ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେଉଛନ୍ତି ପକ୍ଷୀ । ବିଶ୍ୱରେ ହ୍ରାସପାଉଛି ପକ୍ଷୀଙ୍କ ସଂଖ୍ୟା ।

210

କନକ ବ୍ୟୁରୋ : ଦିନକୁ ଦିନ କମିଚାଲିଛି ପକ୍ଷୀଙ୍କ ସଂଖ୍ୟା । ପରିବେଶ ସମ୍ବନ୍ଧୀୟ ଅଧ୍ୟୟନରୁ ଜଣାପଡିଛି ବିଶ୍ୱରେ ପକ୍ଷୀଙ୍କ ସଂଖ୍ୟା ହ୍ରାସପାଉଛି । ଅନେକ ପ୍ରଜାତି ବିଲୁପ୍ତ ଅବସ୍ଥାରେ ପହଞ୍ଚିସାରିଛନ୍ତି । ଯଦି ସଠିକ ପଦକ୍ଷେପ ନିଆଯିବନାହିଁ ତେବେ ମହାବିନାଶର ପ୍ରଥମ ଲହର ଦେଖିବାକୁ ପାଇବା । ପକ୍ଷୀମାନଙ୍କୁ ସଂରକ୍ଷଣ ପାଇଁ ଆମକୁ ପ୍ରାକୃତିକ ଦୁନିଆରେ ମାନବୀୟ ଦଖଲକୁ ବନ୍ଦ କରିବାକୁ ପଡିବ । ବିଭିନ୍ନ ସଂସ୍ଥାନ ଦ୍ୱାରା ହେଉଥିବା ଅନୁସନ୍ଧାନରେ ଜଣାପଡିଛି ସାରା ବିଶ୍ୱରୁ ପକ୍ଷୀ ସଂଖ୍ୟା ଧିରେ ଧରେ କମିଚାଲିଛି ।

ଗୋଟିଏ ରିପୋର୍ଟରେ ଜଣାପଡିଛି ପକ୍ଷୀମାନେ ବିଲୁପ୍ତ ହେବାର କାରଣ ହେଉଛି ଜୈବବିବିଧତାରେ ଥିବା ସେମାନଙ୍କର ପ୍ରାକୃତିକ ଆବାସ ନଷ୍ଟ ହେବା । ଏହା ହେବା ଦ୍ୱାରା ଧିରେ ଧିରେ ପକ୍ଷୀ ବିଲୁପ୍ତ ହୋଇଚାଲିଛନ୍ତି । କେବଳ ଏତିକି ନୁହେଁ ପକ୍ଷୀଙ୍କ ସଂଖ୍ୟା କମିବା ପଛରେ ଜଳବାୟୁର ପରିବର୍ତ୍ତନ ଆଉଗୋଟିଏ ବଡ କାରଣ । ନିକଟରେ କୋନେଲ ବିଶ୍ୱବିଦ୍ୟାଳୟର ବାର୍ଷିକ ପରିବେଶ ଓ ସମ୍ବଳର ସମୀକ୍ଷା ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟର ପ୍ରମୁଖ ଲେଖକ ଆଲେକଜାଣ୍ଡର ଲିଜ୍ କହିଛନ୍ତି, ଆମେ ବର୍ତ୍ତମାନ ପକ୍ଷୀଙ୍କର ବିଭିନ୍ନ ପ୍ରଜାତିର ମହାବିନାଶର ନୂଆ ଲହରର ସଙ୍କେତକୁ ଦେଖୁଛୁ । ବାୟୁ ବିବିଧତା ବିଭିନ୍ନ ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି । ଆଉ ଏହି ଅଞ୍ଚଳରେ ହିଁ ଅନେକ ପ୍ରଜାତିର ପକ୍ଷୀ ସଙ୍କଟଗ୍ରସ୍ତ ଅଛନ୍ତି ।

