କନକ ବ୍ୟୁରୋ : ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ ମହାକୁମ୍ଭ । ତେବେ ବିଶ୍ୱକପ୍ ଆରମ୍ଭ ପୂର୍ବରୁ କୋହଲିଙ୍କର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି । କୋହଲି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ବିଶ୍ୱକପ୍ ପାଖେଇ ଆସୁଛି । କିନ୍ତୁ ମୁଁ ମୋର ବନ୍ଧୁଙ୍କୁ ବିନମ୍ରତାର ସହ କହିବାକୁ ଚାହୁଁଛି ଯେ, ଟୁର୍ଣ୍ଣାମେଣ୍ଟ ସମୟରେ ମୋତେ କେହି ଟିକେଟ ପାଇଁ ଅନୁରୋଧ କରିବେନି । ଦୟାକରି ନିଜ ଘରେ ବସି ମ୍ୟାଚର ମଜା ଉଠାନ୍ତୁ । କୋହଲିଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପ୍ରଂଶସକ ମଧ୍ୟ କମେଣ୍ଟ କରିବା ଆରମ୍ଭ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
କୋହଲିଙ୍କର ଏହି ସୋସିଆଲ ମିଡ଼ିଆ ପୋଷ୍ଟ ପରେ ଏକଥା ସ୍ପଷ୍ଟ ହୋଇଛି ଯେ, ମ୍ୟାଚ ସମୟରେ କୋହଲିଙ୍କୁ ତାଙ୍କ ବନ୍ଧୁ ଟିକେଟ ପାଇଁ ଅନୁରୋଧ କରିଥାନ୍ତି । କାରଣ ବିଶ୍ୱକପର ଅଧିକାଂଶ ମ୍ୟାଚର ଡିମାଣ୍ଡ ଯଥେଷ୍ଟ ଅଧିକ ରହିଥାଏ । ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଟିକେଟ ମିଳିନଥାଏ । ତେଣୁ ଖେଳାଳୀଙ୍କର ବନ୍ଧୁ ଓ ସର୍ମ୍ପକୀୟ ଟିକେଟ କିମ୍ବା ପାସ୍ ପାଇଁ ଖେଳାଳୀଙ୍କୁ ଅନୁରୋଧ କରିଥାନ୍ତି ।
ବିରାଟଙ୍କ ପୋଷ୍ଟକୁ ସେୟାର କରି ପତ୍ନୀ ଅନୁଷ୍କା ମଧ୍ୟ ଲେଖିଛନ୍ତି, ମୁଁ ମଧ୍ୟ ଏଥିରେ ଏକ କଥା ଯୋଡିବାକୁ ଚାହୁଁଛି । ଯଦି ଆପଣଙ୍କର ମେସେଜର ଉତ୍ତର ମିଳୁନି ତେବେ ମୋତେ ମଧ୍ୟ ଟିକେଟ ପାଇଁ ଅନୁରୋଧ କରିବେ ନାହିଁ । ଧନ୍ୟବାଦ ସମସ୍ତଙ୍କୁ ଆମକୁ ବୁଝୁଥିବାରୁ । ବଡ ମ୍ୟାଚର ଟିକେଟ ପାଇବା ପାଇଁ ଖେଳାଳୀଙ୍କୁ ତାଙ୍କର ସମ୍ପର୍କୀୟ ଓ ବନ୍ଧୁ ଅନୁରୋଧ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ବିରାଟ କୋହଲି ବିଶ୍ୱକପ ସମୟରେ କେବଳ ମ୍ୟାଚ୍ ଉପରେ ଫୋକସ ରଖିବାକୁ ଏଭଳି ନିଷ୍ପତ୍ତି ନେଇଥିବା କୋହଲିଙ୍କ ଫ୍ୟାନ୍ କହୁଛନ୍ତି ।
ଏହାପୂର୍ବରୁ ଭାରତୀୟ ବ୍ୟାଟର କେଏଲ ରାହୁଲ ମଧ୍ୟ କହିଥିଲେ, ଯଦି ମୋତେ କେହି ବିଶ୍ୱକପରେ ଟିକେଟ ମାଗନ୍ତି ତେବେ ତାଙ୍କ ମେସେଜର ଉତ୍ତର ଦେବି ନାହିଁ । ଭାରତର ପୂର୍ବତନ ଖେଳାଳୀ ହରଭଜନ ସିଂ, ଯୁବରାଜ ସିଂ, ଆଶିଷ ନେହେରା ମଧ୍ୟ ପୂର୍ବରୁ ନିଜର ଟିକେଟ ଅନୁଭୂତି ସେୟାର କରିଛନ୍ତି । ୨୦୧୧ ବିଶ୍ୱକପର ବଡ ବଡ ମ୍ୟାଚରେ ସେମାନଙ୍କର ବନ୍ଧୁ ଟିକେଟ ପାଇଁ ଅନୁରୋଧ କରୁଥିଲେ ବୋଲି କହିଥିଲେ । ଏପରିକି ଭାରତ-ପାକିସ୍ତାନର ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ସେମିଫାଇନାଲ ମୁକାବିଲା ପାଇଁ ମଧ୍ୟ ଟିକେଟ ଯୋଗାଡ କରିବାକୁ ତାଙ୍କ ବନ୍ଧୁ ମାନେ କହୁଥିଲେ ବୋଲି କହିଛନ୍ତି ।
ଅକ୍ଟୋବର ୫ରୁ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ଭାରତ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସହ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ତେବେ ଅକ୍ଟୋବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି । ଭାରତ ଖେଳିବାକୁ ଥିବା ବିଶ୍ୱକପର ସମସ୍ତ ମ୍ୟାଚର ଟିକେଟ ବିକ୍ରି ହୋଇ ସାରିଛି । ସେହିଭଳି ବଡ ବଡ ଟିମ୍ ଖେଳୁଥିବା ମ୍ୟାଚର ଟିକେଟ ମଧ୍ୟ ଶେଷ ହୋଇଛି । ତେଣୁ ଚଳିତ ବିଶ୍ୱକପର ଅଧିକାଂଶ ମ୍ୟାଚରେ ଷ୍ଟାଡିୟମରେ ଖଚାଖଚ ଭିଡ ଦେଖିବାକୁ ମିଳିବ ।