କନକ ବ୍ୟୁରୋ : ନେତା କହୁଥିବା କଥା ଉପରେ ସମସ୍ତଙ୍କର ନଜର ଥାଏ । ଆଉ ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିଜ କଥା କୁହନ୍ତି, ସବୁବେଳେ ମାପିଚୁପି କୁହନ୍ତି । କାରଣ, ଗୋଟିଏ ଭୁଲ ଭଟକ୍କା କିଛି ବି ସମସ୍ୟା ସୃଷ୍ଟି କରିପାରେ । ଥରେ ଭାବନ୍ତୁ-ଏଭଳି ନେତାଙ୍କ ସ୍କ୍ରିପ୍ଟ ଲେଖୁଥିବା ବ୍ୟକ୍ତି କେତେ ଚତୁର ଓ ବୁଦ୍ଧିମାନ ହୋଇଥିବ । ରାଷ୍ଟ୍ରପତି କ’ଣ କହିବେ, କ’ଣ କରିବେ ନାହିଁ ସେହି କଥା, ଭାଷଣ ପୂର୍ବରୁ ଯାହା ଲେଖାଯାଏ, ତାହା ହିଁ ସ୍ପିଚର ସ୍କ୍ରିପ୍ଟ । ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଭାଷଣ ଲେଖିବା ପାଇଁ ନିଯୁକ୍ତ ହୋଇଥିବା ଟିମର ଇଏ ହେଉଛନ୍ତି ନିର୍ଦ୍ଦେଶକ ।

Advertisment

ନାଁ- ବିନୟ ରେଡ୍ଡୀ । ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀଙ୍କ ପୈତୃକ ଘର ତେଲେଙ୍ଗାନା ରାଜ୍ୟର କରିମ୍ନଗର ଜିଲ୍ଲା ପୋଥିରେଡ୍ଡୀପେଟା ଗାଁରେ । ହାଇଦ୍ରାବାଦ ସହରଠାରୁ ପ୍ରାୟ ଦୁଇଶହ କିଲୋମିଟର ଦୂରରେ ଏହି ଗାଁ ରହିଛି । ୭୦ ଦଶକରେ ବିନୟ ରେଡ୍ଡୀଙ୍କ ବାପା, ନାରାୟଣ ରେଡ୍ଡୀ ଆମେରିକାକୁ ଚାଲିଯାଇଥିଲେ । ନାରାୟଣ ରେଡ୍ଡୀ ଗାଁରେ ପାଠ ସାରିବା ପରେ ହାଇଦ୍ରାବାଦରେ ଡାକ୍ତରୀ ପାଠପଢା ସାରିଥିଲେ । ପରବର୍ତ୍ତୀ ସମୟରେ ସେ ଆମେରିକା ଚାଲିଯାଇଥିଲେ । ବିନୟ ରେଡ୍ଡୀ ଆମେରିକାର ଜନ୍ମ ହୋଇଛନ୍ତି, ଆଉ ସେଠି ବଢ଼ିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ତାଙ୍କ ପୈତୃକ ୩ ଏକର ଚାଷଜମି ପୋଥିରେଡ୍ଡୀପେଟା ଗାଁରେ ରହିଛି । ବିନୟ ରେଡ୍ଡୀଙ୍କ ବାପା ଓ ମା’ ଏବେ ବି ଗାଁକୁ ଆସନ୍ତି ।

ଗତବର୍ଷ ଫେବୃୟାରୀ ମାସରେ ଶେଷ ଥର ପାଇଁ ନିଜ ଗାଁକୁ ଆସିଥିଲେ । ପରିବାର ଏବଂ ଗାଁ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଅଛନ୍ତି । ବିନୟ ରେଡ୍ଡୀଙ୍କ ଜେଜେବାପା ତିରୁପତୀ ରେଡ୍ଡୀ ୮୦ ଦଶକରେ ତାଙ୍କ ଗାଁର ସରପଂଚ ଥିଲେ । ଜୋ ବାଇଡେନ୍ ଓ କମଲା ହାରିସ୍ ନିର୍ବାଚନ ଜିତିବା ପୂର୍ବରୁ ଯେତେବେଳେ ପ୍ରଚାର କରୁଥିଲେ, ସେ ପ୍ରଚାରର ଭାଷଣ ଲେଖୁଥିଲେ । ଏହା ପୂର୍ବରୁ ଜୋ-ବାଇଡେନ୍ ଉପ-ରାଷ୍ଟ୍ରପତି ଥିବା ସମୟରେ ମଧ୍ୟ ତାଙ୍କ ଭାଷଣ ଲେଖୁଥିବା ଟିମର ନେତୃତ୍ୱ ନେଉଥିଲେ । ବାରାକ୍ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ଜାତୀୟ ବାସକେଟ୍ ବଲ ସଂଘର ଯୋଗାଯୋଗ ବିଭାଗ, ପରିବେଶ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗରେ ବିନୟ ରେଡ୍ଡୀ କାମ କରିଛନ୍ତି ।

ବଡ଼ କଥା ହେଉଛି-ବାରାକ୍ ଓବାମା ଦ୍ୱିତୀୟ ଥର ନିର୍ବାଚିତ ହେବା ସମୟରେ ଯେଉଁ ନିର୍ବାଚନ ପ୍ରଚାର କରାଯାଉଥିଲା, ସେ ସମୟରେ ମଧ୍ୟ ବାଇଡେନ୍ ଓ ଓବାମାଙ୍କ ପାଇଁ ଭାଷଣ ଲେଖିବାର ଦାୟିତ୍ୱ ତାଙ୍କ ହାତରେ ଥିଲା । ବିନୟ ରେଡ୍ଡୀ ବର୍ତ୍ତମାନ ନ୍ୟୁୟର୍କରେ ରହୁଛନ୍ତି । ତାଙ୍କର ଦୁଇ ଝିଅ ଅଛନ୍ତି । ସେ ମିଆଇ ବିଶ୍ୱବିଦ୍ୟାଳୟ ଏବଂ ଓହିଓ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ହାସଲ କରିଛନ୍ତି । ବଡ଼ କଥା ହେଉଛି ତେଲେଙ୍ଗାନାରେ ଥିବା ତାଙ୍କ ପୈତୁକ ଗାଁ ସହ ଏବେ ବି ସମ୍ପର୍କରେ ଅଛନ୍ତି ।