କନକ ବ୍ୟୁରୋ : ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ ଦିବା ରାତ୍ର ଟେଷ୍ଟ୍ରେ ଅନେକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍ ଦଳ । ବାଂଲାଦେଶକୁ ଗୋଟିଏ ପାଳି ଏବଂ ୪୬ ରନ୍ରେ ଧ୍ବସ୍ତ ବିଧ୍ବସ୍ତ କରି ଗୋଲାପି ବଲ୍ରେ ଗୌରବମୟ ଅଭିଯାନ ଆରମ୍ଭ କରିଛି କୋହଲି ବାହିନୀ । ତା’ ସହ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଧୋନିଙ୍କୁ ଟପିଲେ କୋହଲି :
ଗୋଲାପି ଟେଷ୍ଟ୍ ବିଜୟ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି । ଲଗାତାର ସାତଟି ଟେଷ୍ଟ୍ ଜିତିବାରେ କୋହଲି ଭାରତର ପ୍ରଥମ ଅଧିନାୟକ ହୋଇଛନ୍ତି । ଏହି କ୍ରମରେ ସେ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି । ୨୦୧୩ରେ ଧୋନିଙ୍କ ନେତୃତ୍ବରେ ଭାରତ ଲଗାତାର ୬ ଟେଷ୍ଟ ଜିତିଥିଲା । ଭାରତ ମଧ୍ୟ ଲଗାତାର ପଞ୍ଚମ ଟେଷ୍ଟ ଶୃଙ୍ଖଳା ଏବଂ ଘରୋଇ ପରିବେଶରେ ଲଗାତାର ଦ୍ବାଦଶ ଶୃଙ୍ଖଳା ବିଜୟ ହାସଲ କଲା ।
କ୍ରମାଗତ ପାଳି ବିଜୟରେ ବିଶ୍ବ କୀର୍ତ୍ତିମାନ :
ଇଡେନ୍ ଗାର୍ଡେନ୍ସର ଗୋଲାପି ଟେଷ୍ଟ୍କୁ ସହଜରେ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ କ୍ରମାଗତ ପାଳି ବିଜୟରେ ବିଶ୍ବ କୀର୍ତ୍ତିମାନ କରିଛି । ଚାରିଟି ଟେଷ୍ଟ୍ରେ ଲଗାତାର ପାଳି ବିଜୟ ହାସଲ କରିବାରେ ଭାରତ ବିଶ୍ବର ପ୍ରଥମ ଦଳ ହୋଇଛି । ଏହି ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଟେଷ୍ଟ୍ରେ ଭାରତୀୟ କ୍ରିକେଟ୍ ଦଳ ପାଳି ବିଜୟ ପାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ବିଶାଖାପାଟଣାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍କୁ ଭାରତ ୨୦୩ ରନ୍ରେ ଜିତି ନେଇଥିଲା । ଏହା ପରେ ପୁନେରେ ଖେଳିଥିବା ଦ୍ବିତୀୟ ଟେଷ୍ଟ୍ରେ ଗୋଟିଏ ପାଳି ଏବଂ ୧୩୭ ରନ୍ ଏବଂ ରାଞ୍ଚିରେ ଖେଳିଥିବା ତୃତୀୟ ତଥା ଶେଷ ଟେଷ୍ଟ୍କୁ ପାଳି ଏବଂ ୨୦୨ ରନ୍ରେ ଜିତି ନେଇଥିଲା ଭାରତ । ଏହା ପରେ ଇନ୍ଦୋରରେ ଖେଳିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ପାଳି ଏବଂ ୧୩୦ ରନ୍ରେ ଜିତିଥିଲା କୋହଲି ବାହିନୀ ।