କନକ ବ୍ୟୁରୋ: କୋହଲିଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର କ୍ୟାପଟେନ୍? ଟି-୨୦ରେ କିଏ ନେବ ଟିମ୍ ଇଣ୍ଡିଆର ନେତୃତ୍ୱ? ଏହି ପ୍ରଶ୍ନର ଉତ୍ତର ଏବେ ସବୁ କ୍ରିକେଟ୍ ପେମୀ ଖୋଜୁଛନ୍ତି । ଆଉ ଏହାରି ଭିତରେ ନାମିମ୍ବିଆ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏନେଇ ଦେଇଛନ୍ତି ବଡ ସଙ୍କେତ । ତାଙ୍କ ପରେ ରୋହିତ ହିଁ ଦଳର ନେତୃତ୍ୱ ନେବେ ବୋଲି କୋହଲି ସଙ୍କେତ ଦେଇଛନ୍ତି ।
ଆଜି ନାମିମ୍ବିଆ ବିପକ୍ଷରେ ଟସ୍ ଜିତିଥିଲେ ବିରାଟ କୋହଲି । ଅଧିନାୟକ ଭାବେ ଏହା ହେଉଛି ତାଙ୍କର ଶେଷ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆକୁ ମିଳିବାକୁ ଯାଉଛି ନୂଆ ଟି-୨୦ ଅଧିନାୟକ । ତେବେ ଏନେଇ ଯେତେବେଳେ ବିରାଟଙ୍କୁ ପ୍ରଶ୍ନ କରାଯାଇଥିଲା, ସେତେବେଳେ କୋହଲି କହିଥିଲେ ଏବେ ସମୟ ଆସିଯାଇଛି । ରୋହିତ ମଧ୍ୟ ଏହା ଭିତରେ ଦଳକୁ ଭଲ ଭାବେ ଦେଖିସାରିଛନ୍ତି । ତେଣୁ ଟିମ୍ ଇଣ୍ଡିଆର ନେତୃତ୍ୱ ଆଗକୁ ଭଲ ହାତରେ ରହିବାକୁ ଯାଉଛି ବୋଲି କୋହଲି କହିଥିଲେ ।
କୋହଲିଙ୍କ ବାସ୍ ଏଇ କେଇ ପଦ କଥା ପ୍ରମାଣ କରିଦେଇଥିଲା ଯେ, ରୋହିତ ହିଁ ଆଗାମୀ ଟି-୨୦ ଅଧିନାୟକ ହେବେ । ଏହା ପୂର୍ବରୁ ରୋହିତ ଅନେକ ମ୍ୟାଚରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇସାରିଛନ୍ତି । ଅନେକ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ରୋହିତଙ୍କ ଅଧିନାୟକ ହେବା ନେଇ ଆକଳନ କରିସାରିଛନ୍ତି । ହେଲେ ଆଜି କୋହଲିଙ୍କ ଏହି ସଙ୍କେତ ସବୁ କଥାକୁ ସ୍ପଷ୍ଟ କରିଦେଇଛି ।
ତେବେ ରୋହିତଙ୍କୁ କେବଳ ଟି-୨୦ ଅଧିନାୟକ ପଦ ମିଳିବ ନା ତା ସହିତ ସେ ଦିନିକିଆ ଦଳର ମଧ୍ୟ ନେତୃତ୍ୱ ନେବେ ସେନେଇ କୌଣସି କଥା ସ୍ପଷ୍ଟ ହୋଇପାରିନାହିଁ । ଅନେକ ପୂର୍ବତନ କ୍ରିକେଟରଙ୍କ ମତରେ ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ରୋହିତଙ୍କୁ ଟି-୨୦ ସହିତ ଦିନିକିଆ ଦଳର ମଧ୍ୟ ଅଧିନାୟକ ପଦ ମିଳିପାରେ ।
ତେବେ ଏସବୁ ଭିତରେ ଆଉ କିଛି ଦିନ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି । ସୂଚନାମିଳିଛି ଏହି ସିରିଜରେ ଦଳର ସିନିୟର ଖେଳାଳିମାନେ ବିଶ୍ରାମ ନେବେ । ତେଣୁ ଏହି ସିରିଜ ପାଇଁ ଯଦି ରୋହିତ ଉପଲବ୍ଧ ରୁହନ୍ତି ତେବେ ତାଙ୍କ ନେତୃତ୍ୱରେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଆରମ୍ଭ କରିବ । ତା ସହିତ ଏହି ସିରିଜରେ ଦଳ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ପାଇବାକୁ ଯାଉଛି ।