କନକ ବ୍ୟୁରୋ: ଯାହାକୁ ନିଜର ଆଦର୍ଶ ମାନି କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ, ସେହି ଖେଳାଳିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ବିରାଟ କୋହଲି । ଆଉ ତା’ ପୁଣି ସେହି ଖେଳାଳିଙ୍କ ସାମ୍ନାରେ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକକୁ ପଛରେ ପକାଇଛନ୍ତି ବିରାଟ୍ କୋହଲି । ହାସଲ କରିଛନ୍ତି କ୍ୟାରିୟରର ୫୦ତମ ଶତକ । ସବୁଠାରୁ ବଡ଼ କଥା ହେଉଛି, ଗ୍ରାଉଣ୍ଡରେ ସଚିନଙ୍କ ଉପସ୍ଥିତିରେ ହିଁ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି । ଏଥିସହ କୋହଲି ଦୁନିଆର ପ୍ରଥମ ବ୍ୟାଟର୍ ଭାବେ ମାରିଛନ୍ତି ରେକର୍ଡ ୫୦ ଶତକ । ତେବେ ଶତକ ମାରିବା ପରେ ମଇଦାନରେ ସଚିନ୍ ଆଡ଼କୁ ମୁଣ୍ଡ ନୁଆଁଇ ସଲାମ କରିଥିଲେ କୋହଲି । ଆଉ ସଚିନ୍ ମଧ୍ୟ ତାଳି ମାରି ଅଭିଭାଦନ ସ୍ୱୀକାର କରିଥିଲେ ।

Advertisment

ଦିନିକିଆରେ ଶତକ

  • ବିରାଟ କୋହଲି: ୫୦
  • ସଚିନ ତେନ୍ଦୁଲକର: ୪୯
  • ରୋହିତ୍ ଶର୍ମା: ୩୧
  • ରିକି ପଣ୍ଟିଂ: ୩୦
  • ସନତ ଜୟସୁରିୟା: ୨୮

କୋହଲି କେବଳ ସଚିନଙ୍କ ଶତକ ରେକର୍ଡ ଭାଙ୍ଗି ନାହାନ୍ତି । ଏପରିକି ଆହୁରି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । କୌଣସି ଏକ ସଂସ୍କରଣରେ ସର୍ବାଧିକ ରନର ରେକର୍ଡ ମଧ୍ୟ କୋହଲିଙ୍କ ନାଁରେ ହୋଇଛି । ଚଳିତ ସଂସ୍କରଣରେ କୋହଲି ୧୦ ମ୍ୟାଚ୍ ଖେଳି କରିଛନ୍ତି ୭୧୧ ରନ୍ । ତାଙ୍କ ପୂର୍ବରୁ ୨୦୦୩ ବିଶ୍ୱକପ୍ରେ ସଚିନ୍ ତେନ୍ଦୁଲକର ୬୭୩ ରନ୍ କରିଥିଲେ ।

ଏହାସହ କୋହଲି ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ରନ୍ ମାମଲାରେ ଅଷ୍ଟ୍ରେଲିଆର ରିକି ପଣ୍ଟିକୁ ପଛରେ ପକାଇଛନ୍ତି । ପଣ୍ଟିଂ ୩୭୫ ମ୍ୟାଚ୍ ଖେଳି ୧୩,୭୦୪ ରନ୍ କରିଥିବା ବେଳେ କୋହଲି ୨୯୧ ମ୍ୟାଚ୍ ଖେଳି କରିଛନ୍ତି ୧୩୭୯୪ ରନ୍ । ସେପଟେ ରେକର୍ଡ ପରେ ରେକର୍ଡ କରିଚାଲିଥିବା କୋହଲିଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ସଚିନ । ଲେଖିଛନ୍ତି, ସାଥୀ ଖେଳାଳିଙ୍କ ହସ ମଜାକ ଯୋଗୁଁ ତୁମେ ଯେତେବେଳେ ଡ୍ରେସିଂ ରୁମରେ ଆସି ମୋ ପାଦ ଛୁଇଁଥିଲ । ସେଦିନ ମୁଁ ମୋ ହସକୁ ରୋକିପାରିନଥିଲି । କିନ୍ତୁ ତୁମେ ଯେତେବେଳେ ଉତ୍ସାହର ସହ ଆସି ମୋ ପାଦ ଧରିଥିଲ, ମୋ ହୃଦୟକୁ ଛୁଇଁ ଯାଇଥିଲା । ମୁଁ ବହୁତ ଖୁସି, ସେହି ଯୁବକ ଆଜି ବିରାଟ ଖେଳାଳି ହୋଇପାରିଛି । ଜଣେ ଭାରତୀୟ ମୋ ରେକର୍ଡ ଭାଙ୍ଗିବା ଠାରୁ ଆଉ ବଡ଼ କିଛି ହୋଇନପାରେ ।

ଯଦିଓ କୋହଲି ଦିନିକିଆ ଶତକରେ ସଚିନଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ଏବେ ବି ସର୍ବାଧିକ ଶତକର ରେକର୍ଡ ମାଷ୍ଟର ବ୍ଲାଷ୍ଟରଙ୍କ ନାଁରେ ରହିଛି । ତେବେ ଆଗାମୀ ଦିନରେ କୋହଲି ଆହୁରି ରେକର୍ଡ କରିବେ ବୋଲି ଆଶା ରହିଛି ।