ଦିନେ ଥିଲେ ସରପଞ୍ଚ, ଏବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ, ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୂରା ରାଜନୈତିକ କ୍ୟାରିୟର…

5,193

କନକ ବ୍ୟୁରୋ: ନୂଆ ମୁଖ୍ୟମନ୍ତ୍ରୀ ପାଇଛି ଓଡିଶା । ମୋହନ ମାଝୀ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେଇଛି । ଏଥିସହ ପାଟଣାଗଡ ବିଧାୟକ କେଭି ସିଂହଦିଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ହେବେ । ତେବେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତା ଥିଲେ ବି, ସମସ୍ତଙ୍କୁ ପଛରେ ପକାଇ ମୋହନ ମାଝୀ ବାଜି ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶା ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ମୋହନ ମାଝୀ । ୨୦୦୦, ୨୦୦୯, ୨୦୧୯ ଏବଂ ୨୦୨୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ତେବେ ଏହାପୂର୍ବରୁ ସେ ବିଧାନସଭାରେ ବିଜେପିର ମୁଖ୍ୟ ସଚେତକ ଥିଲେ, ଆଉ ଏବେ ବିଜେପି ସତ୍ତାକୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି ।

ଦିନେ ଥିଲେ ସରପଞ୍ଚ 

ମୋହନ ମାଝୀଙ୍କ ରାଜନୈତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ ହେଇଥିଲା । ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।

୨୦୦୦ ମସିହାରେ ପ୍ରଥମ ଥର ବିଧାୟକ 

ସୂଚନା ମୁତାବକ, ୨୦୦୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ  ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ୨୨,୧୬୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଯାଏଁ କାର୍ଯ୍ୟ କରିଥିଲେ ।

୨୦୦୪ ରେ ଲଗାତାର ଦ୍ୱିତୀୟ ଥର ବିଧାୟକ 

ଏହାପରେ ୨୦୦୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ମାଧବ ସରଦାରଙ୍କୁ ୧୧,୦୦୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ ।

୨୦୦୯,୨୦୧୪ ନିର୍ବାଚନରେ ପରାଜୟ

୨୦୦୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପରାଜିତ ହେଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୯,୨୦୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଶୁଭମ ନାଏକ ତାଙ୍କୁ ୭,୨୬୯ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି  ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଧ୍ୟ ମୋହନ ମାଝୀ ପରାଜିତ ହେଇଥିଲେ ।  ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଅଭିରାମ ନାଏକ ତାଙ୍କୁ ୮,୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୯,୨୦୨୪ରେ ଲଗାତାର ବିଜୟ

ଗତ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏଥର ମଧ୍ୟ ସେ ସେହି ସମାନ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେଇଛନ୍ତି ।