କୋଲକାତା ବିଜୟ ସହ ସିରିଜ କ୍ଲିନ୍ ସୁଇପ କଲା କୋହଲି ଆଣ୍ଡ କୋ’ । ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ମାତ୍ ଦେଲା ବିରାଟ ବାହିନୀ ।

815

କନକ ବ୍ୟୁରୋ : କୋଲକାତାରେ କମାଲ କଲେ କୋହଲି ଆଣ୍ଡ କୋ’ । ଇଡେନ ଗାର୍ଡେନରେ ଖେଳାଯାଇଥିବା ଐତିହାସିକ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ବାଜି ମାରି ନେଇଛି ବିରାଟ ବାହିନୀ । ବାଂଲାଦେଶକୁ ଇନିଂସ ଓ ୪୬ ରନରେ ମାତ୍ ଦେଇ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନସୁଇପ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଇନ୍ଦୋର ଟେଷ୍ଟକୁ ଇନିଂସ ଓ ୧୩୦ ରନରେ ଜିତି ନେଇଥିଲା ଭାରତ । ଏହି ବିଜୟ ସହ ଭାରତ ଆଇସିସି ବିଶ୍ୱ ଚାମ୍ପିୟନସିପରେ ଲଗାତାର ୭ମ ବିଜୟ ହାସଲ କରିଛି । ବିଶ୍ୱ ଚାମ୍ପିୟନସିପରେ ଭାରତ ୩୬୦ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି । ଆଉ ଏହାଦ୍ୱାରା ବିଶ୍ୱ ଚାମ୍ପିୟନସିପର ପଏଣ୍ଟ ଟେବୁଲ ତାଲିକାରେ ନିଜ ସ୍ଥାନକୁ ଆହୁରି ସୁରକ୍ଷିତ କରିଛି ଭାରତ ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ବାଂଲାଦେଶ । ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ବାଂଲାଦେଶ ଟିମ୍ । ମାତ୍ର ୧୦୬ ରନରେ ଅଲଆଉଟ ହୋଇଥିଲା ପୂରା ଟିମ୍ । ଜବାବରେ କ୍ୟାପଟେନ କୋହଲିଙ୍କ ଦମଦାର ଶତକ ବଳରେ ୯ ୱିକେଟ ବିନିମୟରେ ୩୪୭ ରନ କରି ପାଳି ଘୋଷଣା କରିଥିଲା ଭାରତ । ୨୪୧ ରନରେ ପଛୁଆ ରହି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା ବାଂଲାଦେଶ । ତେବେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ସମଦଶା ଭୋଗିଥିଲା ବାଂଲାଦେଶ । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆକ୍ରମଣରେ ମାତ୍ର ୧୯୫ ରନରେ ଧରାଶାୟୀ ହୋଇ ପ୍ୟାଭିଲିୟନ ଫେରିଥିଲା ପୂରା ବାଂଲାଦେଶ ଟିମ୍ । ଆଉ ଏହାସହ ମ୍ୟାଚକୁ ୪୬ ରନରେ ବାଜି ମାରି ନେଇଥିଲା ବିରାଟ ବାହିନୀ । ପ୍ରଥମ ଇନିଂସରେ ଇଶାନ୍ତ ଓ ଦ୍ୱିତୀୟ ଇନିଂସରେ ଉମେଶ ୫ଟି ଲେଖାଏଁ ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।