କୋହଲିଙ୍କ ପାଇଁ ଶେଷ ସୁଯୋଗ! ଆଇପିଏଲରେ ଚାମ୍ପିୟନ ନହେଲେ ଯାଇପାରେ ବାଙ୍ଗାଲୋର ଅଧିନାୟକ ପଦ!

175

କନକ ବ୍ୟୁରୋ : ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିବା ପରେ ଏବେ କୋହଲିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଆଇପିଏଲ ପୂର୍ବରୁ ଅନେକ ଲୋକ କହିଛନ୍ତି, ବିରାଟ କୋହଲିଙ୍କୁ ଆରସିବି କ୍ୟାପଟେନ ପଦ ମଧ୍ୟ ଛାଡିଦେବା ଉଚିତ୍ । କାରଣ ଆଇପିଏଲରେ ମଧ୍ୟ କୌଣସି ଅର୍ନ୍ତଜାତୀୟ ମ୍ୟାଚ ଠାରୁ କମ ଚାପ ନଥାଏ । ତେଣୁ ଚଳିତ ଆଇପିଏଲ ଏବେ ବିରାଟଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଛିଡା କରିଛି । ଯଦି ଆଇପିଏଲ-୧୪ରେ ଆରସିବି ଚାମ୍ପିୟନ ନହୁଏ ତେବେ କୋହଲିଙ୍କ କ୍ୟାପଟେନ ପଦ ଉପରେ ସଙ୍କଟର କଳାବାଦଲ ଛାଇଯିବ । ଏପରିକି କୋହଲିଙ୍କୁ କ୍ୟାପଟେନ ପଦ ମଧ୍ୟ ଛାଡିବାକୁ ପଡିପାରେ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ କମିବା ପରେ ଅଥାର୍ତ ଡିସେମ୍ବର ୨୦୨୦ ପରଠାରୁ ଟିମ୍ ଇଣ୍ଡିଆ ମୋଟ ୮ଟି ଟି-୨୦ ମୁକାବିଲା ଖେଳିଛି । କିନ୍ତୁ ଆଇପିଏଲରେ ମଧ୍ୟ କୋହଲି ପ୍ରାୟ ସେତିକି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଛନ୍ତି । ତେବେ ଆଇପିଏଲରେ ଅଧିନାୟକ ଦାୟିତ୍ୱ ତୁଲାଇବା ଏତେ ସହଜ କଥା ନୁହେଁ । ଖାସକରି ବିରାଟଙ୍କ ପାଇଁ ଏବେ ଚ୍ୟାଲେଞ୍ଜ ଅଧିକ ବଡ ରହିଛି ଓ ଦଳକୁ ଚାମ୍ପିୟନ କରିବାର ଚାପ ମଧ୍ୟ ରହିଛି । ସବୁଠୁ ବଡ କଥା ହେଲା ବ୍ୟାଟସମ୍ୟାନ ଭାବେ ବିରାଟ ଯେତିକି ସଫଳତା ପାଇଛନ୍ତି ଅଧିନାୟକ ଭାବେ ସେତିକି ସଫଳତା ଆଇପିଏଲରେ ପାଇନାହାନ୍ତି କୋହଲି ।

ବିରାଟ କୋହଲି ୨୦୧୩ରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ରହିଥିଲେ ମଧ୍ୟ ଥରୁଟିଏ ମଧ୍ୟ ଟାଇଟଲ ଜିତିବାର ସକ୍ଷମ ହୋଇନାହାନ୍ତି । ଏପରିକି ୨୦୧୬ ପରଠାରୁ ମାତ୍ର ଥରେ ଗତବର୍ଷ ପ୍ଲେଅଫ୍ ଖେଳିବାକୁ ସୁଯୋଗ ପାଇଥିଲା ବାଙ୍ଗାଲୋର । ୨୦୧୭ ଓ ୨୦୧୯ରେ ଦଳ ପଏଣ୍ଟ ତାଲିକାର ଶେଷରେ ରହିଥିବା ବେଳେ ୨୦୧୮ରେ ୬ଷ୍ଠ ନମ୍ବରରେ ରହିଥିଲା । ତେବେ କୋହଲିଙ୍କ ପାଇଁ ୨୦୧୬ ଆଇପିଏଲ ବେଶ ଭଲ ଯାଇଥିଲା । ଏହି ସିଜିନରେ କୋହଲି ୯୭୩ ରନ୍ କରିଥିବା ବେଳେ ଶତକ ମଧ୍ୟ ମାରିଥିଲେ । ଏହାପରେ ୨୦୧୮ରେ କୋହଲି ୫୦୦ରୁ ଅଧିକ ସ୍କୋର କରିଥିଲେ । କିନ୍ତୁ ୨୦୨୧ ଆଇପିଏଲରେ ଏଯାଏଁ ଖେଳାଯାଇଥିବା ମ୍ୟାଚରେ କୋହଲି ମାତ୍ର ଗୋଟିଏ ଅର୍ଦ୍ଧଶତକ ମାରିଥିବା ବେଳେ ମାତ୍ର ୧୯୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ତେଣୁ ବଳକା ୭ଟି ମ୍ୟାଚରେ କୋହଲି କଣ କରିସ୍ମା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।