ପର ଶିବିରରୁ ଆସିଥିବା ନେତାଙ୍କୁ ମିଳିଲା ପଦ୍ମ ଟିକେଟ । ୯୯ ପ୍ରାର୍ଥୀଙ୍କ ମଧ୍ୟରୁ ପାଖାପାଖି ଡଜନେ ଅନ୍ୟ ଶିବିରର ନେତାଙ୍କୁ ପ୍ରାର୍ଥୀ କଲା ବିଜେପି
କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୪୭ ଆସନରୁ ୯୯ ଜଣଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ଯଦି ପ୍ରାର୍ଥୀ ତାଲିକା ଉପରେ ଦୃଷ୍ଟି ପକାଇବେ ତେବେ ଦଳଡିଆଁ ନେତାଙ୍କୁ ପୁରସ୍କାର ଦେଇଛି ବିଜେପି । ଖାସକରି ବିଜେଡି ଓ କଂଗ୍ରେସ ଶିବିର ଛାଡି ଆସିଥିବା ନେତାଙ୍କୁ ଦଳ ପ୍ରାର୍ଥୀ କରିଛି । ଯେଉଁଥିରେ ବଡ ବଡ ହେଭିୱେଟ ନେତାଙ୍କ ନାଁ ରହିଛି । ଏହି ତାଲିକାରେ ବିଜେଡିରୁ ବିଦା ହୋଇ ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ କରିଛି ଦଳ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ସଜ ସଜ କଂଗ୍ରେସର ହାତ ଛାଡି ବିଜେପିରେ ସାମିଲ ହୋଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ଦଳ ଭରସା କରିବା ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛି । ଏହାଛଡା ଟିକେଟ ନ ମିଳିବା ପରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିବା ନେତାଙ୍କୁ ମଧ୍ୟ ଦଳ ପୋଚିଂ କରିବା ସହ ହାତରେ ଟିକେଟ ଅସ୍ତ୍ର ଦେଇଛି ।
Bharatiya Janata Party (BJP) releases list of 100 candidates for the upcoming Odisha assembly elections. pic.twitter.com/U3ywkecTxV
— ANI (@ANI) March 21, 2019
ସୁନ୍ଦରଗଡ ଆସନରୁ ଟିକେଟ ନ ମିଳିବା ପରେ ବିଜେଡି ଛାଡିଥିବା କୁସୁମ ଟେଟେଙ୍କୁ ଦଳରେ ସାମିଲ କରିବା ସହ ଗୋଟିଏ ଦିନ ମଧ୍ୟର ଟିକେଟ ଦିଆଯାଇଛି । ସେହିଭଳି ପାରଳାଖେମୁଣ୍ଡି ଆସନରୁ ଟିକେଟ ନ ପାଇ ବିଜେଡି ଛାଡି ବିଜେପିରେ ଯୋଗ ଦେଉ ଦେଉ କେ. ନାରାୟଣ ରାଓଙ୍କୁ ମଧ୍ୟ ଟିକେଟ ଦେଇଛି ଦଳ । ସେହିଭଳି ଅଣଦେଖା ଅଭିଯୋଗ ଆଣି ବିଜେଡି ଛାଡିଥିବା ବାବୁ ସିଂଙ୍କୁ ପୁରସ୍କାର ବାବଦକୁ ଦଳ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରୁ ଟିକେଟ ଦେଇଛି ।
ଏମାନଙ୍କ ବ୍ୟତୀତ ପୂର୍ବରୁ ବିଜେଡି ହାତ ଛାଡିଥିବା ଓ ଅନ୍ୟାନ୍ୟ ଦଳରୁ ଆସିଥିବା ନେତାଙ୍କୁ ମଧ୍ୟ ଦଳ ଗୁରୁତ୍ୱ ଦେବା ସହ ଘୋଷିତ ହୋଇଥିବା ପ୍ରାର୍ଥୀ ତାଲିକାରେ ସାମିଲ କରିଛି । ବାସୁଦେବପୁରରୁ କଂଗ୍ରେସ ଛାଡି ଆସିଥିବା ମାଧବାନନ୍ଦ ମଲ୍ଲିକ, ବରୀରୁ ବିଶ୍ୱ ରଞ୍ଜନ ମଲ୍ଲିକ, ଯାଜପୁରରୁ ଗୌତମ ରାୟ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଆଳିରୁ ଦୋଳଗୋବିନ୍ଦ ନାୟକ, ରାଜନଗରରୁ ଅଲେଖ ଜେନା, ବ୍ରହ୍ମଗିରିରୁ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଟିକେଟ ଦେଇଛି ଦଳ ।
ବିଜେପି ମିଶନ ୧୨୦କୁ ସଫଳ କରିବାକୁ ଏବେ ଜୋର ଦେଇଥିବା ବେଳେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ନୂଆ ରଣନୀତି ଅନୁଯାୟୀ ବିଜେଡି ସିପାହୀଙ୍କ ଉପରେ ଏବେ ନଜର ପକାଇଛି ଦଳ । ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା ବିଜେଡି ନେତାଙ୍କୁ ନିଜ ଶିବିରକୁ ଆଣିବା ସହ ୨୦୧୯ ନିର୍ବାଚନ ମହାସମର ପାଇଁ ଯୁଦ୍ଧ ମୈଦାନକୁ ଛାଡୁଛି । ତେବେ ବିଜେପିର ଏହି ରଣନୀତି ଆଗାମୀ ଦିନରେ କେତେ ସଫଳ ହେବ ତାହା ଦେଖିବା ବାକି ରହିଲା ।