ଟେଷ୍ଟ ଅଧିନାୟକ ପଦ ଛାଡିବାର ୨୪ ଘଣ୍ଟା ପୂର୍ବରୁ ସାଥୀ ଖେଳାଳୀଙ୍କୁ ଜଣାଇଥିଲେ କୋହଲି । ଆଉ ଅନୁରୋଧ କରି କହିଥିଲେ… ।

723

କନକ ବ୍ୟୁରୋ : ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି । ଶନିବାର ଅପ୍ରତ୍ୟାଶିତ ଭାବେ ଟେଷ୍ଟ ଅଧିନାୟକ ପଦକୁ ବାଏ ବାଏ କରିଛନ୍ତି  କୋହଲି । ଏଣିକି ବିରାଟଙ୍କୁ କେବଳ ବ୍ୟାଟର ଭୂମିକାରେ ଟିମରେ ଦେଖିବାକୁ ମିଳିବ । ତେବେ ବିରାଟ ହଠାତ୍ ଏଭଳି ଅଧିନାୟକ ପଦ ଛାଡିବା ଅନେକ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଟେଷ୍ଟ କ୍ରିକେଟର ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟରରେ ଘୋଷଣା କରିବାର ୨୪ ଘଣ୍ଟା ପୂର୍ବରୁ ନିଜ ସାଥୀ ଖେଳାଳୀଙ୍କୁ ଏ ବାବଦରେ ଜଣାଇଥିଲେ କୋହଲି ।

କେପଟାଉନ ଟେଷ୍ଟ ହାରିବା ସହ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ହାରିଥିଲା । ଆଉ ଏହାପରେ ଡ୍ରେସିଂ ରୁମରେ ଆଲୋଚନା ବେଳେ ଟେଷ୍ଟ ଟିମର ଅଧିନାୟକ ପଦ ଛାଡୁଥିବା ନେଇ ସାଥୀ ଖେଳାଳୀଙ୍କୁ ସୂଚନା ଦେଇଥିଲେ କୋହଲି । ସେତେବେଳେ ବିରାଟଙ୍କ ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ କୋହଲି ଏହି ନିଷ୍ପତ୍ତି ଜଣାଇବା ପରେ ସାଥୀ ଖେଳାଳୀଙ୍କୁ ଅନୁରୋଧ କରିଥିଲେ ଏହି ଖବରକୁ ଡ୍ରେସିଂ ରୁମ ବାହାରେ କାହା ସହ ସେୟାର ନ କରିବା ପାଇଁ । ଡ୍ରେସିଂ ରୁମ୍ ମିଟିଂର ୨୪ ଘଣ୍ଟା ପରେ କୋହଲି ସୋସିଆଲ ମିଡ଼ିଆରେ ନିଜ ନିଷ୍ପତ୍ତି ବାବଦରେ ଜଣାଇଥିଲେ ।

ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ବିରାଟ କୋହଲି ସବୁଠୁ ସଫଳତମ ଅଧିନାୟକ ଭାବେ ଜଣାଶୁଣା । ୨୦୧୪-୧୫ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ସେତେବେଳେ ଭାରତ ଟେଷ୍ଟ ରାକିଂରେ ୭ ନମ୍ବର ସ୍ଥାନରେ ରହିଥିଲା । ଆଉ ଏହାପରେ ଦଳର ମଙ୍ଗ ଧରିଥିଲେ କୋହଲି ।  ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆକୁ ନମ୍ବର-୧ କରିବା ସହ ଦୀର୍ଘ ୫ ବର୍ଷ ଧରି ଏହି ଟ୍ରେଣ୍ଡ ଜାରି ରଖିଥିଲେ । ବିରାଟଙ୍କ ନେତୃତ୍ୱରେ ଭାରତ ୬୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟୀ ହୋଇଛି । ଖାସକରି ବିଦେଶ ମାଟିରେ ବିରାଟଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ମାଟିରେ ଭାରତ ବିଜୟର ସ୍ୱାଦ ଚାଖିଛି  ।