କନକ ବ୍ୟୁରୋ : ଆଇପିଏଲରୁ ବାହାରି ଯାଆନ୍ତୁ କୋହଲି । କିଛି ଏଭଳି କହି ଏବେ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଦଳର କୋଚ୍ ରବି ଶାସ୍ତ୍ରୀ । ଚଳିତ ଆଇପିଏଲରେ ବିରାଟଙ୍କ ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ଏବେ ସୁଦ୍ଧା ୯ ମ୍ୟାଚରୁ ମାତ୍ର ୧୨୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି କୋହଲି । ଯେଉଁଥିରେ ଗୋଟିଏ ବି ଅର୍ଦ୍ଧଶତକୀୟ ଇନିଂସ ନାହିଁ । ଆଉ କୋହଲିଙ୍କ ଏଭଳି ଫର୍ମ ଭିତରେ ଶାସ୍ତ୍ରୀ କହିଛନ୍ତି, କୋହଲିଙ୍କୁ କିଛି ସମୟ ପାଇଁ ବ୍ରେକ ନେବା ଆବଶ୍ୟକ ଏବଂ ଆଇପିଏଲର ଚଳିତ ସିଜିନରୁ ବାହାରି ଯିବା ଆବଶ୍ୟକ । କାରଣ ବିରାଟ ଦୀର୍ଘ ଦିନ ଧରି କ୍ରିକେଟ ଖେଳି ଆସୁଛନ୍ତି ।

Advertisment

ରବି ଶାସ୍ତ୍ରୀ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ମୋତେ ଲାଗୁଛି କିଛି ସମୟ କ୍ରିକେଟରୁ ବ୍ରେକ ନେବା ଉଚିତ୍ । କାରଣ ବିରାଟ ନନଷ୍ଟପ କ୍ରିକେଟ ଖେଳି ଆସୁଛନ୍ତି । ଏହାଛଡା ସବୁ ଫର୍ମାଟରେ ସେ ଅଧିନାୟକ ମଧ୍ୟ ରହି ସାରିଛନ୍ତି । ଏବେ କିଛି ଦିନ କ୍ରିକେଟରୁ ବ୍ରେକ ନେବା ବୁଦ୍ଧିମାନର କାମ ହେବ । ଯଦି ବିରାଟ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଲମ୍ବା କରିବାକୁ ଚାହୁଁଥାନ୍ତି, ଯେପରି ଆଉ ୬ରୁ ୭ ବର୍ଷ ଖେଳିପାରିବେ ତେବେ ଆଇପିଏଲରୁ ବାହାରି ଯାଆନ୍ତୁ ବିରାଟ ।

କେବଳ କୋହଲିଙ୍କ ପାଇଁ ନୁହେଁ ବରଂ ଅଧିକାଂଶ କ୍ରିକେଟର ଯେଉଁମାନେ ଏଭଳି ସଂଘର୍ଷ କରୁଛନ୍ତି ସେମାନେ କିଛି ସମୟ ବ୍ରେକ ନେବାର ଆବଶ୍ୟକତା ରହିଛି । ଭାରତ ଅର୍ନ୍ତଜାତୀୟ କ୍ରିକେଟ ଖେଳୁଥିବା ବେଳେ ବ୍ରେକ ନନେଇ ଏବେ ବ୍ରେକ ନେବା ଭଲ ହେବ । ଯଦି ଭାରତ ପାଇଁ ୧୪ରୁ ୧୫ ବର୍ଷ ଖେଳିବାକୁ ଚାହୁଁଥାନ୍ତି ଓ ଭଲ ପ୍ରଦର୍ଶନ କରିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଏକ ଲକ୍ଷ୍ମଣରେଖା ଟାଣିବାକୁ ପଡିବ । ଯେଉଁଠି ଆପଣ ବ୍ରେକ ନେଇପାରିବେ । ଏହାଛଡା ଆଇପିଏଲ ଖେଳିବା ବେଳେ ଫ୍ରାଞ୍ଚାଇଜକୁ ଅଧା ସିଜିନ ଖେଳିବାକୁ କୁହନ୍ତୁ, ବଦଳରେ ଅଧା ପାରିଶ୍ରମିକ ନିଅନ୍ତୁ । ଆଉ ଅର୍ନ୍ତଜାତୀୟ କ୍ରିକେଟରେ ଶୀର୍ଷରେ ପହଞ୍ଚିବାକୁ ହେଲେ କିଛି ଏଭଳି କଠିନ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ଏହାପୂର୍ବରୁ ମଧ୍ୟ ଅନେକ ସାକ୍ଷାତକାରରେ ସମାନ କଥା ଦୋହରାଇଛନ୍ତି ରବି ଶାସ୍ତ୍ରୀ । ବିରାଟ କୋହଲିଙ୍କୁ ଆରାମର ଆବଶ୍ୟକତା ରହିଛି, ତାଙ୍କ ଠାରେ ଏବେ ବି ୬ରୁ ୭ ବର୍ଷର ଖେଳ ବାକି ଅଛି । ତେଣୁ ତାଙ୍କୁ ଆରାମ ଦିଆଯାଉ ।

ଶାସ୍ତ୍ରୀଙ୍କ ସହ ଇଂଲଣ୍ଡର ପୂର୍ବତନ କ୍ରିକେଟର ପିଟରସନ ମଧ୍ୟ ସହମତ ହୋଇଛନ୍ତି । ପିଟରସନ କହିଛନ୍ତି ଯଦି ତୁମେ କୋହଲିଙ୍କୁ ଅଧିକରୁ ଅଧିକ ମ୍ୟାଚ୍ ଖେଳାଇବ ତେବେ ତୁମେ ଜଣେ ଭଲ ଖେଳାଳୀଙ୍କୁ ହରାଇଦେବ । ଯିଏ ଆଗକୁ ଭଲ ପ୍ରଦର୍ଶନ କରି ପାରିବ ନାହିଁ । ତେଣୁ  ସେଭଳି ସମୟ ଆସିବା ପୂର୍ବରୁ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।  ଯେହେତୁ ଆଗକୁ ଟି-୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ରହିଛି, ତେଣୁ ବିରାଟଙ୍କର ଫର୍ମକୁ ଫେରିବା ଭାରତ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଟପ୍ ଅର୍ଡରରେ ବଡ ବଡ ଇନିଂସ ଖେଳି ଭାରତକୁ ଅନେକ ଥର ବିଜୟ ଭେଟି ଦେଇଛନ୍ତି ବିରାଟ । ତେଣୁ ବିରାଟଙ୍କ ବ୍ୟାଟରୁ ରନ୍ ନ ବାହାରିବା ଟିମ୍ ଇଣ୍ଡିଆ ପାଇଁ  ଏକ ଚିନ୍ତାର ବିଷୟ ।