କୋହଲି, ଗାଙ୍ଗୁଲି ବିବାଦ ନେଇ ଚିନ୍ତାପ୍ରକଟ କଲେ ଗାଭାସ୍କର ଓ କପିଲଦେବ । ଗାଙ୍ଗୁଲି ଜବାବ ରଖିବାକୁ ଗାଭାସ୍କରଙ୍କ ଦାବି ।

279

କନକ ବ୍ୟୁରୋ: କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ବିଦା କରାଯିବା ପରେ ଉପୁଜିଥିବା ବିବାଦ ଏବେ ବଢ଼ିବାରେ ଲାଗିଛି । ଗାଙ୍ଗୁଲିଙ୍କ କଥାକୁ ବିରୋଧ କରି ମତ ରଖିଛନ୍ତି କୋହଲି । ତେବେ ଏହି ପୁରା ପ୍ରସଙ୍ଗ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗାଭାସ୍କର ଓ କପିଲ ଦେବ । ଟି-୨୦ ଓ ଦିନିକିଆ ଅଧିନାୟକ ପଦରୁ ବିଦା ହେବା ପ୍ରସଙ୍ଗରେ ବୁଧବାର ବିରାଟ କୋହଲି ନିଜ ମତ ସ୍ପଷ୍ଟ କରିବା ପରେ ବିବାଦ ନୂଆ ମୋଡ଼ ନେଇଛି । ସେ ପରୋକ୍ଷରେ ଚୟନ କମିଟି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି । ତେବେ ଏହି ବିବାଦର ଏକ ଶୀଘ୍ର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ବ୍ୟାଟିଂ ଲିଜେଣ୍ଡ ସୁନୀଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି ଯେ, “ ମୋ ମତରେ କୋହଲି ଚୟନ କମିଟି କିମ୍ବା ବିସିସିଆଇକୁ ପ୍ରଶ୍ନ କରି ନାହାନ୍ତି । ବରଂ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଛନ୍ତି । କୋହଲିଙ୍କୁ ପୂର୍ବରୁ ଅବଗତ କରାଯାଇଥିବା ବୋଲି କେମିତି ଧାରଣା ସୃଷ୍ଟି ହେଲା, ଏହାରତ୍ତ୍ର ମିଳିବା ଆବଶ୍ୟକ । ଗାଙ୍ଗୁଲି ବିସିସିଆଇ ସଭାପତି । ତେଣୁ ତାଙ୍କୁ ଏହି ବିଭ୍ରାଟ ବିଷୟରେ ଉତର ରଖିବାକୁ ସେ ହିଁ ଶ୍ରେଷ୍ଠ ବ୍ୟକ୍ତି । ତାଙ୍କୁ ଏନେଇ ପ୍ରଶ୍ନ ପଚରାଯିବା ଉଚିତ’

ଏହାସହ ଚୟନ ପ୍ରସଙ୍ଗରେ ଖେଳାଳିମାନଙ୍କୁ ସ୍ପଷ୍ଟ କରାଯିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ନେଇ ମତ ରଖିଛନ୍ତି ।“ସ୍ପଷ୍ଟ ଯୋଗାଯୋଗ ନିହାତି ଦରକାର । ଫଳରେ ସନ୍ଦେହ ଦୂର ହୋଇଯାଇଥାଏ । ତେଣୁ ଆଗକୁ ଏହାକୁ ଧ୍ୟାନରେ ରଖି ଖେଳାଳିଙ୍କ ସହ ସ୍ପଷ୍ଟ ଭାବେ ଯୋଗାଯୋଗ ହେବା ଜରୁରୀ । ଜଣେ ଖେଳାଳିଙ୍କୁ ସରଳ ଭାବେ ବୁଝାଇ କହିବା ଦରକାର, ତାଙ୍କୁ କାହିଁକି ଚୟନ କରାଯାଇ ନାହିଁ କିମ୍ବା କାହିଁକି ଚୟନ କରାଯିବ ? ଏପରିକି ଆବଶ୍ୟକ ସ୍ଥଳେ ଏକ ପ୍ରେସ ବିବୃତି ମଧ୍ୟ ପ୍ରକାଶ କରାଯିବା ଦରକାର’

ଖାଲି ଗାଭାସ୍କର କି କପିଲଦେବ ନୁହଁନ୍ତି, ଅନ୍ୟ ବହୁ ପୂର୍ବତନ ଖେଳାଳି ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି । ଏପରି ବିବାଦ ଭାରତୀୟ କ୍ରିକେଟ ପ୍ରତି ଶୁଭଙ୍କର ନୁହେଁ । ତେଣୁ ଏହି ବିବାଦକୁ ଯଥାଶୀଘ୍ର ସମାଧାନ କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି ।

୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅଧିନାୟକ ତଥା ଦେଶର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କପିଲ ଦେବ “ବୋର୍ଡ ସଭାପତି ହେଉଛନ୍ତି ବୋର୍ଡ ସଭାପତି, ହେଲେ ଭାରତୀୟ ଦଳର ଅଧିନାୟକ ମଧ୍ୟ ଏକ ବଡ଼ କଥା । ସର୍ବସାଧାରଣରେ ପରସ୍ପର ବିରୋଧରେ କହିବା ଠିକ୍ ନୁହେଁ, ଏହା ସୌରଭ ହୁଅନ୍ତୁ କି କୋହଲି । ଏହି ସ୍ଥିତିକୁ ନିୟନ୍ତ୍ରଣ କରିବା ଦରକାର । ପ୍ରଥମେ ଦେଶ ବିଷୟରେ ଚିନ୍ତା କରିବା ଦରକାର । କ’ଣ ଭୁଲଭଟକା ହୋଇଛି ଶୀଘ୍ର ପଦାକୁ ଆସିଯିବ, ହେଲେ ଏହା ବିଷୟରେ ବାହାରେ କହିବା ଏହି ସମୟରେ ଠିକ ନୁହେଁ । ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ ପୂର୍ବରୁ ଏପରି ବିବାଦ ଦେଖିବାକୁ ଚାହେଁ ନାହିଁ’

ସେପଟେ ଗାଙ୍ଗୁଲି ଓ କୋହଲିଙ୍କ କଥା ମେଳ ଖାଉ ନଥିବା ବେଳେ କାହାର କଥାରେ ସତ୍ୟତା ରହିଛି, ଆଗକୁ ତ ଏହା ସ୍ପଷ୍ଟ ହେବ । ହେଲେ ଭାରତୀୟ କ୍ରିକେଟରେ ଆଗରୁ ଦେଖାଯାଇ ନଥିବା ଏପରି ବିବାଦକୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଚିନ୍ତା ବଢ଼ିଚାଲିଛି ।