କନକ ବ୍ୟୁରୋ : ପୁରୁଣା ଫର୍ମକୁ ଫେରିଲେ କୋହଲି । ବିସ୍ଫୋରକ ଶତକ ସହ ସମାଲୋଚକଙ୍କ ମୁହଁ କଲେ ଚୁପ୍ । ଆଉ ଏହାସହ ରଚିଛନ୍ତି ଅନେକ ନୂଆ ରେକର୍ଡ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୋହଲିଙ୍କ ଶତକର ପ୍ରଶଂସାରେ ଏବେ ଶତମୁଖ କ୍ରିକେଟର ଓ କ୍ରିକେଟପ୍ରେମୀ । ୧୦୨୦ ଦିନ ପରେ ବିରାଟଙ୍କ ବ୍ୟାଟରୁ ବାହାରିଛି ବହୁ ପ୍ରତିକ୍ଷିତ ଶତକ । ତେବେ ବିରାଟଙ୍କ ଏହି ଶତକକୁ ନେଇ କେବଳ ଭାରତୀୟ କ୍ରିକେଟ ପ୍ରଶଂସକ ନୁହେଁ ବରଂ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ମଧ୍ୟ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ବିରାଟଙ୍କ ଶତକକୁ ନେଇ ସୋସିଆଲ ମିଡ଼ିଆରେ ପୁରୁଣା ଫଟୋ ସେୟାର କରିବା ସହ ଡିଭିଲିୟର୍ସ କହିଛନ୍ତି, ମ୍ୟାଚ ପୂର୍ବଦିନ କୋହଲିଙ୍କ ସହ କଥା ହୋଇଥିଲି, ଲାଗୁଥିଲା କିଛି ତ ଗୋଟେ ବଡ ହେବାକୁ ଯାଉଛି । ବହୁତ ଭଲ ଖେଳିଲ ବନ୍ଧୁ । ତୁମ ଇନିଂସ ଦେଖିବାକୁ ନାଚିବାକୁ ଇଚ୍ଛା ହେଉଛି, କି ଚମକ୍ରାର ଖେଳ । କ୍ରିକେଟ ଜଗତରେ ଡିଭିଲିୟର୍ସ ଓ କୋହଲି ବେଶ ଭଲ ବନ୍ଧୁ ଭାବେ ଜଣାଶୁଣା । ଉଭୟ ପରସ୍ପରକୁ ବିଭିନ୍ନ ସମୟରେ ଉତ୍ସାହିତ କରିଥାନ୍ତି ।

Advertisment

କେବଳ ଡିଭିଲିୟର୍ସ ନୁହଁନ୍ତି ସୁରେଶ ରୈନା, ଭିଭିଏସ୍ ଲକ୍ଷ୍ମଣ, ହରଭଜନ ସିଂ, ସୋଏବ ଅଖତରଙ୍କ ଭଳି ପୂର୍ବତନ ଖେଳାଳୀ ମଧ୍ୟ କୋହଲିଙ୍କ ବିସ୍ଫୋରକ ଇନିଂସକୁ ପ୍ରଶଂସା କରିଛନ୍ତି । ତେବେ କୋହଲିଙ୍କ ଶତକକୁ ନେଇ ରାହୁଲ କହିଛନ୍ତି, ଏହା ଆମ ଟିମ୍ ପାଇଁ ଶୁଭ ସଂକେତ ।ଏହି ଶତକ ସହ କୋହଲି ଅନେକ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଏହି ଶତକ ସହ ଅର୍ନ୍ତଜାତୀୟ କ୍ରିକେଟରେ ୭୧ ତମ ଶତକ ହାସଲ କରିବା ସହ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ରିକିଂ ପଣ୍ଟିଂ ୭୧ଟି ଶତକ ମାରିଥିବା ବେଳେ କୋହଲି ମଧ୍ୟ ସମାନ ୭୧ଟି ଶତକ ହାସଲ କରିଛନ୍ତି । କୋହଲିଙ୍କ ଉପରକୁ କେବଳ ସଚିନ୍ ତେନ୍ଦୁଲକର ହିଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୧୦୦ଟି ଶତକ ହାସଲ କରିଛନ୍ତି ।

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଏହା କୋହଲିଙ୍କର ପ୍ରଥମ ଶତକ । ୧୨୨ ରନର ଅପରାଜିତ ଇନିଂସ ଖେଳିଥିବା କୋହଲି ଅନ୍ତର୍ଜାତୀୟ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ସଫଳ ହୋଇଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ରହିଥିଲା । ଏହାସହ ଟି-୨୦ରେ ଛକା ମାରିବାରେ ମଧ୍ୟ ଶତକ ହାସଲ କରିଛନ୍ତି କୋହଲି । ରୋହିତଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କୋହଲି ଟି-୨୦ରେ ୧୦୦ରୁ ଅଧିକ ଛକା ମାରିଛନ୍ତି । ସେହିଭଳି ଚୌକା ମାରିବାରେ ମଧ୍ୟ କୋହଲି ତୃତୀୟ ସ୍ଥାନକୁ ଉଠିଛନ୍ତି ।

ଅନ୍ୟପଟେ ଶତକ ହାସଲ ପରେ ଏହାର ଶ୍ରେୟ ପତ୍ନୀ ଅନୁଷ୍କା ଓ ଝିଅ ଭାମିକାଙ୍କୁ ଦେଇଛନ୍ତି କୋହଲି । ଯିଏ କଠିନ ସମୟରେ ବି ମୋ ସାଥୀରେ ଛିଡା ହୋଇଥିଲେ । ଆଉ ବ୍ରେକରୁ ଆସିବା ପରେ ମୋର ବଡ ଇନିଂସ ଖେଳିବାକୁ ଆତ୍ମବିଶ୍ୱାସ ବଢିଥିଲା । ଟିମ୍ ମ୍ୟାନେଜମେଣ୍ଟର ମଧ୍ୟ ବହୁତ ସହଯୋଗ ମିଳିଛି । ଏହି ସମୟ ମଧ୍ୟରେ ବହୁତ ଭଲ କ୍ରିକେଟ ଖେଳିବାକୁ ଚେଷ୍ଟା କରିଛି । କିନ୍ତୁ ଆଶ୍ଚର୍ଯ୍ୟ ହୋଇଛି ଯେ, ମୋର ଅର୍ଦ୍ଧଶତକକୁ ମଧ୍ୟ ବିଫଳତା ବୋଲି ଗଣାଯାଉଥିଲା । ତେଣୁ କ୍ରିକେଟପ୍ରେମୀ ମୋ ଠାରୁ କଣ ଚାହୁଁଥିଲେ ତାହା ମୁଁ ବୁଝିପାରିଥିଲି । ଆଉ ଭଗବାନଙ୍କ କୃପାରୁ ଏକ ବଡ ଇନିଂସ ଖେଳିବାରେ ସଫଳ ହୋଇଥିଲି ବୋଲି କୋହଲି କହିଛନ୍ତି ।