ମୁଁ ମଧ୍ୟ ଠିକ୍ ଥିଲି । କାରଣ ଭଗବାନ ମୋତେ ଯାହା ଦେଇଥିଲେ ସେଥିରେ ମୁଁ ଖୁସି ଥିଲି । ମୁଁ ହତାଶ ନଥିଲି । କିନ୍ତୁ ଏସିଆ କପର ପ୍ରଦର୍ଶନ ପୁଣିଥରେ ମୋତେ କମବ୍ୟାକ୍ କରିବାକୁ ସୁଯୋଗ ଦେଲା । କାରଣ ଆଫଗାନିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରରେ ପ୍ରଥମ ଶତକ ଲଗାଇବାରେ ସଫଳ ହୋଇଥିଲି । ସେତେବେଳେ ରାହୁଲଙ୍କ ନିଷ୍ପତ୍ତିରେ ହଁ ଭରିବା କ୍ରିକେଟ କ୍ୟାରିୟରକୁ ନୂଆ ମୋଡ ଦେଇଥିଲା । ଆଫଗାନିସ୍ତାନ ବିପକ୍ଷରେ ଓପନିଂ କରିବାକୁ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ରାହୁଲ କହିଥିଲେ । ଆଉ ରାହୁଲଙ୍କ ଏହି ନିଷ୍ପତ୍ତିରେ ମୁଁ ହଁ କରିଥିଲି ।

ବିରାଟ କହିଛନ୍ତି, ଓପନିଂ କରିବା ସହ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ଆରମ୍ଭ କରିଥିଲି । ଏହିଠାରୁ ସବୁ କିଛି ମୋ ପାଇଁ ପୂର୍ବବତ ହୋଇଗଲା ଏବଂ ପୁଣିଥରେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହ ମିଳିଲା । ଏହା ଏଥିପାଇଁ ସମ୍ଭବ ହେଲା କାରଣ ନିଜ ଉପରେ ମୋର ଭରସା ଥିଲା । ଫ୍ୟାନ୍ସ ଯାହା ଚାହୁଁଛନ୍ତି ତାହା ପୁଣିଥରେ କରିବାକୁ ଚାହିଁଥିଲି । ଯେଉଁଥିପାଇଁ ଲଗାତାର କଠିନ ପରିଶ୍ରମ କରିଥିଲି । ଶେଷରେ ପରିଶ୍ରମର ଫଳ ମିଳିଲା । ନିଜର ଖରାପ ଫର୍ମରୁ ବାହାରିବା ପାଇଁ କୋହଲି କିଛି ଦିନ ପାଇଁ କ୍ରିକେଟରୁ ବ୍ରେକ ନେଇଥିଲେ । କରୋନା କାରଣରୁ ୧୦ ମାସ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳିନଥିଲୁ । କିନ୍ତୁ ସେତେବେଳେ ମୋ ଶତକକୁ ନେଇ ଅଧିକ ଆଲୋଚନା ହେଉଥିଲା । ପ୍ରତି ମ୍ୟାଚ୍ ଶେଷରେ ମୋ ପ୍ରଦର୍ଶନ ବାବଦରେ ପ୍ରଶ୍ନ ଉଠୁଥିଲା । ସେତେବେଳେ ମୁଁ ବୁଝି ଯାଇଥିଲି ଲୋକ ମୋ ଠାରୁ କେଉଁଭଳି ପ୍ରଦର୍ଶନ ଚାହୁଁଛନ୍ତି । କିନ୍ତୁ ସେତେବେଳେ ଏହାକୁ ନେଇ ଅଧିକ ଚିନ୍ତିତ ହୋଇନଥିଲି । କାରଣ ଟିମ୍ ପାଇଁ ମୋର ଯୋଗଦାନ ଲଗାତାର ରହୁଥିଲା । କିନ୍ତୁ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ ପରେ ସବୁକିଛି ପୁଣିଥରେ ସ୍ୱାଭାବିକ ହୋଇଥିଲା । ଆଉ ଚଳିତ ଆଇପିଏଲରେ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷା ହେଉଛି । ବିରାଟ ଏବେ ସୁଦ୍ଧା ଟି-୨୦ କ୍ରିିକେଟରେ ୭ଟି ଶତକ ହାସଲ କରିଛନ୍ତି । କେବଳ ଆଇପିଏଲରେ କୋହଲି ୬ଟି ଶତକ ହାସଲ କରିଛନ୍ତି ।