ରୋଗୀଙ୍କ ଯାତ୍ରା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଷ୍ଟଡି ଟୁର ପର୍ଯ୍ୟନ୍ତ ! ଜାଣନ୍ତୁ ରେଳ ଟିକେଟରେ କାହା ପାଇଁ କେତେ ରିହାତି ଦେଉଛି ରେଳ ବିଭାଗ

80

ନିଜ ଇଚ୍ଛାରେ ରେଳ ଟିକେଟରେ ସବସିଡ଼ି ଛାଡିବା ପାଇଁ ରେଳ ବିଭାଗ ଯେଉଁ ପ୍ରୟାସ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଆରମ୍ଭ କରିଥିଲା ତାହା ସଫଳ ହୋଇଛି । ଅନେକ ବରିଷ୍ଠ ଲୋକ ବିନା ସବସିଡ଼ିରେ ରେଳ ଯାତ୍ରା କରୁଥିବା ଜଣାପଡ଼ିଛି । ତେଣୁ ଏହି ଫର୍ମୁଲାକୁ ଅନ୍ୟ କାଟାଗୋରୀ ପାଇଁ ମଧ୍ୟ ଲାଗୁ କରିବାକୁ ଯୋଜନା କରୁଛି । ଏହାଦ୍ୱାରା ରେଳ ଟିକେଟରେ ସବସିଡ଼ି ପାଉଥିବା ବ୍ୟକ୍ତି ଚାହିଁଲେ ସବସିଡ଼ି ବିନା ରେଳ ଯାତ୍ରା କରିପାରିବେ । ଟିକେଟ ବୁକିଂରେ ରେଳ ବିଭାଗ କିଛି ଲୋକଙ୍କୁ ୧୦୦ ପ୍ରତିଶତ ରିହାତି ଦେଉଥିବା ବେଳେ କିଛି ଲୋକଙ୍କୁ ୨୫ ପ୍ରତିଶତ ରିହାତି ଦିଆଯାଇଥାଏ । ତେବେ ଟିକେଟ ବୁକିଙ୍ଗ ସମୟରେ କେଉଁ କେଉଁ ଲୋକଙ୍କୁ କେତେ ପ୍ରତିଶତ ସବସିଡ଼ି ମିଳିଥାଏ ତାହା ଆସନ୍ତୁ ଜାଣିବା ।

ଯଦି କୌଣସି କ୍ୟାନସର ରୋଗୀ ଏକାକୀ କିମ୍ବା କାହା ସାଥୀରେ ରେଳରେ ଯାତ୍ରା କରୁଥିଲେ ତେବେ ଫାଷ୍ଟ କ୍ଲାସ, ସେକେଣ୍ଡ କ୍ଲାସ ଓ ଏସି ଚେୟାର କାର ଟିକେଟ ଉପରେ ୭୫ ପ୍ରତିଶତ ରିହାତି ମିଳିଥାଏ । ସେହିଭଳି ଥାର୍ଡ ଏସି ଓ ସ୍ଲିପର କ୍ଲାସ ଟିକେଟ ଉପରେ ୧୦୦ ପ୍ରିତଶତ ସବିସିଡ଼ି ଦେଇଥାଏ ରେଳ ବିଭାଗ । ଅନ୍ୟପକ୍ଷରେ ଫାଷ୍ଟ ଏସି ଓ ସେକେଣ୍ଡ ଏସି ଟିକେଟ ଉପରେ ୫୦ ପ୍ରତିଶତ ରିହାତି ମିଳିଥାଏ ।
ହାର୍ଟ, କିଡନୀ ରୋଗରେ ପୀଡିତ ରୋଗୀ ଚିକିତ୍ସା କିମ୍ବା ଚେକଅପ ପାଇଁ ଯଦି ରେଳରେ ଯାତ୍ରା କରୁଥାନ୍ତି ତେବେ ସେମାନଙ୍କୁ ମଧ୍ୟ ରିହାତି ଦିଆଯାଇଥାଏ । ଫାଷ୍ଟକ୍ଲାସ ଏସି ଓ ସେକେଣ୍ଡ କ୍ଲାସ ଏସି ଟିକେଟରେ ଏମାନଙ୍କୁ ମଧ୍ୟ ୫୦ ପ୍ରତିଶତ ରିହାତି ମିଳିଥାଏ । ଏହାଛଡା ପ୍ରଥମ ଶ୍ରେଣୀ , ଦ୍ୱିତୀୟ ଶ୍ରେଣୀ ବଗି ଓ ଏସି ଚେୟାର କାର ଟିକେଟରେ ୭୫ ପ୍ରତିଶତ ରିହାତି ମିଳିଥାଏ । ଏପରିକି ରୋଗୀଙ୍କ ସହ ସାଙ୍ଗରେ ଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ସମାନ ରିହାତି ମିଳିଥାଏ । ସେହିଭଳି ଏଡ଼ସରେ ପିଡୀତ ଲୋକଙ୍କୁ ମଧ୍ୟ କିଛି କ୍ଷେତ୍ରରେ ରିହାତି ମିଳିଥାଏ ।

ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକଙ୍କ ପତ୍ନୀ ଯଦି କୌଣସି ଉଦ୍ଦେଶ୍ୟରେ ରେଳରେ ଯାତ୍ରା କରୁଥାନ୍ତି ତେବେ ଦ୍ୱିତୀୟ ଓ ସ୍ଲିପର କ୍ଲାସ ଟିକେଟରେ ୭୫ ପ୍ରତିଶତ ରିହାତି ମିଳିଥାଏ । ବିକଳାଙ୍ଗ ବ୍ୟକ୍ତି ଯେଉଁମାନେ ବିନା କାହା ସାହାର୍ଯ୍ୟରେ ରେଳରେ ଯାତ୍ରା କରିପାରନ୍ତି ନାହିଁ , ଅନ୍ଧ ବ୍ୟକ୍ତି କିମ୍ବା କିଛି ମାତ୍ରାରେ ମାନସିକ ବିକୃତି ଥିବା ଯାତ୍ରୀଙ୍କୁ ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ ଏସି ଟିକେଟରେ ୫୦ ପ୍ରତିଶତ ରିହାତି ମିଳିଥାଏ । ତୃତୀୟ ଶ୍ରେଣୀ ଏସି ଓ ଚେୟାର କାର ଟିକେଟ ଉପରେ ୨୫ ପ୍ରତିଶତ ରିହାତି ପାଇପାରିବେ ଯାତ୍ରୀ ।

ସେହିଭଳି ବରିଷ୍ଠ ନାଗରିକ ପୁରୁଷ (୬୦ ବର୍ଷରୁ ଅଧିକ ) ମହିଳା ( ୫୮ ବର୍ଷରୁ ଅଧିକ )ଙ୍କୁ ଯଥାକ୍ରମେ ୪୦ ଓ ୫୦ ପ୍ରତିଶତ ରିହାତି ପ୍ରତ୍ୟେକ ଟିକେଟ ଉପରେ ଦିଆଯାଇଥାଏ । ସାଧାରଣବର୍ଗର ଛାତ୍ରଛାତ୍ରୀ ମାନଙ୍କ ଷ୍ଟଡ଼ି ଟୁର ପାଇଁ ସେକେଣ୍ଡ କ୍ଲାସ ଓ ସ୍ଲିପର କ୍ଲାସ ବଗି ପାଇଁ ୫୦ ପ୍ରତିଶତ ରିହାତି ଓ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଟିକେଟରେ ୭୫ ପ୍ରତିଶତ ରିହାତି ମିଳିଥାଏ ।

ଅନଲାଇନରେ ଟିକେଟ କରୁଥିଲେ ବରିଷ୍ଠ ନାଗରିକଙ୍କୁ ରିହାତି ମିଳିଥାଏ । ଅନ୍ୟ କାଟାଗୋରୀର ବ୍ୟକ୍ତି ମାନେ ରିହାତି ପାଇବା ପାଇଁ ରେଲୱେ ବୁକିଙ୍ଗ କାଉଣ୍ଟରରୁ ଟିକେଟ କିଣିବା ଆବଶ୍ୟକ । ତେବେ ଟିକେଟରେ ରିହାତି ପାଇବା ପାଇଁ ଏକ ଫର୍ମ ପୂରଣ କରିବାକୁ ପଡିବ । ଏଥିପାଇଁ ଯାତ୍ରୀଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ପଡ଼ିବ ।