ଅଧ୍ୟୟନରୁ ଜଣାପଡିଛି, ସାରା ବିଶ୍ୱରେ ପକ୍ଷୀଙ୍କର ବିଭିନ୍ନ ପ୍ରଜାତି ଥିବା ବେଳେ ସେଥିରୁ ୪୮ ପ୍ରତିଶତ ବର୍ତ୍ତମାନ ସଙ୍କଟରେ ଅଛନ୍ତି । ୩୯ ପ୍ରତିଶତ ପକ୍ଷୀଙ୍କର ଅବସ୍ଥା ସ୍ଥିରରହିଛି । କେବଳ ମାତ୍ର ୬ ପ୍ରତିଶତ ପକ୍ଷୀଙ୍କ ସଂଖ୍ୟା ବଢୁଛି । ଆଉ ବାକି ରହିଥିବା ୭ ପ୍ରତିଶତ ପ୍ରଜାତିଙ୍କ ସଂଖ୍ୟା ବିଷୟରେ ତଥ୍ୟ ମିଳିପାରିନାହିଁ । ଏହି ଗବେଷଣା ବେଳେ ବିଭିନ୍ନ ପ୍ରଜାତିର ୧୧ ହଜାର ପକ୍ଷୀଙ୍କୁ ଅନୁଧ୍ୟାନ କରାଯାଇଥିଲା ।ଏହି ରିପୋର୍ଟ ୨୦୧୯ରେ ହୋଇଥିବା ରିପୋର୍ଟର ତଥ୍ୟ ଭଳି ସମାନ ରହିଛି । ଯେଉଁଥିରେ ଜଣାପଡିଥିଲା ଆମେରିକା, କାନାଡାରେ ଗତ ୫୦ ବର୍ଷରେ ପାଖାପାଖି ୩ଅରବ ପକ୍ଷୀ ବିଲୁପ୍ତ ହୋଇଛନ୍ତି । ସେହିଭଳି ରିସର୍ଚ୍ଚରୁ ପକ୍ଷୀଙ୍କ ଜନସଂଖ୍ୟା କମ ହେବା କିମ୍ବା ବିଲୁପ୍ତ ହେବାର କାରଣ ସାମ୍ନାକୁ ଆସିଛି । ପରିବେଶ ଆମ ସ୍ୱାସ୍ଥ୍ୟର ଗୋଟିଏ ସମ୍ବେଦନଶୀଳ ଅଂଶ । ଏଣୁ ଏହାର ଜୈବବିବିିଧତାକୁ ହରାଇବାର ଅର୍ଥ ଆମ ପରିବେଶ ତଥା ମାନବ ସ୍ୱାସ୍ଥ୍ୟ ପାଇଁ ବଡ ସଙ୍କଟକୁ ଡାକିଆଣିବା ।

ଅଧ୍ୟୟନ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାକୁ ନେଇ ଅନୁସନ୍ଧାନକାରୀ କହିଛନ୍ତି, ପକ୍ଷୀଙ୍କ ବଂଶକୁ ସଂରକ୍ଷଣ କରିବା ପାଇଁ ଯେଉଁ ପଦକ୍ଷେପ ନିଆଯାଉଛି ସେଠାରୁ ଅନେକ ଆଶା ରହିଛି । ଏଥିପାଇଁ ଅନେକ ପରିବର୍ତ୍ତନର ଆବଶ୍ୟକତା ମଧ୍ୟ ରହିଛି । ପକ୍ଷୀମାନଙ୍କର ଭବିଷ୍ୟତ ସେମାନଙ୍କ ଆବାସ କମିବା ଏବଂ ନଷ୍ଟ ହେବାକୁ ରୋକିବା ପରେ ହିଁ ସେମାନଙ୍କୁ ବଞ୍ଚାଯାଇପାରିବ । ପ୍ରାକୃତିକ ସମ୍ପଦକୁ ନଷ୍ଟ ହେବାରୁ ରୋକିପାରିଲେ ଆମେ ପକ୍ଷୀମାନଙ୍କୁ ବଞ୍ଚାଇପାରିବା । ପକ୍ଷୀ ମାନେ ରହିଲେ ହିଁ ଆମ ପରିବେଶ ସୁନ୍ଦର ରହିବ । ତେଣୁ ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀ ଗଢିବାରେ ସଙ୍କଳ୍ପ ନେବା ।