ଟି-୨୦ ବିଶ୍ୱକପ୍ ପୂର୍ବରୁ ବିରାଟଙ୍କ ବଡ ଘୋଷଣା ।  ଟି-୨୦ ଅଧିନାୟକ ପଦ ଛାଡିବେ, ଟ୍ୱିଟରରେ କହିଲେ ଏମିତି କଥା ।

167

କନକ ବ୍ୟୁରୋ : ଟି-୨୦ ଅଧିନାୟକ ପଦ ଛାଡିବେ କ୍ୟାପଟେନ କୋହଲି । ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିରାଟ । ତେବେ ପୂର୍ବଭଳି ଦିନିକିଆ ଓ ଟେଷ୍ଟ ମ୍ୟାଚର ଅଧିନାୟକ ରହିବେ ବିରାଟ । ପୂର୍ବରୁ ଏନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ନିଜେ ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ବିରାଟ ।  କୋଚ ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବିରାଟ । ବିସିସିଆଇ ସଭାପତି ଓ ସମ୍ପାଦକଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଛନ୍ତି ବିରାଟ । ଆସନ୍ତା ମାସରେ ଦୁବାଇରେ ଟି-୨୦ ବିଶ୍ୱକପ ଖେଳାଯିବ । ଆଉ ଏହାପରେ ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡିବେ ବିରାଟ । କେବଳ ଟି-୨୦ ଟିମରେ ବ୍ୟାଟସମ୍ୟାନ ଭାବେ ଖେଳିବେ ବିରାଟ ।  ଏହାସହ ଅଧିନାୟକ ଭାବେ ତାଙ୍କୁ ସମର୍ଥନ କରିଥିବାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିରାଟ । ଆଗକୁ ମଧ୍ୟ ଟିମ୍ ଇଣ୍ଡିଆ ଓ ଭାରତ ପାଇଁ ଭଲ ପ୍ରଦର୍ଶନ କରିବି ବୋଲି କହିଛନ୍ତି ବିରାଟ ।

କୋହଲି ୨୦୧୭ରେ ଟି-୨୦ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ ।  ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଭାର କୋହଲିଙ୍କ ଉପରକୁ ଆସିଥିଲା । ଏହା ପରଠାରୁ କୋହଲି ମୋଟ ୪୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରହିଥିଲେ । ସେ ଭିତରୁ ସେ ୨୫ଟି ମ୍ୟାଚରେ ବିଜୟୀ ହାସଲ କରିଥିବାବେଳେ ୧୪ଟିରେ ପରାଜିତ ହୋଇଛନ୍ତି ।  ତା ଭିତରୁ ଦୁଇଟି ମୁକାବିଲା ଡ୍ର ହୋଇଥିବାବେଳେ ଗୋଟିଏ ବାତିଲ ହୋଇଥିଲା । ଅଧିନାୟକ ଭାବେ କୋହଲିଙ୍କ ବିଜୟ ପ୍ରତିଶତ ୬୫.୧୧ ପ୍ରତିଶତ ରହିଥିଲା ।

ଟି-୨୦ ଦଳର ଅଧିନାୟକ ଭାବେ କୋହଲି ପ୍ରଥମ ଥର ପାଇଁ ଆଇସିସି ବିଶ୍ୱକପ୍ ଖେଳିବେ । ଯାହାକି ଅଧିନାୟକ ଭାବେ ତାଙ୍କର ଶେଷ ଟି-୨୦ ବିଶ୍ୱକପ୍ ହେବ । ଏହାପୂର୍ବରୁ ସମସ୍ତ ଟି-୨୦ ବିଶ୍ୱକପରେ ଧୋନୀ ହିଁ ଦଳର ନେତୃତ୍ୱ ନେଉଥିଲେ । କୋହଲି ନେତୃତ୍ୱ ନେବା ପରଠାରୁ ଭାରତ ଆଇସିସି ଟି-୨୦ ବିଶ୍ୱକପ୍  ଖେଳିନାହିଁ ।  ତେଣୁ ଏହି ଟି-୨୦ ବିଶ୍ୱକପରେ ବିଜୟୀ ହେବା ଲକ୍ଷ୍ୟରେ ରହିବ ବିରାଟ ବାହିନୀ ।