ଦେଶବାସୀଙ୍କ ପାଇଁ ବଡ଼ ଖବର । ଆଜିଠୁ ବଦଳିଲା ଏହି ସବୁ ବଡ଼ ନିୟମ, ଜାଣନ୍ତୁ କ’ଣ ଶସ୍ତା ହେବ ଓ କ’ଣ ମହଙ୍ଗା ହେବ ।

2,109

କନକ ବ୍ୟୁରୋ : ଆଜିଠୁ ଦେଶରେ ଅନେକ ଗୁଡିଏ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଟ୍ରାଫିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବୀମା ପର୍ଯ୍ୟନ୍ତ ପହିଲାରୁ ପ୍ରତ୍ୟେକ କ୍ଷେତ୍ରରେ କିଛି ନୂଆ ନିୟମ ଲାଗୁ ହେବ । ଯାହା ସାଧାରଣ ଲୋକଟିକୁ ଜାଣିବାର ନିହାତି ଆବଶ୍ୟକତା ରହିଛି । ଜାଣନ୍ତୁ ଆଜିଠୁ କେଉଁ କେଉଁ ନିୟମରେ ହେବ ପରିବର୍ତ୍ତନ ?

ଆଜିଠୁ ମୋଟରଯାନ ଆଇନରେ ବଡ ସଂଶୋଧନ ହେବାକୁ ଯାଉଛି । ପହିଲାରୁ ଗାଡି ଲାଇସେନ୍ସ, ରେଜିଷ୍ଟ୍ରେସନ, ଫିଟନେସ୍ ଓ ପରିମିଟ୍ ଭଳି କାଗଜପତ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୱେବସାଇଟରେ ମେଣ୍ଟେନ କରିପାରିବେ ଗାଡି ଚାଳକ । ଅର୍ଥାତ ଗାଡି ଚାଳକଙ୍କୁ କୌଣସି କାଗଜପତ୍ର ସାଥୀରେ ନେବାକୁ ପଡିବ ନାହିଁ । ଚେକିଂ ସମୟରେ ୱେବସାଇଟରେ ଥିବା କାଗଜପତ୍ର ଦେଖାଇପାରିବେ ଗାଡି ଚାଳକ । ସେହିଭଳି ଗାଡି ଚଳାଇବା ସମୟରେ ମଧ୍ୟ ମୋବାଇଲ ବ୍ୟବହାର କରିପାରିବେ ଚାଳକ । କିନ୍ତୁ ଗୋଟିଏ ସର୍ତ୍ତରେ । କେବଳ ରୁଟ ନେଭିଗେସନ ବା ଦିଗ ନିର୍ଦ୍ଧାରଣ ପାଇଁ ଗାଡି ଚଲାଉଥିବା ବେଳେ ମୋବାଇଲ ବ୍ୟବହାର କରିପାରିବେ ଚାଳକ । କିନ୍ତୁ ଫୋନରେ କଥା ହେବା ବେଳେ ଧରାପଡିଲେ ଗାଡି ଚାଳକଙ୍କୁ ଜରିମାନା ଦେବାକୁ ପଡିବ ।

ସେହିଭଳି ପହିଲାରୁ ଆଇଆରଡିଏଆଇ ନିୟମ ଅନୁଯାୟୀ ସ୍ୱାସ୍ଥ୍ୟ ବୀମା ପଲିସିରେ ମଧ୍ୟ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ପହିଲାରୁ କମ ଦରରେ ଅଧିକ ରୋଗ ଉପରେ ସୁବିଧା ପାଇପାରିବେ ବୀମାଧାରକ । ଯଦି ଲଗାତାର ୮ ବର୍ଷ ପ୍ରିମିୟମ ଭରିଥାନ୍ତି ତେବେ କମ୍ପାନି କୌଣସି ବି କାରଣ ଦର୍ଶାଇ ଆପଣଙ୍କ ଆବେଦନକୁ ରିଜେକ୍ଟ କରିପାରିବେ ନାହିଁ । ଯଦି ବୀମାଧାରକଙ୍କ ପାଖରେ ଏକରୁ ଅଧିକ କମ୍ପାନିର ପଲିସି ଥାଏ ତେବେ ବିକଳ୍ପ ବାଛିବାର ଅଧିକାର ରହିବ । ଗୋଟିଏ ପଲିସି ପରେ ଅନ୍ୟ କମ୍ପାନିରୁ ମଧ୍ୟ କ୍ଲେମ୍ କରିପାରିବେ ବୀମାଧାରକ ।

ବିଦେଶକୁ ଟଙ୍କା ପଠାଇବା ଉପରେ ନିଆଯାଉଥିବା ଟିକସକୁ ନେଇ ମଧ୍ୟ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି । ଯାହା ଆଜିଠୁ ଲାଗୁ ହେବ । ଯଦି ଆପଣ ବିଦେଶରେ ଥିବା ସମ୍ପର୍କୀୟଙ୍କ ପାଖକୁ ଟଙ୍କା ପଠାଇବାକୁ ଚାହୁଁଥାନ୍ତି ତେବେ ଅତିରିକ୍ତ ୫ ପ୍ରତିଶତ ଟିସିଏସ୍ ଚାର୍ଜ ଦେବାକୁ ପଡିବ ।

ସେହିପରି ଅକ୍ଟୋବର ପହିଲାରୁୁ ଏଫଏସଏସଏଆଇ ମଧ୍ୟ ଖାଦ୍ୟର ଗୁଣବତ୍ତାକୁ ନେଇ ବଡ ପରିବର୍ତ୍ତନ କରିବାକୁ ଯାଉଛି । ପହିଲାରୁ ସୋରିଷ ତେଲରେ ଅନ୍ୟ କୌଣସି ତେଲର ମିଶ୍ରଣକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ । ପୂର୍ବରୁ ସୋରିଷ ତେଲ ସହ ଅନ୍ୟ ତେଲର ମିଶ୍ରଣ କରାଯାଇ ବଜାରରେ ଏହାକୁ ବିକ୍ରି କରାଯାଉଥିଲା । ତେବେ ଲୋକଙ୍କୁ ଶୁଦ୍ଧ ସୋରିଷ ତେଲ ଯୋଗାଇଦେବାକୁ ଏଭଳି ନିଷ୍ପତ୍ତି ନେଇଛି ଏଫଏସଏସଏଆଇ । ସେହିଭଳି ଦୋକାନରେ ମିଳୁଥିବା ଖୋଲା ମିଠାର ପ୍ରସ୍ତୁତି ତାରିଖ ଓ ଏକ୍ସପାୟରୀ ତାରିଖ ମଧ୍ୟ ଉଲ୍ଲେଖ ରଖିବାକୁ ପଡିବ ।

ଅକ୍ଟୋବର ପହିଲାରୁ ନୂଆ ଟିଭି କିଣିବା ମହଙ୍ଗା ହେବ । ଟିଭି ନିର୍ମାଣରେ ଲାଗୁଥିବା ଓପନ୍ ସେଲର ଆମଦାନୀ ଉପରେ ୫ ପ୍ରତିଶତ ସୀମା ଶୁଳ୍କ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି ସରକାର । ଏହାପୂର୍ବରୁ ଏହି ଶୁଳ୍କ ଉପରେ ଗୋଟିଏ ବର୍ଷ ଛାଡ ଦିଆଯାଇଥିଲା, ଯାହା ସେପ୍ଟେମ୍ବର ୩୦ରେ ଶେଷ ହେବ । ତେଣୁ ଶୁଳ୍କ ଲାଗୁ ହେବା ପରେ ନୂଆ ଟିଭିର ଦର ବଢିବ ।