ଟ୍ରେନ୍ ଟିକେଟରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବର ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜାଣିନଥିଲେ ଜାଣିରଖନ୍ତୁ… ନହେଲେ ପଡିପାରନ୍ତି ଅସୁବିଧାରେ

245

କନକ ବ୍ୟୁରୋ : ଦୂର ସ୍ଥାନକୁ ଟ୍ରେନରେ ଯାତ୍ରା କରିବା ସବୁଠୁ ସହଜ । ସେ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯିବା କଥା ହେଉ କିମ୍ବା କୌଣସି କାମରେ ଦୂର ସ୍ଥାନକୁ ଯିବା କଥା ହେଉ ସମସ୍ତେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ସେଥିପାଇଁ ମାସକ ଆଗରୁ ଟ୍ରେନ୍ ଟିକେଟ୍ ମଧ୍ୟ ବୁକ୍ କରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି ଟ୍ରେନ୍ ଟିକେଟ୍ ଉପରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବର କଣ ସୂଚାଏ? ଯଦି ଜାଣି ନାହାନ୍ତି ତେବେ ଯାତ୍ରୀଙ୍କ ପାଇଁ ଏହା ଜାଣିବା ନିହାତି ଜରୁରୀ ।
ଟ୍ରେନ୍ ଟିକେଟ୍ ବୁକ୍ କରିବା ପରେ ଯଦି କୌଣସି ବ୍ୟକ୍ତି ସିଟର ଷ୍ଟାଟସ ଜାଣିବାକୁ ଚାହାଁନ୍ତି ତେବେ ଟିକେଟ୍ ଉପରେ ଥିବା ୧୦ ଅଙ୍କ ବିଶିଷ୍ଟ ନମ୍ବର ଗୁରୁତ୍ୱପୂର୍ଣ୍ଣ ଅଟେ । ଟିକେଟ୍ ଉପରେ ଥିବା ୧୦ ଅଙ୍କ ବିସିଷ୍ଟ ନମ୍ବରକୁ ପି.ଏନ୍.ଆର ନମ୍ବର କୁହାଯାଏ । ଏହି ନମ୍ବରକୁ ବ୍ୟବହାର କରି ଯାତ୍ରୀ ସିଟ୍ କନଫର୍ମ ହୋଇଛି କି ନାହିଁ, ଆରଏସି ହୋଇଛି ବା ୱେଟିଂରେ ରହିଛି ତାହା ଅତି ସହଜରେ ଜାଣିପାରିବେ । କେବଳ ଏତିକି ନୁହେଁ ପି.ଏନ.ଆର ନମ୍ବର ଯାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରିଥାଏ । ଏହି ପି.ଏନ.ଆର ନମ୍ବର ମନଇଛା ବନିନଥାଏ । ଏହା ପଛରେ ପୂରା ସିଷ୍ଟମ୍ ରହିଛି । କାରଣ ଏହି ପି.ଏନ.ଆର ନମ୍ବରରେ ଯାତ୍ରୀଙ୍କ ସମସ୍ତ ତଥ୍ୟ ରହିଥାଏ । ନାଁ, ଗାଁ, ଠିକଣା, କେଉଁ ସ୍ଥାନକୁ ଯାତ୍ରୀ ଯାତ୍ରା କରିବାକୁ ଯାଉଛନ୍ତି, କେଉଁ ତାରିଖରେ ଯାତ୍ରା କରିବେ । ଟ୍ରେନର କେଉଁ ସିଟରେ ବସିବେଠୁ ଆରମ୍ଭ କରି ମୋବାଇଲ ନମ୍ବର । ସମସ୍ତ ତଥ୍ୟ ଏହି ପି.ଏନ.ଆର ନମ୍ବରରେ ରହିଥାଏ । ଯଦି ଟ୍ରେନ୍ ଟିକେଟ୍ ହଜିଯାଏ ତେବେ ଆପଣଙ୍କ ଟିକେଟର ପି.ଏନ.ଆର ନମ୍ବର ମାଧ୍ୟମରେ ସମସ୍ତ ତଥ୍ୟ ଅନ୍ୟ କାହା ହାତରେ ଲାଗିବାର ସମ୍ଭାବନା ଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି କିଭଳି ପି.ଏନ.ଆର ନମ୍ବରକୁ ଯାଞ୍ଚ କରିବେ ?
ଏଠାରେ କହିରଖୁଛୁକି, ଯାତ୍ରୀ ରେଲୱେ ୱେବସାଇଟ୍ www.indianrail.gov.in  ସାହାଯ୍ୟରେ ପି.ଏନ.ଆର ନମ୍ବର ପକାଇ ଯାଞ୍ଚ କରିପାରିବେ । ଏହାଛଡା ରେଳ ଷ୍ଟେସନରେ ଇନକ୍ୱାରି କାଉଣ୍ଟର ରହିଥାଏ । ସେଠାକୁ ଯାଇ ଯାତ୍ରୀ ପିଏନଆର ନମ୍ବର ଦେଖାଇଲେ ଯାତ୍ରୀଙ୍କୁ ସବିଶେଷ ତଥ୍ୟ ମିଳିପାରିବ ।