ଆଉ ମାତ୍ର ୩୭ ରନ୍… । ସଚିନ୍ ଓ ଲାରାଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି ।

359

କ୍ୟାପଟେନ କୋହଲିଙ୍କୁ ଅପେକ୍ଷା କରିଛି ଆଉ ଏକ ବିଶ୍ୱ ରେକର୍ଡ । ଆଉ ଏହି ରେକର୍ଡ ପାଇଁ କୋହଲିଙ୍କୁ ଦରକାର ମାତ୍ର ୩୭ ରନ୍ । ଆଉ ୩୭ ରନ୍ ହାସଲ କରିବା ସହ କ୍ରିକେଟର ଦୁଇ ପୂର୍ବ ତାରକା ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିବେ କୋହଲି । ଅର୍ନ୍ତଜାତୀୟ କ୍ରିକେଟରେ ଦ୍ରୁତ ୨୦ ହଜାର କ୍ଲବରେ ସାମିଲ ହେବାକୁ ୩୭ ରନ ଦୂରରେ ରହିଛନ୍ତି ବିରାଟ ।

ଏବେ ଦ୍ରୁତ ୨୦ ହଜାର ରନ୍ କରିବା ରେକର୍ଡ ଲାରା ଓ ସଚିନଙ୍କ ନାଁରେ ରହିଛି । ଉଭୟ ୪୫୩ ଇନିଂସରୁ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ୪୧୭ ଇନିଂସରୁ ଏବେ ପର୍ଯ୍ୟନ୍ତ ୧୯୯୬୩ ରନ୍ କରିଛନ୍ତି । ଆଉ ମାତ୍ର ୩୭ ରନ୍ ଯୋଡିଲେ ଏହି ୨୦ ହଜାର ଅର୍ନ୍ତଜାତୀୟ କ୍ଲବରେ ସାମିଲ ହେବେ ବିରାଟ । ଏହି ସଫଳତା ହାସଲ କଲେ ବିରାଟ ବିଶ୍ୱର ୧୨ ତମ ଓ ଭାରତର ତୃତୀୟ ଖେଳାଳି ହେବାର ସୌଭାଗ୍ୟ ହାସଲ କରିବେ । ବିରାଟଙ୍କ ପୂର୍ବରୁ ସଚିନ୍ ୩୪୩୫୭ ଓ ରାହୁଲ ୨୪୨୦୮ ରନ୍ କରି ୨୦ କ୍ଲବରେ ସାମିଲ ହୋଇଛନ୍ତି ।

କୋହଲି ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୭୭ ରନ୍ କରିବା ସହ ଦିନିକିଆରେ ଦ୍ରୁତ ୧୧ ହଜାର ରନ୍ କରିବାର ରେକର୍ଡ ନିଜ ନାଁରେ କରିଥିଲେ କୋହଲି ।