କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି । ମହମାରୀ ବ୍ୟାପି ଚାଲିଥିବାବେଳେ ଟିକା ନାହିଁ । ନା କେନ୍ଦ୍ର ସରକାରଙ୍କ ପାଖରେ ଅଛି, ନା କମ୍ପାନୀ ପାଖରେ ଅଛି । ଏଭଳି ପରିସ୍ଥିତିରେ ବିଦେଶରୁ ଟିକା କିଣିବା ଛଡା ଅନ୍ୟ ଉପାୟ ନାହିଁ । ଓଡିଶା ସରକାର ରାଜ୍ୟ କ୍ୟାବିନେଟରେ ବିଦେଶରୁ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ବିଶ୍ୱର ଅନ୍ୟ କମ୍ପାନୀମାନଙ୍କଠାରୁ ଟିକା କିଣାଯାଇପାରିବ । ଏଥିପାଇଁ ଦୁଇଟି କମିଟି ଗଠନ କରାଯାଇଛି । ବୈଷୟିକ କମିଟି ଓ ପରିଚାଳନା କମିଟି ଏଥିପାଇଁ କାମ କରିବ ।
ବୈଷୟିକ କମିଟିରେ ଡିଏମଇଟି, ଆରଏମଆରସି ନିର୍ଦ୍ଦେଶକଙ୍କ ସମେତ ୧୦ ଜଣ ଥିବାବେଳେ ପରିଚାଳନା କମିଟିରେ ୯ ଜଣ ସଦସ୍ୟ ଅଛନ୍ତି । ଲୋକଙ୍କ ଶୀଘ୍ର ଟିକାକରଣ ଓ ମୂଲ୍ୟବାନ ଜୀବନର ସୁରକ୍ଷା ସହିତ ଲୋକଙ୍କ ଜୀବନ ଜୀବିକାର ପୁନଃସ୍ଥାପନରେ ଏହା ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାଛଡା ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ ଚାପ ପଡିବ ଓ ସାର୍ବଜନୀନ ଟିକାକରଣ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି, କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇ ଲମ୍ବା ଲଢେଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଠିକ ଭାବେ ବଂଟନ କରାଯିବା ଆବଶ୍ୟକତା ରହିଛି । ଏହା କୋଭିଡ ଲଢେଇରେ ରାଜ୍ୟମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାରେ ଶକ୍ତି ଯୋଗାଇବ ।
ଗ୍ଲୋବାଲ ଟେଣ୍ଡର କ’ଣ ?
କୌଣସି ଉତ୍ପାଦନ ବା ସାମଗ୍ରୀର ଆମଦାନୀ କିମ୍ବା ରପ୍ତାନୀ ପାଇଁ ଏକ ବିଶ୍ୱସ୍ତରୀୟ କ୍ଷେତ୍ର ଯୋଗାଇ ଥାଏ ଗ୍ଲୋବାଲ ଟେଣ୍ଡର । ବିଶ୍ୱର ବଡ଼ ବଡ଼ କଂପାନୀ କିଣା-ବିକା ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ଦେଇଥାଏ ଗ୍ଲୋବାଲ ଟେଣ୍ଡର ।
ଗ୍ଲୋବାଲ ଟେଣ୍ଡର କେତେ ପ୍ରକାରର ?
ବ୍ୟବସାୟିକ ଦେଣନେଣ ପାଇଁ ଏକାଧିକ ପ୍ରକାରର ଟେଣ୍ଡର ବ୍ୟବସ୍ଥା ରହିଛି । ତେବେ ପ୍ରମୁଖ ଦୁଇଟି ଟେଣ୍ଡର ହେଲା- ଓପନ ଟେଣ୍ଡର ଏବଂ ଗ୍ଲୋବାଲ ଟେଣ୍ଡର । ଓପନ ଟେଣ୍ଡର ଦେଶ ଭିତରେ ସୀମିତ ଥିବା ବେଳେ ଗ୍ଲୋବାଲ ଟେଣ୍ଡର ବିଶ୍ୱବ୍ୟାପୀ ଏକ କ୍ଷେତ୍ର ଯୋଗାଇଥାଏ ।
ଗ୍ଲୋବାଲ ଟେଣ୍ଡର ହେଲେ ଲାଭ କ’ଣ ?
ବିଶ୍ୱର ବଡ଼ ବଡ଼ କଂପାନୀ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏକାଧିକ ବିଡର ଆସିବା ଯୋଗୁଁ କୌଣସି ସାମଗ୍ରୀ ବା ଉତ୍ପାଦନ କମ ଦାମରେ ମିଳିବାର ସୁଯୋଗ ଥାଏ । ଅର୍ଥାତ୍ ଓଡ଼ିଶାକୁ ଟିକା ଯୋଗାଇବା ପାଇଁ ଅଧିକ କଂପାନୀ ଟିକା ଯୋଗାଇବା ପାଇଁ ଇଚ୍ଛାପ୍ରକାଶ କଲେ, ମୂଲ୍ୟ କମିବାର ସୁଯୋଗ ଆସିପାରେ । ସେହିପରି ଶୀଘ୍ର ଓ ସୁବିଧାରେ ଟିକା ମିଳିବାର ଏକ ସୁଯୋଗ ଆସିପାରେ ।