ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତଙ୍କୁ ଟିମ୍ ଇଣ୍ଡିଆରୁ ଆସିଲା ଡାକରା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମିଳିପାରେ ସୁଯୋଗ ।

301

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ପ୍ରଥମ ୨ଟି ମ୍ୟାଚ୍ ଖେଳିବେ ନାହିଁ । ତେବେ ବିରାଟଙ୍କ ବଦଳ ଖେଳାଳୀ ଭାବେ ଦଳରେ କାହାକୁ ସ୍ଥାନ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । ପ୍ରଥମ ମ୍ୟାଚ୍ ପୂର୍ବରୁ ହିଁ ବିରାଟଙ୍କ ବଦଳ ଖେଳାଳୀଙ୍କ ନାଁ ଘୋଷଣା କରିଛି ବିସିସିଆଇ । ବିରାଟଙ୍କ ବଦଳ ଖେଳାଳୀ ଭାବେ ରଜତ ପଟିଦାରଙ୍କୁ ଦଳରେ ସ୍ଥାନ ମିଳିଛି । ରଜତ ମଧ୍ୟ ଦଳରେ ଯୋଗ ଦେଇଥିବା ବେଳେ ଗତକାଲି ହାଇଦ୍ରାବାଦରେ ହୋଇଥିବା ବିସିସିଆଇ ବାର୍ଷିକ ଉତ୍ସବରେ ସାମିଲ ହୋଇଛନ୍ତି ।

ମଧ୍ୟପ୍ରଦେଶର ଏହି ଯୁବ ଖେଳାଳୀ ଏବେ ଦମଦାର ଫର୍ମରେ ରହିଛନ୍ତି । ଘରୋଇ କ୍ରିକେଟ ସହ ବିଭିନ୍ନ ଅଭ୍ୟାସ ମ୍ୟାଚରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ ସାରିଛନ୍ତି ରଜତ । ଏହାପୂର୍ବରୁ ରଜତ ପଟିଦାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ଏବେ ଇଂଲଣ୍ଡ ବିପକ୍ଷରେ ମିଡ଼ିଲ ଅର୍ଡରରେ ରଜତ ପଟିଦାରଙ୍କୁ ସୁଯୋଗ ମିଳିପାରେ । ରଜତଙ୍କୁ ଦଳରେ ସୁଯୋଗ ମିଳିଥିବା ବେଳେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କୁ ପୁଣିଥରେ ସୁଯୋଗ ମିଳିନାହିଁ । ଯାହା ଦର୍ଶାଉଛି ବିସିସିଆଇ ଏବେ ଯୁବ କ୍ରିକେଟରଙ୍କ ସହ ଆଗକୁ ବଢିବାକୁ ଚାହୁଁଛି । ଗତ ରଣଜୀ ସିଜିନରେ ରଜତ ପଟିଦାର ୭ଟି ମ୍ୟାଚରୁ ୫୬୫ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧଶତକ ରହିଥିଲା ।