କନକ ବ୍ୟୁରୋ : ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କୁ ମିଳିଛି ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହମ୍ମଦ ସାମିଙ୍କ ସମେତ ବିଭିନ୍ନ ବର୍ଗର ୨୬ ଜଣ ଖେଳାଳୀଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ମିଳିବା ପରେ ସାମିଙ୍କୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟିଛି । କ୍ରିକେଟ ଜଗତର ଜଣାଶୁଣା ଖେଳାଳୀ ସାମିଙ୍କୁ ଶୁଭକାମନା ଜଣାଇଛନ୍ତି । ଏପରିକି ସାଥୀ ଖେଳାଳୀ ମଧ୍ୟ ସାମିଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ତେବେ ବିରାଟ କୋହଲି ଶୁଭେଚ୍ଛା ଜଣାଇବା ସହ ଯାହା ଲେଖିଛନ୍ତି ତାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସାମି ପୁରସ୍କାର ପାଇବା ପରେ ବିରାଟ କୋହଲି ଏକ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି, ମୁବାରକ ହୋ ଲାଲା । ଆଉ କୋହଲିଙ୍କର ଏହି ଶୁଭେଚ୍ଛା ଶୈଳୀକୁ ସଭିଏଁ ପସନ୍ଦ କରିଛନ୍ତି । ସାମିଙ୍କ ସହ ବିରାଟଙ୍କର ବେଶ ଭଲ ସମ୍ପର୍କ । ଏହାପୂର୍ବରୁ ସାମିଙ୍କୁ ନେଇ ଯେତେବେଳେ ବିବାଦ ଦେଖିବାକୁ ମିଳିଥିଲା ସେତେବେଳେ ତାଙ୍କ ସମର୍ଥନରେ ବାହାରିଥିଲେ କୋହଲି । କେବଳ କୋହଲି ନୁହଁନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ, ବୀରେନ୍ଦ୍ର ସେହୱାଗ ଓ ସାଥୀ ଖେଳାଳୀ ଶିଖର ଧୱନ ମଧ୍ୟ ସାମିଙ୍କ ପୋଷ୍ଟରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପୁରସ୍କାର ପାଇବା ପରେ ସାମି ମଧ୍ୟ ଏହାକୁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ।
ମହମ୍ମଦ ସାମି ଗତ ୨୦୨୩ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିଲେ । ୨୪ଟି ୱିକେଟ୍ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ଖେଳାଳୀ ସାଜିଥିଲେ । ତେବେ ବିଶ୍ୱକପ ପରେ ଆହତ ହେବା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ଆଗକୁ ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ତେଣୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସାମିଙ୍କୁ ଦେଖିବାକୁ ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Mohammed-Shami-1.jpg)