କନକ ବ୍ୟୁରୋ : ଏସିଆ କପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଶ୍ରୀଲଙ୍କାର ପାଲିକେଲ ଷ୍ଟାଡିୟରେ ଏହି ମ୍ୟାଚ୍ ଅପରାହ୍ନ ୩ଟା ବେଳେ ଖେଳାଯିବ । ଏହି ମ୍ୟାଚକୁ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ରହିଛନ୍ତି । ତେବେ ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ଭିଡ଼ିଓ ସେୟାର କରିଛି ଯାହାକୁ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଛନ୍ତି । ଏହି ଭିଡ଼ିଓରେ ଉଭୟ ଦେଶର ଖେଳାଳୀ ପରସ୍ପରର ଭଲମନ୍ଦ ପଚାରି ବୁଝୁଥିବା ବେଳେ ମ୍ୟାଚ୍ ବାବଦରେ ମଧ୍ୟ କଥା ହେଉଥିବାର ଦେଖିବାକୁ ମିଳିଛି । ଭିଡ଼ିଓର ପ୍ରଥମରୁ ବିରାଟ କୋହଲି ଓ ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫଙ୍କୁ ଦେଖିବାକୁ ମିଳୁଛି । ଉଭୟ ପରସ୍ପରକୁ ଆଲିଙ୍ଗନ କରିବା ପରେ ଭଲମନ୍ଦ ପଚାରିଥିଲେ । ଏପରିକି ୫୦ ଓଭର ମ୍ୟାଚକୁ ନେଇ କିଛି କଥା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

Advertisment

ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନର ଘାତକ ବୋଲର ହାରିସ ରଉଫଙ୍କୁ ଅବିଶ୍ୱସନୀୟ ଛକା ମାରି କୋହଲି କ୍ରିକେଟପ୍ରେମୀଙ୍କ ମନ ଜିଣି ନେଇଥିଲେ । ବିରାଟଙ୍କ ବ୍ୟାଟରୁ ବାହାରିଥିବା ଏହି ସଟକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା । ଟି-୨୦ ବିଶ୍ୱକପର ଦୀର୍ଘଦିନ ପରେ ପୁଣିଥରେ ହାରିସ ରଉଫଙ୍କୁ ସାମ୍ନା କରିବେ ବିରାଟ । ତେଣୁ ଭାରତ-ପାକିସ୍ତାନ ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଦର୍ଶକ ଆଶା ରଖିଛନ୍ତି । ରଉଫଙ୍କ ବିପକ୍ଷରେ ବିରାଟଙ୍କ ବ୍ୟାଟରୁ ପୁଣିଥରେ ସେହିଭଳି ସଟ୍ ଦେଖିବାକୁ ମିଳିବ ବୋଲି ଭାରତୀୟ କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ଅନ୍ୟପଟେ ଅଭ୍ୟାସ ବେଳେ ଉଭୟ ପରସ୍ପରକୁ ଭେଟି ବେଶ ଖୁସିଥିବାର ଦେଖିବାକୁ ମିଳିଛି ।

କେବଳ ବିରାଟ ନୁହଁନ୍ତି ଅନ୍ୟ ଭାରତୀୟ ଓ ପାକିସ୍ତାନ କ୍ରିକେଟର ମଧ୍ୟ ପରସ୍ପରକୁ ଅଭ୍ୟାସ ସମୟରେ ଭେଟିଥିଲେ । ମହମ୍ମଦ ସିରାଜଙ୍କ ସହ ହାରିସ ରଉଫ ବୋଲିଂ ବାବଦରେ କଥା ହେଉଥିବା ବେଳେ ଦୁଇ ଅଧିନାୟକ ରୋହିତ ଶର୍ମା ଓ ବାବର ଆଜମ ମଧ୍ୟ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରୁଥିବାର ଦେଖିବାକୁ ମିଳିଥିଲା । ସେହିଭଳି କୋହଲି ପାକିସ୍ତାନର ଅନ୍ୟ ଦୁଇ ବୋଲର ଶହଦାବ ଖାନ୍ ଓ ସାହିନ ଶାହା ଆଫ୍ରିଦଙ୍କ ସହ କଥ ହେଉଥିବାର ଦେଖିବାକୁ ମିଳିଥିଲା ।

ହାରିସ ଓ ବିରାଟଙ୍କ ଭେଟଘାଟ ସମୟର କିଛି କଥା ମଧ୍ୟ ଶୁଣିବାକୁ ମିଳିଛି । ଯେଉଁଥିରେ ହାରିସ କହୁଛନ୍ତି, ଯୁଆଡେ ବି ଯାଉଛି ଲୋକ କୋହଲି କୋହଲି ଚିଲାଉଛନ୍ତି । ଏହା ଶୁଣିବା ପରେ ବିରାଟ କୋହଲି ହସିବା ସହ ପଚାରିଛନ୍ତି ତମ ଶରୀର ଠିକ୍ ଅଛି ତ? ଯାହାର ଉତ୍ତରରେ ହାରିସ କହୁଛନ୍ତି, ହଁ ଏବେ ଠିକ୍ ଅଛି । ଏହାସହ ହାରିସ କହିଛନ୍ତି, ଯେତେବେଳେ ତୁମ ସହ ମ୍ୟାଚ୍ ଖେଳୁଛୁ ସେତେବେଳେ ବେଶ ମଜା ଆସୁଛି ।