କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଦମଦାର ଶତକ ସହ ବିରାଟ ପୁଣିଥରେ ନିଜର ଫର୍ମକୁ ଫେରିଛନ୍ତି । ୧୬୬ ରନର ବିସ୍ଫୋରକ ଇନିଂସ ସହ ନିଜ ନାଁରେ ଅନେକ ନୂଆ ରେକର୍ଡ ଯୋଡିଛନ୍ତି କୋହଲି । ଦିନିକିଆ କ୍ରିକେଟରେ ୪୬ ତମ ଶତକ ହାସଲ କରି କୋହଲି ଏବେ ସଚିନଙ୍କ ରେକର୍ଡ ଭାଙ୍ଗିବା ଦିଗରେ ଆଗକୁ ବଢୁଛନ୍ତି । ତେବେ ଏହି ୧୬୬ ରନର ଇନିଂସ ସହ ବିରାଟ ବିଶ୍ୱର କିଛି ଶ୍ରେଷ୍ଠ ଖେଳାଳିଙ୍କୁ ପଛରେ ପକାଇଛନ୍ତି ।

Advertisment

ଟିମ୍ ଇଣ୍ଡିଆର ରନ୍ ମେସିନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ଶତକ ସହ ଘରୋଇ ମାଟିରେ ୨୧ ତମ ଶତକ ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ଭାବେ ଘରୋଇ ମାଟିରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି । ଏହି ରେକର୍ଡ ପୂର୍ବରୁ ସଚିନଙ୍କ ନାଁରେ ଥିଲା । ସଚିନ ଘରୋଇ ମାଟିରେ ୨୦ଟି ଶତକ ହାସଲ କରିଛନ୍ତି ।

ସେହିଭଳି କୌଣସି ଟିମ୍ ବିପକ୍ଷରେ ସର୍ବାଧିକ ଶତକ ହାସଲ କରିବାର ଯେଉଁ ରେକର୍ଡ ସଚିନଙ୍କ ନାଁରେ ଥିଲା ତାହାକୁ ନିଜ ରେକର୍ଡ ବହିରେ ସ୍ଥାନ ଦେଇଛନ୍ତି କୋହଲି । ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ କୋହଲି ୧୦ଟି ଶତକ ହାସଲ କରିଛନ୍ତି । ପୂର୍ବରୁ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ହାସଲ କରିଥିଲେ । ପ୍ରଥମ ମ୍ୟାଚରେ ଶତକ ସହ ଶ୍ରୀଲଙ୍କା ବିପକ୍ଷରେ ସଚିନଙ୍କର ଥିବା ୮ ଶତକର ରେକର୍ଡ ଭାଙ୍ଗିଥିଲେ କୋହଲି ।

ବିରାଟ କୋହଲି ଏହି ଶତକୀୟ ଇନିଂସ ସହ ଶ୍ରୀଲଙ୍କାର ଭେଟରାନ କ୍ରିକେଟର ଜୟବର୍ଦ୍ଧନେଙ୍କୁ ପଛରେ ପକାଇଛନ୍ତି । ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ରନ କରିଥିବା ଖେଳାଳିଙ୍କ ତାଲିକାରେ ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ୫ମ ସ୍ଥାନକୁ ଉଠିଛନ୍ତି କୋହଲି । ଏବେ ଦିନିକିଆ କ୍ରିକେଟରେ କୋହଲି ୧୨୭୫୪ ରନ କରିଛନ୍ତି । ମ୍ୟାଚ୍ ପୂର୍ବରୁ ଏହି ତାଲିକାରେ ୫ମ ସ୍ଥାନରେ ଥିଲେ ଜୟବର୍ଦ୍ଧନେ ।

ଶତକ ହାସଲ କରିବା ସହ ଦିନିକିଆରେ ଘରୋଇ ମାଟିରେ ନିଜର ସର୍ବାଧିକ ସ୍କୋର ହାସଲ କରିଛନ୍ତି କୋହଲି । ଏହାପୂର୍ବରୁ କୋହଲିଙ୍କର ଘରୋଇ ମାଟିରେ ସର୍ବଶ୍ରେଷ୍ଠ ସ୍କୋର ୧୫୭ ରନ୍ ଥିଲା । ସେହିଭଳି ଶ୍ରୀଲଙ୍କା ବିପକ୍ଷ ସିରିଜରେ କୋହଲି ୨୮୩ ରନ୍ କରିବା ସହ ପ୍ଲେୟାର ଅଫ୍ ଦ ସିରିଜ ପୁରସ୍କାର ହାତେଇଥିଲେ । ବିରାଟଙ୍କର ଏହା ୨୦ତମ ପ୍ଲେୟାର ଅଫ୍ ଦ ସିରିଜ ଆୱାର୍ଡ । ଏହି ଉପଲବ୍ଧି ସହ ବିରାଟ ଏବେ ସଚିନ ସହ ସମକକ୍ଷ ହୋଇଛନ୍ତି । ଦିନିକିଆ କ୍ରିକେଟରେ ସଚିନ ୨୦ ଥର ପ୍ଲେୟାର ଅଫ୍ ଦ ସିରିଜ ଆୱାର୍ଡ ହାତେଇଛନ୍ତି । ସବୁଠୁ ବଡ କଥା ହେଲା ଅନ୍ୟ ମାନଙ୍କ ଠାରୁ ବହୁତ କମ ମ୍ୟାଚ୍ ଖେଳି କୋହଲି ଏହି ଉପଲବ୍ଧି ହାସଲ କରିଛନ୍ତି ।
ଆଗକୁ ଦିନିକିଆ କ୍ରିକେଟ ବିଶ୍ୱକପ ରହିଛି । ଯାହା ଭାରତରେ ଖେଳାଯିବ । ତେଣୁ ଘରୋଇ ମାଟିରେ କୋହଲିଙ୍କର ଲଗାତାର ଶତକୀୟ ଇନିଂସ ଟିମ୍ ଇଣ୍ଡିଆର କ୍ରିକେଟ ପ୍ରଶଂସକଙ୍କ ମନରେ ଆଶା ସଞ୍ଚାର କରିଛି । ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବିରାଟଙ୍କ ବ୍ୟାଟ ଏଭଳି ଗର୍ଜୁଥାଉ ବୋଲି କ୍ରିକେଟପ୍ରେମୀ ଚାହୁଁଛନ୍ତି । ଆଉ ବିରାଟଙ୍କ ଦମଦାର ଇନିଂସ ହିଁ ଭାରତକୁ ପୁଣିଥରେ ବିଶ୍ୱବିଜୟୀ କରାଇବ ବୋଲି କ୍ରିକେଟପ୍ରେମୀଙ୍କ ଆଶା ରହିଛି ।